ଲୋକସଭା ନିର୍ବାଚନ: ଏସ୍‌ପି, ବିଏସ୍‌ପି ଏକାଠି ହେଲେ, କଂଗ୍ରେସ ସାଥୀହରା

ଲକ୍ଷ୍ନୌ: ୨୦୧୯ ଲୋକସଭା ନିର୍ବାଚନକୁ ଆଉ କିଛି ମାସ ବାକି। ରାଜନୈତିକ ଦଳମାନେ ଏଥିଲାଗି ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରିଦେଲେଣି। ଦେଶର ସବୁଠାରୁ ବଡ଼ ରାଜ୍ୟ ଉତ୍ତରପ୍ରଦେଶରେ ଏ ନେଇ ରାଜନୈତିକ ଗତିବିଧି ଜୋର ଧରିଲାଣି। ବିଶ୍ୱସ୍ତ ସୂତ୍ର ଅନୁସାରେ ସେଠାରେ ସମାଜବାଦୀ ପାର୍ଟି (ଏସ୍‌ପି) ଓ ବହୁଜନ ସମାଜ ପାର୍ଟ (ବିିଏସ୍‌ପି) ମେଣ୍ଟ କରି ଲୋକସଭା ନିର୍ବାଚନ ଲଢିବେ। ଏହି ଦୁଇ ଦଳ କଂଗ୍ରେସକୁ ସାଥୀରେ ରଖି ନ ଥିବା ସ୍ପଷ୍ଟ ହୋଇଛି।

ଉତ୍ତର ପ୍ରଦେଶରେ ଆସନ ବୁଝାମଣା ଏକ ପ୍ରକାର ସ୍ଥିର ହୋଇଛି। ଏସ୍‌ପି ଓ ବିଏସ୍‌ପି ସମାନ ସଂଖ୍ୟକ ଆସନରେ ପ୍ରାର୍ଥୀ ଦେଉଥିବା ବେଳେ ଅଜିତ୍‌ ସିଂଙ୍କ ନେତୃତ୍ୱାଧୀନ ରାଷ୍ଟ୍ରୀୟ ଲୋକ ଦଳ ୩ ଆସନରେ ପ୍ରାର୍ଥୀ ଦେବ। ଏହାଫଳରେ କଂଗ୍ରେସ ଏକ ଘରକିଆ ହୋଇ ଯାଇଛି । ଉତ୍ତରପ୍ରଦେଶରେ କଂଗ୍ରେସ କାହାକୁ ସାଙ୍ଗରେ ନେବ ତାହା ସ୍ପଷ୍ଟ ହୋଇନାହିଁ।

ସୂଚନା ଅନୁସାରେ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କ ଜନ୍ମଦିନ ଜାନୁଆରି ୧୫ ତାରିଖରେ ପଡୁଛି ଓ ସେହିଦିନ ଏହି ବୁଝାମଣା ସଂପର୍କରେ ଘୋଷଣା କରାଯିବା ସ୍ଥିର ହୋଇଛି।

ତେବେ ଏସ୍‌ପି-ବିଏସ୍‌ପି ମେଣ୍ଟ ଶାସକ ଭାରତୀୟ ଜନତା ପାର୍ଟିକୁ ଅଡୁଆରେ ପକାଇପାରେ। ଗୋରଖପୁର ଓ ଫୁଲପୁର୍‌ ଲୋକସଭା ଉପ-ନିର୍ବାଚନରେ ଏହି ମେଣ୍ଟ ବିଜେପି ପ୍ରାର୍ଥୀଙ୍କୁ ପରାଜୟର ରାସ୍ତା ଦେଖାଇଥିଲେ।

ଉଲ୍ଲେଖଯୋଗ୍ୟ କି,କେନ୍ଦ୍ରରେ ସରକାର ଗଠନରେ ଉତ୍ତରପ୍ରଦେଶ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରେ,କାରଣ ଏହି ରାଜ୍ୟରୁ ୮୦ ଜଣ ସାଂସଦ ଲୋକସଭାକୁ ନିର୍ବାଚିତ ହୋଇଥାଆନ୍ତି।

ସମ୍ବନ୍ଧିତ ଖବର