ବେକାର ଯୁବକଯୁବତୀଙ୍କ ପାଇଁ ବରେଲିରେ ସମାଜବାଦୀ ପାର୍ଟି ଖୋଲିଲା ‘ପ୍ରଧାନମନ୍ତ୍ରୀ ପକୋଡ଼ା ତାଲିମ କେନ୍ଦ୍ର’

ବରେଲି: କର୍ମସଂସ୍ଥାନ ସୃଷ୍ଟି ବିଷୟରେ ନିକଟରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ‘ପକୋଡ଼ା’ ମନ୍ତବ୍ୟକୁ ବିଦ୍ରୂପ କରି ରବିବାର ଦିନ ବରେଲି ସହରର ତୁଳିସୀ ପାର୍କରେ ‘ପ୍ରଧାନମନ୍ତ୍ରୀ ପକୋଡ଼ା ତାଲିମ କେନ୍ଦ୍ର’ ଆୟୋଜନ କରିଥିଲା ସମାଜବାଦୀ ପାର୍ଟି। ଏଥିରେ ମାଗଣାରେ ପକୋଡ଼ା ତିଆରି କୌଶଳ ଶିଖିବାକୁ ପାର୍ଟି ତରଫରୁ ଏମ୍‌ଟେକ୍‌, ପିଏଚ୍‌ଡି, ଏମ୍‌କମ୍‌ ଏବଂ ଏମ୍‌ବିଏ ଡିଗ୍ରୀ ହାସଲ କରି ମଧ୍ୟ ବେକାର ଥିବା ଯୁବକଯୁବତୀମାନଙ୍କୁ ଆମନ୍ତ୍ରଣ କରାଯାଇଥିଲା।

ଗତ ଚାରିବର୍ଷ ମଧ୍ୟରେ ଯଥେଷ୍ଟ ସଂଖ୍ୟକ ଚାକିରି ସୃଷ୍ଟି ହୋଇ ନ ପାରିଥିବା ଦର୍ଶାଇ ଏକ ନିଉଜ୍‌ ଚାନେଲ୍‌ ତରଫରୁ ପ୍ରଶ୍ନ କରାଯିବାରୁ ପ୍ରଧାନମନ୍ତ୍ରୀ କହିଥିଲେ କି ସେମାନଙ୍କ ଟେଲିଭିଜନ୍‌ ଷ୍ଟୁଡିଓ ବାହାରେ ପକୋଡ଼ା ବିକି ଦୈନିକ ୨୦୦ ଟଙ୍କା ରୋଜଗାର କରୁଥିବା ବ୍ୟକ୍ତି ମଧ୍ୟ ରୋଜଗାରକ୍ଷମ।

ସମାଜବାଦୀ ପାର୍ଟିର ରାଜ୍ୟ ମୁଖପାତ୍ର ଅଟା-ଉର୍‌-ରେହମନ୍‌ କହିଲେ ଯେ ଏହି ତାଲିମ୍‌ କାର୍ଯ୍ୟକ୍ରମ ୪ଟି ଭାଗରେ ବିଭକ୍ତ। ଏଥିରେ ବେକାରି ଯୁବକଯୁବତୀମାନଙ୍କୁ ୪ ପ୍ରକାର ପକୋଡ଼ା ତିଆରି କଳା ଶିକ୍ଷା ଦିଆଯିବ। ଏମ୍‌ଟେକ୍‌ ଓ ବିଟେକ୍‌ ଡିଗ୍ରୀଧାରୀମାନେ ଶିଖିବେ ମୋଦି ପକୋଡ଼ା, ପିଏଚ୍‌ଡି ଏବଂ ଏମ୍‌ବିଏ ଡିଗ୍ରୀଧାରୀ ଶିଖିବେ ଶାହା ପକୋଡ଼ା, ଏମ୍‌କମ୍‌ ହାସଲ କରିଥିବା ପ୍ରାର୍ଥୀ ଶିଖିବେ ଜେଟ୍‌ଲୀ ପକୋଡ଼ା ଏବଂ ସ୍ନାତକ ତଥା ଅନ୍ୟାନ୍ୟ ବେକାରିମାନେ ଶିଖିବେ ଯୋଗୀ ପକୋଡ଼ା। ସମାଜବାଦୀ କର୍ମୀମାନେ ପକୋଡ଼ା ତିଆରି ଶିଖି ନ ଥିବାରୁ ତିନି ଜଣ ଦକ୍ଷ ପକୋଡ଼ା ନିର୍ମାତାଙ୍କୁ ଅଣାଯାଇଛି।

ପୂର୍ବତନ ରାଜ୍ୟମନ୍ତ୍ରୀ ଏବଂ ଏବକାର ବିଧାୟକ ବାହେରି କହନ୍ତି: ୨୦୧୪ରେ ମୋଦି ଘୋଷଣା କରିଥିଲେ ବାର୍ଷିକ ୨ କୋଟି ଯୁବକଯୁବତୀଙ୍କୁ କର୍ମସଂସ୍ଥାନ ଯୋଗାଇ ଦେବେ। ସେ ଯାହାହେଉ ଗତ ୪ ବର୍ଷ ମଧ୍ୟରେ ୮ କୋଟି ବେକାର ବାହାରିଛନ୍ତି। ନିର୍ବାଚନ ହେବାକୁ ଆଉ ବର୍ଷେ ବାକି ଥିବାରୁ ମୋଦି ପକୋଡ଼ା ବିକିବାକୁ ଯୁବକମାନଙ୍କୁ ପରାମର୍ଶ ଦେଉଛନ୍ତି। ଆମେ ତାଙ୍କୁ ତାଙ୍କ ଅଭିଯାନ ବିଷୟରେ ଚେତାଇ ଦେଉଛୁ।

ଆମ ଜିଲ୍ଲାରେ ବହୁ ସଂଖ୍ୟକ ବେକାର ଥିବାରୁ ଅଧିକ ପକୋଡ଼ା ତାଲିମ କେନ୍ଦ୍ର ଖୋଲିବାକୁ ଆମେ ସ୍ଥିର କରିଛୁ। ସୋମବାର ଦିନ ବାହେରି ଠାରେ ମଧ୍ୟ ଗୋଟାଏ ତାଲିମ କେନ୍ଦ୍ର ଖୋଲାଯିବ।

ସମ୍ବନ୍ଧିତ ଖବର