ବିଜେପି ରାଜ୍ୟ ସଭାପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ସମୀର, ଆଗକୁ ଅନେକ ଚାଲେଞ୍ଜ

ଭୁବନେଶ୍ବର: ରାଜ୍ୟ ବିଜେପିର ବରିଷ୍ଠ ନେତା ସମୀର ମହାନ୍ତି ଦଳର ରାଜ୍ୟ ସଭାପତି ନିର୍ବାଚିତ ହୋଇଛନ୍ତି । ତାଙ୍କୁ ସର୍ବସମ୍ମତିକ୍ରମେ ଦଳର ସଭାପତି ପ୍ରାର୍ଥୀ ମନୋନୀତ କରାଯାଇଛି। ଆଜି ଭୁବନେଶ୍ବରସ୍ଥିତ ରାଜ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନେତାଙ୍କ ଉପସ୍ଥିତିରେ ସେ  ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ଯଦିଓ ‌ଶେଷ ପର୍ଯ୍ୟନ୍ତ  ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ସଭାପତି ପଦବୀ ଦୌଡ଼ରେ ଥିଲେ, କିନ୍ତୁ ଶେଷ  ମୁହୂର୍ତ୍ତରେ ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତିଙ୍କ ନାଁରେ ମୋହର ଲାଗିଥିଲା। ଆସନ୍ତାକାଲି ସେ ବିଧିବଦ୍ଧ ଭାବେ ଦାୟିତ୍ୱ ନେବେ ବୋଲି ଦଳ ପକ୍ଷରୁ ଘୋଷଣା କରାଯାଇଛି। ଉଲ୍ଲେଖଯୋଗ୍ୟ, କେବଳ ୧୯୮୮ ଓ ୧୯୯୭ରେ ବିଜେପି ରାଜ୍ୟ ସଭାପତି ପଦ ଲାଗି ଲଢେଇ ହୋଇଥିଲା ବେଳେ ସବୁଥର ଭଳି ଏଥର ମଧ୍ୟ ସହମତି ଭିତ୍ତିରେ ପ୍ରାର୍ଥୀ ଚୟନ ହୋଇଛି।

ଭାରତୀୟ ଜନତା ପାର୍ଟିର ଜଣେ ତୁଙ୍ଗ ନେତା ଭାବେ ଜଣାଶୁଣା ସମୀର ମହାନ୍ତି ଛାତ୍ର ଥିବା ସମୟରୁ ରାଜନୀତିରେ ପାଦ ଦେଇଥିଲେ। ୧୯୭୭ ମସିହାରେ ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରେ ଯୋଗ ଦେଇଥିଲେ। ଏହା ପରେ ୧୯୮୫ ମସିହାରେ ସେ ଅଳ୍ପ କାଳ ଲାଗି ସରକାରୀ ଚାକିିରି କରିଥିଲେ। ଏହି ସମୟରେ ସେ  ବିଡିଏର ଉପ-ସୂଚନା ଅଧିକାରୀ ଭାବେ ଦାୟିତ୍ୱ ତୁଲାଇଥିଲେ। ପରେ ଚାକିରି ଛାଡ଼ି ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇ ସକ୍ରିୟ ରାଜନୀତିକୁ ଆସିଥିଲେ। ୧୯୯୫ ମସିହାରେ ସେ ବିଜେପିର ଭୁବନେଶ୍ବର ଜିଲ୍ଲା ଉପସଭାପତି ଭାବେ ସାଂଗଠନିକ ଦାୟିତ୍ବ ନିର୍ବାହ କରିଥିଲେ। ୨୦୦୦ରେ ରାଜ୍ୟ ବିଜେପିର ସ‌ାଧାରଣ ସଂପାଦକ ହୋଇଥିଲେ ଓ  ୨୦୦୯ରେ ଭୁବନେଶ୍ୱର ଏକାମ୍ର  ବିଧାନସଭା  ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ୨୦୧୯ ନିର୍ବାଚନ ସମୟ‌ରେ ସେ ନିର୍ବାଚନ ରାଜନୀତିକୁ ନ ଓହ୍ଲାଇ ଦଳର ସାଂଗଠନିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ବେଶ କିଛି ଦିନ ଧରି ଚର୍ଚ୍ଚା ହେଉଥିଲା କି, ଚଳିତ ଥର ଉପକୂଳ ଓଡ଼ିଶାର ଜଣେ ନେତାଙ୍କୁ ରାଜ୍ୟ ସଭାପତି କରିବ ବିଜେପି । ବିଗତ ଦିନରେ ଭାରତୀୟ ଜନତା ପାର୍ଟି ମୁଖ୍ୟ ପଶ୍ଚିମ ଓଡ଼ିଶ‌ାର ନେତାଙ୍କୁ ସଭାପତି ପଦରେ ନିଯୁକ୍ତି ଦେଇ ଆସୁଥିଲା।

ଦଳର ରାଜ୍ୟ ସଭାପତି ଭାବେ ସମୀରଙ୍କ ପାଇଁ ପ୍ରଥମ ଚ୍ୟାଲେଞ୍ଜ ହେବ ଆଗାମୀ ପୌର ନିର୍ବାଚନରେ ଦଳର ପ୍ରଦର୍ଶନକୁ ପୂର୍ବାପେକ୍ଷା ଭଲ କରିବା ଏବଂ ଦଳର ସଂଗଠନକୁ ଦୃଢ଼ କରିବା। ଏଥିସହ ଦଳର ବିଭିନ୍ନ ଗୋଷ୍ଠୀର ନେତାଙ୍କୁ ଏକାଠି ନେଇ ଚାଲିବା ମଧ୍ୟ ଏକ ଚାଲେଞ୍ଜ ହେବ।

ସମ୍ବନ୍ଧିତ ଖବର