ଛାତ୍ର ସଂସଦ ନିର୍ବାଚନ ବନ୍ଦ ହେବା ପ୍ରସଙ୍ଗ: ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି: ଯୁବମୋର୍ଚ୍ଚା

ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟ ସରକାର ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକା ଏକଛତ୍ରବାଦୀ ମନୋବୃତ୍ତି ନେଇ ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ରାଜ୍ୟ ସରକାର ଛାତ୍ରଛାତ୍ରୀମାନଙ୍କର ଅଧିକାରକୁ କ୍ଷୁର୍ଣ୍ଣ କରିଛନ୍ତି । ଏଭଳି ମନମୁଖୀ କାର୍ଯ୍ୟକଳାପକୁ ରାଜ୍ୟ ବିଜେପି ଯୁବମୋର୍ଚ୍ଚା ଘୋର ନିନ୍ଦା କରୁଛି ବୋଲି ରାଜ୍ୟ ଯୁବ ମୋର୍ଚ୍ଚାର ସଭାପତି ଟଙ୍କଧର ତ୍ରିପାଠୀ କହିଛନ୍ତି।

ରାଜ୍ୟ କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି, ଯେଉଁଠି ବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଗଣତନ୍ତ୍ରର ପ୍ରଥମ ଅନୁଭବ ନିଅନ୍ତି ସେହିଭଳି ସ୍ଥାନରେ ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନକୁ ଜାଣିଶୁଣି ବାତିଲ କରି ଯୁବ ନେତୃତ୍ୱକୁ ଏବଂ ଛାତ୍ର ନେତୃତ୍ୱକୁ ରୋକିବା ପାଇଁ ରାଜ୍ୟ ସରକାର ଅପଚେଷ୍ଠା କରୁଛନ୍ତି। ଖୋଦ୍‌ ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଛାତ୍ର ସଂସଦ ନିର୍ବାଚନରୁ ରାଜନୈତିକ କ୍ୟାରିୟର ଗଢ଼ିଥିଲେ। ଭାରତୀୟ ସମ୍ବିଧାନରେ ଯୁବକମାନଙ୍କୁ ଭୋଟ୍‌ ଦେବାର ଅଧିକାର ରହିଛି।

ରାଜ୍ୟ ସରକାରଙ୍କର ଏଭଳି ନିଷ୍ପତ୍ତିକୁ ସାରା ଛାତ୍ର ଓ ଯୁବ ସମାଜ ନିନ୍ଦା କରିବା ସହ ଦୃଢ ବିରୋଧ କରୁଛି । ଶିକ୍ଷାର ବିକାଶରେ ବାଧକ ସାଜିଥିବା ସରକାର ବିରୁଦ୍ଧରେ ଏବଂ ବିଭିନ୍ନ ସମସ୍ୟା ବିରୁଦ୍ଧରେ ଛାତ୍ରଛାତ୍ରୀ ଏବଂ ଯୁବକମାନେ ବହୁ ସମୟରେ ସାମାଜିକ ଗଣମାଧ୍ୟମ, ଗଣମାଧ୍ୟମ ନିଜର ବକ୍ତବ୍ୟ ରଖୁଛନ୍ତି ରାଜ୍ୟରେ ଥିବା ସମସ୍ତ ମହାବିଦ୍ୟାଳୟ ଏବଂ ବିଶ୍ୱବିଦ୍ୟାଳୟ ଏବେ ସମସ୍ୟା ଘେରରେ ଏହି ସମସ୍ୟା ଗୁଡିକୁ ଛାତ୍ର ସଂସଦ ନିର୍ବାଚନ ମାଧ୍ୟମରେ ଛାତ୍ରମାନେ ଉପସ୍ଥାପନ କରନ୍ତି କିନ୍ତୁ ରାଜ୍ୟ ସରକାର ଜାଣିଶୁଣି ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରି ଛାତ୍ରଛାତ୍ରୀମାନଙ୍କର କର୍ତ୍ତବ୍ୟ ଓ ଦାୟିତ୍ୱବୋଧକୁ ସଙ୍କୁଚିତ କରୁଛନ୍ତି ବୋଲି ଶ୍ରୀ ତ୍ରିପାଠୀ କହିଛନ୍ତି।

ଯଦି ରାଜ୍ୟ ସରକାର ତାଙ୍କ ନିଷ୍ପତ୍ତିିକୁ ପ୍ରତ୍ୟାହାର ନକରନ୍ତି ଆଗାମୀ ଦିନରେ ଛାତ୍ର ସମାଜର ଅଧିକାର ଏବଂ ଗଣତନ୍ତ୍ରର ସୁରକ୍ଷା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ରାଜରାସ୍ତାକୁ ଉହ୍ଲାଇବେ ବୋଲି ଶ୍ରୀ ତ୍ରିପାଠୀ ଚେତାବନୀ ଦେଇଛନ୍ତି ।

ସମ୍ବନ୍ଧିତ ଖବର