ସମତାକ୍ରାନ୍ତି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ବର : ସମତା କ୍ରାନ୍ତି ଦଳର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆଜି ଲୋହିଆ ଏକାଡେମିରେ ଅନୁଷ୍ଠିତ ହୋଇଯାଇଛି। ବୈଠକୁ ଦଳର ପ୍ରତିଷ୍ଠାତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜ କିଶୋର ତ୍ରିପାଠୀ ଉଦ୍‌ଘାଟନ କରିଥିଲେ। ଏହି ଅବସରରେ ଶ୍ରୀ ତ୍ରିପାଠୀ କହିଲେ, ରାଜ୍ୟରେ ବିଜେଡି ସରକାର ସବୁଠାରୁ ଦୁର୍ନୀତିଗ୍ରସ୍ତ ସରକାର। ସିଏଜି ତାଙ୍କ ରିପୋର୍ଟରେ ରାଜ୍ୟରେ ହୋଇଥିବା ଦୁର୍ନୀତିକୁ ଲୋକ ଲୋଚନକୁ ଆଣିଛନ୍ତି। ମନରେଗା, ଶିଶୁ ଖାଦ୍ୟ ଓ ଡାଲି ଦୁର୍ନୀତି, ଭେଜାଲ ଔଷଧ, ଜଳସେଚନ, ସମବାୟ ବିଭାଗରେ ଚାଲିଥିବା ଦୁର୍ନୀତିକୁ ନେଇ ‌ଜନସାଧାରଣ ବିବ୍ରତ। ଚିଟଫଣ୍ଡ ଦୁର୍ନୀତିର ସିବିଆଇ ଯାଞ୍ଚରେ ମଧ୍ୟ ମନ୍ଥରତା ଚାଲିଛି। ୨୦୧୮-୧୯ରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଚିରାଚରିତ ବଜେଟ ପାରିତ ହୋଇଛି। ଚରମ ଦୁର୍ଦ୍ଦଶା ଦେଇ ଗତି କରୁଥିବା ରାଜ୍ୟର ଜନସାଧାରଣଙ୍କ ପାଇଁ ପରିବର୍ତନ ଜରୁରୀ ହୋଇ ପଡ଼ିଛି। ଓଡ଼ିଶା ଜନମୋର୍ଚା ଦଳ ସମତା କ୍ରାନ୍ତିରେ ନିଜକୁ ବିଲୀନ କରିଛି। ତେଣୁ ରାଜ୍ୟର ଅନ୍ୟ ଛୋଟ ଦଳଗୁଡ଼ିକ ମିଳିତ ହୋଇପାରିଲେ ରାଜ୍ୟରେ ଦୁର୍ନୀତିମୁକ୍ତ ଶାସନ ସମ୍ଭବ ହୋଇପାରିବ।

ଦଳର ମୁଖ୍ୟ ସଂଯୋଜକ ଯଜ୍ଞେଶ୍ବର ବାବୁ କହିଲେ, ରାଜ୍ୟରେ ଶିକ୍ଷା, ସ୍ବାସ୍ଥ୍ୟ, ଜଳସେଚନ, ବିଦ୍ୟୁତ ଓ ପିଇବା ପାଣି ଆଦିର ବିକାଶ ଜରୁରୀ। ରାଜ୍ୟ ଚାଷୀ ଆତ୍ମହତ୍ୟା ଅବ୍ୟାହତ ରହିଛି। ଶିକ୍ଷିତ ବେକାର ହତାଶ ଅବସ୍ଥାରେ ଗତି କରୁଛନ୍ତି ବୋଲି ସେ କହିଥିଲେ। ଏହି ବୈଠକରେ ପୂର୍ବତନ ବିଧାୟକ କିଶୋର ଦାସ, ପୂର୍ବତନ ନଗରପାଳ ସୁରେନ୍ଦ୍ର ନାଥ ଦାଶ, ସାରଦା ପ୍ରସନ୍ନ ସ୍ବାଇଁ, ପ୍ରଭାତ ସାମନ୍ତରାୟ, ଗୟାଧର ମଲ୍ଲିକ, ଗୋପୀନାଥ ମିଶ୍ର, ମଦନ ମୋହନ ନନ୍ଦ, ଦିଗନ୍ତ ଦେ, ଶେଷଦେବ ପାତ୍ର, ପଞ୍ଚାନନ ସେନାପତି, ଦେବଦର୍ଶନ ତ୍ରିପାଠୀ ଓ କାଶୀନାଥ ବହିଦାର ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର