ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ବିଫଳ: ସ୍ମୃତି ଇରାନୀ

ଓଟିଏମ୍‌ ପୁନରୁଦ୍ଧାର ପ୍ରସଙ୍ଗ ଉଠାଇଲେ

ଭୁବନେଶ୍ବର : ବି‌େଜପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ଯୋଗ ଦେବା ଅବସରରେ କେନ୍ଦ୍ର ବୟନ ଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ରାଜ୍ୟ ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ଏହା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିଫଳ ମୁଖ୍ୟମନ୍ତ୍ରୀ ଭାବେ ବର୍ଣ୍ଣନା କରିଛନ୍ତି। ନବୀନ ବାବୁ କେବଳ ଓଡ଼ିଶାର ବିକାଶରେ ବିଫଳ ନୁହନ୍ତି, ବରଂ ମହିଳାମାନଙ୍କୁ ସୁରକ୍ଷା ଯୋଗାଇବାରେ ଓ ସେମାନଙ୍କ ବିକାଶ ପ୍ରସଙ୍ଗରେ ବିଫଳ ହୋଇଛନ୍ତି ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି।

କାର୍ଯ୍ୟକାରିଣୀ ପରେ ଆ‌େୟାଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଇରାନୀ କହିଲେ, ରାଜ୍ୟ ସରକାର ନିଜେ ବିଧାନସଭାରେ ମାନିଛନ୍ତି ଯେ ୬୦ ପ୍ରତିଶତ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ଏଥିରୁ ଓଡ଼ିଶାରେ ମହିଳାଙ୍କ ସ୍ଥିତି ଜଣାପଡ଼ୁଛି। ଏଠାରେ ପ୍ରତିଦିନ କେଉଁଠି ନା କେଉଁଠି ଚିକିତ୍ସା ଅଭାବରୁ ମୃ୍ତ୍ୟୁ ହେଉଥିବାର ଖବର ମିଳୁଛି। କିନ୍ତୁ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ କାହିଁକି ଆୟୁଷ୍ମାନ ଭାରତ ଯୋଜନାକୁ ଓଡ଼ିଶାରେ ଲାଗୁ ନ କରିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ଜାଣିଶୁଣି ଗରିବ ପରିବାରଙ୍କୁ ଏହି ଯୋଜନାର ଲାଭରୁ ବଞ୍ଚିତ କଲେ। ସେ ଏହାକୁ ଏକ ଗରିବ କଲ୍ୟାଣ ଯୋଜନା ଭାବେ ନ ଦେଖି ଭୋଟ୍‌ ହରାଇବାର ଭୟ ନଜରରେ ଦେଖୁଛନ୍ତି। ଓଟିଏମ୍‌ ବନ୍ଦ ହୋଇ ପଡ଼ିଥିବା ପ୍ରସଙ୍ଗ ଉଠାଇ କେନ୍ଦ୍ର ମନ୍ତ୍ରୀ କହିଲେ, ଏହି କାରଖାନା ପୁନଃଚାଲୁ କରିବା ପାଇଁ ନବୀନ ବାବୁ ଉଦ୍ୟମ କରୁ ନାହାନ୍ତି। ରାଜ୍ୟ ସରକାର ଉଦ୍ୟମ କଲେ କେନ୍ଦ୍ର ସରକାର ସହଯୋଗର ହାତ ବଢ଼ାଇବେ। ହେଲେ ମୁଖ୍ୟମନ୍ତ୍ରୀ ଏ ପ୍ରସଙ୍ଗରେ ନୀରବ କାହିଁକି ?

ସେ ଆହୁରି କହିଥିଲେ, ପେଟ୍ରୋଲ ଓ ଡିଜେଲ ଉପରେ କେନ୍ଦ୍ର ସରକାର ଲିଟର ପିଛା ଅଢ଼େଇ ଟଙ୍କା କମ୍‌ କରିଛନ୍ତି। ବିଜେପି ଶାସିତ ରାଜ୍ୟମାନେ ଲିଟର ପିଛା ଆଉ ଅଢ଼େଇ ଟଙ୍କା କମ୍‌ କରି ମୋଟ୍‌ ୫ ଟଙ୍କାର ରିହାତି ଲୋକମାନଙ୍କୁ ଦେଉଛନ୍ତି। କିନ୍ତୁ ଓଡ଼ିଶା ସରକାର ଦର କମାଇବାକୁ ରାଜି ହେଉ ନାହାନ୍ତି। ମୁଖ୍ୟମନ୍ତ୍ରୀ ଓଡ଼ିଶାର ଲୋକଙ୍କୁ ନା ଆୟୁଷ୍ମାନ ଭାରତର ଲାଭ ପହଞ୍ଚାଇଲେ ନା ପେଟ୍ରୋଲ, ଡିଜେଲରେ ଲିଟର ପିଛା ମିଳିବାକୁ ଥିବା ୫ ଟଙ୍କା କମ୍‌ର ଲାଭ ପହଞ୍ଚାଇଲେ।

ସମ୍ବନ୍ଧିତ ଖବର