ଅସନ୍ତୋଷ ଓଗାଳିଲେ ବିଜୟ: ବିଜେପିରେ ପୁରୁଖା ନେତା ଅଲୋଡ଼ା

ଭୁବନେଶ୍ୱର: ଓଡ଼ିଶା ରାଜନୀତିରେ ଆଗାମୀ ଦିନରେ କି ଭୂମିକାରେ ଅବତୀର୍ଣ୍ଣ ହେବେ ବିଜେପି ନେତା ବିଜୟ ମହାପାତ୍ର। ଏହାକୁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଚାଲିଥିବା ବେଳେ ଆଜି ଶ୍ରୀ ମହାପାତ୍ର ପ୍ରଥମ ଥର ପାଇଁ ବୁଲେଇ ବଙ୍କେଇ ବିଜେପି ଭିତରେ ତାଙ୍କ ସ୍ଥାନ ସଂପର୍କରେ ଠାରିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କଲାବେଳେ ସେ କହିଥିଲେ ଯେ ବିଜେପିରେ ବହୁ ବରିଷ୍ଠ ନେତା ଆଜି ଦିନରେ ଅଲୋଡ଼ା ହୋଇଯାଇଛନ୍ତି। ଦଳର ବହୁତ ପୁରୁଣା ଲୋକଙ୍କ ମନ ଅନେକ ଆଶଙ୍କା ଓ ସନ୍ଦେହ ଭିତରେ ରହିଛି। ଏମାନେ ନିଜ ନିଜ ରାଜନୈତିକ ଭବିଷ୍ୟତକୁ ନେଇ ଚିନ୍ତାରେ ଅଛନ୍ତି। କେବଳ ସେତିକି ନୁହେଁ, ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳ ଉପରେ ଦଳ ତର୍ଜମା କରିବା ଆବଶ୍ୟକ। ତେବେ ଦଳରେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି, ସେମାନେ ହିଁ ଏସବୁ ଉପରେ କହିପାରିବେ ବୋଲି କହି ଦାୟିତ୍ୱ ଝାଡ଼ି ଦେଇଥିଲେ ବିଜୟ। କେନ୍ଦ୍ର ମନ୍ତ୍ରୀମାନେ ଓଡ଼ିଶା ସଂପର୍କରେ ଟିପ୍‌ପଣୀ ଦେବା ପୂର୍ବରୁ ରାଜ୍ୟର ବାସ୍ତବ ଚିତ୍ର ଜାଣିବା ଆବଶ୍ୟକ ବୋଲି ସେ ସୂଚାଇଥିଲେ।
ସେପଟେ ଏହା ଉପରେ ପ୍ରତିିକ୍ରିୟା ରଖିଛନ୍ତି ବିଜେପି ମୁଖପାତ୍ର ଗୋଲକ ମହାପାତ୍ର। ସେ କହିଥିଲେ, ବିଜେପିରେ ବ୍ୟାପକ ମାତ୍ରାରେ ଲୋକ ଯୋଡି ହୋଇଛନ୍ତି ଓ ଦଳ ଆଗକୁ ବଢୁଛି। ରାଜ୍ୟରେ ୪୦ ଲକ୍ଷରୁ ଅଧିକ କର୍ମୀ ଅଛନ୍ତି। ସମସ୍ତଙ୍କୁ ନେଇ ବିଜେପି ଆଗକୁ ଚାଲିବ। କେହି ଆମପାଇଁ ଅଲୋଡା ନୁହନ୍ତି। ବିଜୟ ମହାପାତ୍ର କଣ ନିଜକୁ ସେ କର୍ମୀ ମାନଙ୍କ ଭିତରୁ ଜଣେ ଭାବୁନାହାନ୍ତି କି ବୋଲି ସେ ପ୍ରଶ୍ନ କରିଥିଲେ। ତେବେ ବିଜୟ ମହାପାତ୍ରଙ୍କ ମନ୍ତବ୍ୟ ସୂଚାଇ ଦେଇଛି ଯେ ବିଜେପିର ଆଭ୍ୟନ୍ତରୀଣ ପାଣିପାଗ ଠିକ୍‌ ନାହିଁ।

ସମ୍ବନ୍ଧିତ ଖବର