ଉତ୍ତରପ୍ରଦେଶରେ ଏସପି-ବିଏସପି ମେଣ୍ଟ ହେଲେ ପ୍ରାୟ ୪୦ଟି ସିଟ ହରାଇବ ଏନଡିଏ : ସି ଭୋଟର ସର୍ଭେ

ନୂଆଦିଲ୍ଲୀ : ବିଜେପି ପାଇଁ ନିର୍ବାଚନୀ ପାଣିପାଗ ଦିନକୁ ଦିନ ଜଟିଳ ହେବାରେ ଲାଗିଛି । ଆଜି ଆସିଥିବା ଦୁଇଟି ଜନମତ ସର୍ଭେରୁ ଏହି ସଂକେତ ମିଳୁଛି । ଟାଇମ୍ସ ନାଓ-ସିଏନଏକ୍ସ ସର୍ଭେ ଅନୁସାରେ ଆଗାମୀ ରାଜସ୍ଥାନ ନିର୍ବାଚନରେ କଂଗ୍ରେସ ୧୧୦ରୁ ୧୨୦ଟି ସିଟ ପାଇ ସରକାର ଗଢିପାରେ । ସେହିପରି ଗତ ଥର ୧୬୩ଟି ସିଟ ପାଇଥିବା ବିଜେପି ଏଥର ୭୦ରୁ ୮୦ଟି ସିଟ ପାଇ କ୍ଷମତା ହରାଇପାରେ ।
ଆଉ ଏକ ସର୍ଭେ ଏବିପି ନ୍ୟୁଜ୍-ସି ଭୋଟର ପକ୍ଷରୁ କରାଯାଇଛି । ଏହି ସର୍ଭେ ଅନୁସାରେ ଉତ୍ତରପ୍ରଦେଶରେ ଆଗାମୀ ଲୋକସଭା ନିର୍ବାଚନରେ ଯଦି ସମାଜବାଦୀ ପାର୍ଟି ଓ ବହୁଜନସମାଜବାଦୀ ପାର୍ଟି ମଧ୍ୟରେ ମେଣ୍ଟ ହୁଏ ତେବେ ବିଜେପି କ୍ଷତି ସହିବାର ସମ୍ଭାବନା ରହିଛି । ଏବେ ୟୁପିର ୮୦ ଲୋକସଭା ସିଟରୁ ବିଜେପି ପାଖରେ ରହିଛି ୭୧ଟି ସିଟ୍। ସର୍ଭେ ମୁତାବକ ଯଦି ମେଣ୍ଟ ହୁଏ ତେବେ ୨୦୧୯ରେ ଏହି ମେଣ୍ଟ ୪୪ ସିଟ୍ ପାଇବ ଏବଂ ଏନଡିଏକୁ ୩୧ଟି ସିଟରେ ସନ୍ତୁଷ୍ଟ ରହିବାକୁ ପଡ଼ିପାରେ। ଅନ୍ୟ ପଟେ ୟୁପିଏ ଖାତାକୁ ୫ ସିଟ୍ ଯାଇପାରେ। ଏହା ହେଲେ ଏନଡିଏ ଲୋକସଭାରେ ସଂଖାଗରିଷ୍ଠତା ପାଇପାରିବ ନାହିଁ । କିନ୍ତୁ ଯଦି ମହାମେଣ୍ଟ ନହୁଏ ତେବେ ଏନଡିଏ ପୁଣି ଥରେ ଗତ ଥର ଭଳି ଭଲ ପ୍ରଦର୍ଶନ କରିପାରେ। ମେଣ୍ଟ ନହେଲେ ୟୁପିର ୮୦ ଲୋକସଭା ସିଟରୁ ୭୦ଟି ସିଟରେ ବିଜେପି ବିଜୟୀ ହୋଇପାରେ।  ସମାଜବାଦୀ ପାର୍ଟି ୪, ବିଏସପି ୪ ଓ ୟୁପିଏକୁ ୨ଟି ସିଟ୍ ମିଳିବାର ସମ୍ଭାବନା ରହିଛି। ୟୁପିରୁ ୭୦ ସିଟ୍ ସହ ଏନଡିଏ ମୋଟ୍ ୩୦୦ରୁ ଅଧିକ ସିଟ୍ ଜିତିବାର ସମ୍ଭାବନା ରହିଛି। ସର୍ଭେ ମୁତାବକ ଆଜି ନିର୍ବାଚନ ହେଲେ ୟୁପିଏ ୧୧୬ ଓ ଅନ୍ୟ ଦଳ ୧୨୮ ଆସନ ଜିତିବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର