ଏଆଇସିସି ତାଲିକା ନେଇ କଂଗ୍ରେସରେ ଝଡ଼

ସ୍ଥାନ ପାଇନାହାନ୍ତି ୯ ବିଧାୟକ, ବରିଷ୍ଠ ନେତା
ତାରା ନାହାନ୍ତି, ପତ୍ନୀ ଅଛନ୍ତି
ଦଳୀୟ ହିତ ଗୌଣ, ନିଜ ସ୍ୱାର୍ଥ ମୁଖ୍ୟ: ଗଣେଶ୍ୱର

ଭୁବନେଶ୍ୱର : ଏଆଇସିସିର ୭୮ଜଣିଆ ତାଲିକାରେ ରାଜ୍ୟର ୯ଜଣ ବିଧାୟକ, ଅଧିକାଂଶ ବରିଷ୍ଠ ନେତା ସ୍ଥାନ ପାଇନଥିବା ଘଟଣାକୁ ନେଇ କଂଗ୍ରେସ ଶିବିରରେ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେଲାଣି। ଯଦିଓ ଦଳ ତାଲିକାକୁ ଏଯାଏ ସାର୍ବଜନୀନ କରୁନାହିଁ, ସ୍ଥାନ ପାଇନଥିବା ନେତାମାନେ କିନ୍ତୁ ତମ୍ବିତୋଫାନ ଆରମ୍ଭ କରିଦେଇଛନ୍ତି। ପିିସିସି ସଭାପତିଙ୍କୁ ଟାର୍ଗେଟ କରି ଆଜି ଗଣମାଧ୍ୟମ ସମ୍ମୁଖରେ ବର୍ଷିଛନ୍ତି।

ଉଲ୍ଲେଖଯୋଗ୍ୟ, ଏଆଇସିସି ତାଲିକାକୁ ନେଇ କଂଗ୍ରେସରେ ଝଡ ସୃଷ୍ଟି ହୋଇଛି। ତାଲିକା କେହି ଦେଖିନାହାନ୍ତି। ଓଡ଼ିଶା ପ୍ରଭାରୀ ବି. କେ ହରିପ୍ରସାଦ ମଧ୍ୟ ସୂଚନା ଦେବାକୁ ମନା କରିଦେଇଛନ୍ତିି। କିନ୍ତୁ ସୂଚନା ମିଳିଛି ଯେ ଏହି ତାଲିକା ପିସିସିକୁ ଆସିଛି। ଏହାକୁୁ ଅତ୍ୟନ୍ତ ସନ୍ତର୍ପଣରେ ଲୁଚାଇ ରଖାଯାଇଛି। ପିସିସି କର୍ମକର୍ତ୍ତମାନେ ଦିଲ୍ଲୀରେ ଥିବାରୁ ତାଲିକା ସଂପର୍କରେ ସୂଚନା ଦେବାକୁ କେହି ନାହାନ୍ତି।

ବିଶ୍ୱସ୍ତ ସୂତ୍ରରୁ ଜଣାଯାଇଛି, ଏଆଇସିସି ତାଲିକାରେ ରାଜ୍ୟର ୭୮ଜଣ ନେତା, ବିଧାୟକଙ୍କ ନାମ ରହିଛି। ସେଥିରେ ସ୍ଥାନ ପାଇନାହାନ୍ତି ୯ଜଣ ବିଧାୟକ। ସେମାନେ ହେଲେ ତାରାପ୍ରସାଦ ବାହିନୀପତି, ଡା. ପ୍ରଫୁଲ୍ଲ ମାଝୀ, ଯୋଗେଶ ସିଂହ, ଦେବେନ୍ଦ୍ର ଶର୍ମା, କେ. ସୂର୍ଯ୍ୟାରାଓ, ଚନ୍ଦ୍ରଶେଖର ମାଝୀ, ଅଂଶୁମାନ ମହାନ୍ତି, ପ୍ରକାଶ ବେହେରା, ଜାକବ ପ୍ରଧାନ। ଏହି ବିଧାୟକମାନେ ପିସିସି ସଭାପତିଙ୍କ ନେତୃତ୍ୱ ବିରୋଧରେ ସ୍ୱର ଉତ୍ତୋଳନ କରିଥିବାରୁ ସେମାନଙ୍କୁ ଏଆଇସିସି ସଭ୍ୟ ପଦ ମହଙ୍ଗା ପଡ଼ିଛି। ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ସମେତ ୬ଜଣ ବିଧାୟକ ଏହି ତାଲିକାରେ ସ୍ଥାନ ପାଇଛନ୍ତି। ସେମାନେ ହେଉଛନ୍ତି ନବକିଶୋର ଦାସ, ଚିରଞ୍ଜୀବୀ ବିଶ୍ୱାଳ, କୃଷ୍ଣଚନ୍ଦ୍ର ଶଗରିଆ, କୈଳାସ କୁଲେସିକା, ଭୁଜବଳ ମାଝୀ। ସେହିଭଳି ବରିଷ୍ଠ ନେତା ଅନନ୍ତ ସେଠୀ, ଗଣେଶ୍ୱର ବେହେରାଙ୍କର ନାମ ମଧ୍ୟ ତାଲିକାରୁ ବାଦ୍‌ ଦିଆଯାଇଛି।

କୌତୂହଳର କଥା, ତାରାପ୍ରସାଦଙ୍କ ନାମ ତାଲିକାରେ ନ ଥିବା ବେଳେ ତାଙ୍କ ପତ୍ନୀ ମୀନାକ୍ଷୀ ବାହିନୀପତିଙ୍କ ନାମ ରଖାଯାଇଛି। ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ନୃସିଂହ ତ୍ରିପାଠୀଙ୍କ ଝିଅ ମନୀଷା ତ୍ରିପାଠୀ(ଦେଶର ସର୍ବକନିଷ୍ଠ) ପ୍ରଭୃତିଙ୍କ ନାମ ରହିଛି। ଆହୁରି ବିସ୍ମୟକର ଯେ, ପିସିସି ସଭାପତି ଆଦୌ ନିର୍ବାଚନ ଲଢ଼ିନଥିବା ତାଙ୍କର କିଛି ଅନୁଗତଙ୍କ ନାମ ତାଲିକାରେ ଭର୍ତ୍ତି କରିଛନ୍ତି। ସେମାନଙ୍କ ମଧ୍ୟରେ କଂଗ୍ରେସ ଭବନରେ କାର୍ଯ୍ୟରତ କିଛି କର୍ମଚାରୀ ବି ଅଛନ୍ତି।

କଂଗ୍ରେସ ନେତାମାନେ କହିଛନ୍ତି, ପିସିସି ସଭାପତି ଯେଉଁ ତାଲିକା ଧରାଇଛନ୍ତି, ତାହାକୁ ଏଆଇସିସି ମଞ୍ଜୁରି ଦେଇଛି। ତାଲିକା ନେଇ ନିଜ ପ୍ରତିକ୍ରିୟା ବ୍ୟକ୍ତ କରି ବରିଷ୍ଠ କଂଗ୍ରେସ ନେତା ଗଣେଶ୍ୱର ବେହେରା କହିଛନ୍ତି, ଯେଉଁମାନେ ବରିଷ୍ଠ ନେତା, ବିଧାୟକମାନଙ୍କ ନାମ ବାଦ୍‌ ଦେଇଛନ୍ତିି କିମ୍ବା ସ୍ଥାନ ଦେଇନାହାନ୍ତି, ସେମାନେ କଂଗ୍ରେସ ଦଳର ହିତକୁ ଗୌଣ କରି ନିଜର ସ୍ୱାର୍ଥକୁ ମୁଖ୍ୟ ବିବେଚନା କରୁଛନ୍ତି। ଏହା ଅତ୍ୟନ୍ତ ଦୁଃଖଦାୟକ।

ସମ୍ବନ୍ଧିତ ଖବର