ସୁସ୍ମିତାଙ୍କ ଟାର୍ଗେଟ୍‌ରେ ନବୀନ, ମୋଦୀ

ଭୁବନେଶ୍ବର: ମହିଳାଙ୍କୁ ବିଧାନସଭା ଓ ସଂସଦରେ ୩୩ ପ୍ରତିଶତ ଆସନ ସଂରକ୍ଷଣ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସଂକଳ୍ପକୁ ଅଖିଳ ଭାରତ ମହିଳା କଂଗ୍ରେସ ସଭାନେତ୍ରୀ ସୁସ୍ମିତା ଦେବ ସ୍ବାଗତ କରିଛନ୍ତି। କିନ୍ତୁ ରାଜ୍ୟ ସରକାର ନିଜେ ନିଜ ମନ୍ତ୍ରିମଣ୍ଡଳରେ ମହିଳାଙ୍କୁ ମନ୍ତ୍ରୀ ପଦ ପ୍ରଦାନ କରିବା ସହିତ ସରକାରୀ ନିଯୁକ୍ତି କ୍ଷେତ୍ରରେ ଏହି ସଂରକ୍ଷଣ ନୀତି କାର୍ଯ୍ୟକାରୀ କରିବାକୁ ସେ ଆହ୍ବାନ ଦେଇଛନ୍ତି। ଦୁଇଦିନିଆ ଗସ୍ତ ଶେଷରେ ଜାତୀୟ ମହିଳା ସଭାନେତ୍ରୀ ସୁସ୍ମିତା ଦେବ ଆଜି କଂଗ୍ରେସ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହା କହିଥିଲେ। ରାଜ୍ୟ ମନ୍ତ୍ରିମଣ୍ଡଳରେ ମାତ୍ର ୨ଜଣ ମହିଳାଙ୍କୁ ମନ୍ତ୍ରୀ ପଦ ମିଳିଥିବାରୁ ଏହାକୁ ସେ ସମାଲୋଚନା କରିଥିଲେ। ସେହିପରି ମହିଳାଙ୍କ ସଂରକ୍ଷଣ ଦାବି କରୁଥିବା ସରକାର ମହିଳାଙ୍କ ସମ୍ମାନ ପାଇଁ କୌଣସି ଆଖିଦୃଶିଆ କାର୍ଯ୍ୟକ୍ରମ ଗ୍ରହଣ କରିନାହାନ୍ତି ବୋଲି ସେ କହିଥିଲେ। ରାଜ୍ୟରେ ଯୁବତୀ ଚାଲାଣ, ମହିଳା ହିଂସା, ଦୁଷ୍କର୍ମ ବିଶେଷ କରି ଦଳିତ ମହିଳାଙ୍କ ପ୍ରତି ଦୁଷ୍କର୍ମ ସ୍ଥିତି ଚିନ୍ତାଜନକ। ପ୍ରାୟ ୩୦ ପ୍ରତିଶତ ଝିଅ ସ୍କୁଲ ଶିକ୍ଷା ପରେ ପାଠରେ ଡୋରି ବାନ୍ଧି ଦେଉଛନ୍ତି। ଗତ ୧୫ ବର୍ଷ ଧରି ରାଜ୍ୟରେ ମହିଳାଙ୍କ ଜୀବିକା ଅର୍ଜନ ହାର ଅଟକି ଯାଇଛି। କେବଳ ରାଜ୍ୟ ସରକାର ନୁହେଁ, ବେଟି ପଢ଼ାଓ, ବେଟି ବଚାଓ ନାରା ଦେଉଥିବା ମୋଦୀ ସରକାର ମହିଳା ବିଲ୍‌ ସପକ୍ଷରେ ନାହାନ୍ତି ବୋଲି ସେ ଅଭିଯୋଗ କରିଥିଲେ।

ଏସବୁ ପ୍ରସଙ୍ଗ ନେଇ ରାଜ୍ୟ ମହିଳା କଂଗ୍ରେସ ଆସନ୍ତା ବିଧାନସଭା ଅଧିବେଶନରେ ଘେରାଉ କରିବ। ରାଜ୍ୟପାଳଙ୍କ ନିକଟକୁ ଯାଇ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବି କରି ସ୍ମାରକପତ୍ର ପ୍ରଦାନ କରିବ ବୋଲି ‌ଜାତୀୟ ମହିଳା ସଭାନେତ୍ରୀ ସୂଚନା ଦେଇଥିଲେ। ତେବେ ସାମ୍ପ୍ରଦାୟିକ ଦଳ ଭାବେ ବିଜେପିକୁ କ୍ଷମତାଚ୍ୟୁତ କରିବା ହେଉଛି କଂଗ୍ରେସର ପ୍ରାଥମିକତା। ପରେ ବିଜେଡି ସରକାରଙ୍କୁ ହଟାଯିବ। ଏ ନେଇ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଓଡ଼ିଶା ଗସ୍ତ ଅବସରରେ ବିସ୍ତୃତ ଭାବେ କହିବେ। ରାଫେଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ‌ମୋଦୀ ନିଜେ ମୁହଁ ନ ଖୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କ ଶାଢ଼ୀ ପଣତ ତଳେ ମୁହଁ ଲୁଚାଇଛନ୍ତିି। ଏ ନେଇ କିଛି କହିଲେ ଜାତୀୟ ମହିଳା କମିସନଙ୍କ ଭୟ ଦେଖାଉଛନ୍ତିି। କିନ୍ତୁ ଏହି କମିସନ ପୂରା ଅଚଳ ବୋଲି ସେ କହିଥିଲେ। ସୁସ୍ମିତ‌ା ଦେବ କହିଲେ, କେବଳ ଆକ୍ରମଣ ନୁହେଁ, ମହିଳାଙ୍କ ପାଇଁ କିଛି ଭଲ ପ୍ରସଙ୍ଗ ନେଇ କଂଗ୍ରେସ ଲୋକଙ୍କ ନିକଟକୁ ଯିବ। ସେଗୁଡ଼ିକ ହେଉଛି ଜନସଂଖ୍ୟାର ଅର୍ଧେକ ଭାଗଙ୍କୁ ନିଯୁକ୍ତି, ଜୀବିକା, ଗ୍ରାମାଞ୍ଚଳରେ ପାନୀୟଜଳ ଯୋଗାଣ, ମହିଳାଙ୍କୁ ନ୍ୟାୟ ପ୍ରଦାନ, ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ସାମିଲ ପ୍ରଭୃତି। ‌ଏହି ପ୍ରସଙ୍ଗଗୁଡ଼ିକୁ ନିର୍ବାଚନୀ ଇସ୍ତା‌ହାରରେ ସ୍ଥାନ ଦେବାକୁ କରିବାକୁ ବିଚାର କରାଯାଉଛି। ଏଥିପାଇଁ ମହିଳା କଂଗ୍ରେସ ଦ୍ବାରକୁ ଦ୍ବାର ବୁଲି ଲୋକଙ୍କ ନିକଟତର ହେବାକୁ ଉଦ୍ୟମ କରିବ ବୋଲି ସେ କହିଥିଲେ। ଏହି ସମ୍ମିଳନୀ‌ରେ ପ୍ରଦେଶ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା, ବରିଷ୍ଠ ନେତ୍ରୀ ବିଜୟଲକ୍ଷ୍ମୀ ସାହୁ, କାର୍ଯ୍ୟକାରୀ ସଭାନେତ୍ରୀ ବନ୍ଦିତା ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର