ବିଜେଡିରେ ଯୋଗ ଦେଲେ ସୁବାସ ଚୌହାନ: କହିଲେ, ନବୀନଙ୍କ ଶାନ୍ତ-ସରଳ ସ୍ବଭାବରେ ପ୍ରଭାବିତ ହୋଇ ଆସିଲି

ଭୁବନେଶ୍ୱର:ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ତାର ପ୍ରତିବାଦରେ ଭାରତୀୟ ଜନତା ପାର୍ଟିରୁ ଇସ୍ତଫା ଦେବା ପରେ ବରିଷ୍ଠ ନେତା ସୁବାସ ଚୌହ୍ଵାନ ଆଜି ଆନୁଷ୍ଠାନିକ ଭାବେ ନବୀନ ନିବାସଠାରେ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଦଳରେ ତାଙ୍କୁ ଗ୍ରହଣ କରି ବିଜୁ ଜନତା ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି, ‘ପଶ୍ଚିମ ଓଡ଼ିଶାର ବରିଷ୍ଠ ବିଜେପି ନେତା ସୁବାସ ଚୌହ୍ଵାନ ଆଜି ବିଜୁ ଜନତା ଦଳରେ ଯୋଗଦାନ କରିଛନ୍ତି। ଏହା ବିଜୁ ଜନତା ଦଳକୁ ସୁଦୃଢ଼ କରିବ।’

ଆଜି ଦଳରେ ଯୋଗ ଦେବା ପରେ ଶ୍ରୀ ଚୌହ୍ଵାନ କହିଛନ୍ତି,‘‘କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭ ହୋଇଯାଇଛି। ମୁଁ ମୋ ପକ୍ଷ ନେଇଛି। ଅଧର୍ମ ଓ ଅହଙ୍କାର ବିରୁଦ୍ଧରେ ମୋ ଲଢେଇ। ଭାରତୀୟ ଜନତା ପାର୍ଟିରେ ଜାଗିର ଭଳି କାମ ହେଉଛି। ତା’ବିରୁଦ୍ଧରେ ସଂଗ୍ରାମ ହେଉଛି।’’ ସେ କହିଛନ୍ତି,‘‘ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାନ୍ତ ଓ ସରଳ ଜୀବନ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଜୁ ଜନତା ଦଳରେ ଯୋଗ ଦେଇଛି।’’ମୁଁ ଆଗାମୀ ନିର୍ବାଚନ ଲଢିବି ନାହିଁ। ତେବେ ଯଦି ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକସଭା ଆସନରୁ ପ୍ରତିଦ୍ୱନ୍ଦିତା କରିବା ପାଇଁ ପ୍ରସ୍ତାବ ଆସେ,ତେବେ ସେ ବିଚାର କରିବେ ବୋଲି ଶ୍ରୀ ଚୌହ୍ଵାନ କହିଛନ୍ତି। ତେବେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସଦସ୍ୟ ରହିବେ।’’ସଂଘ ପରିବାରରେ ଥାଇ ବିଜୁ ଜନତା ଦଳର ସଭ୍ୟ ହେବାପରେ ଅସୁବିଧା କିଛି ନାହିଁ’’ବୋଲି ସେ କହିଛନ୍ତି।

ଗତକାଲି ଶ୍ରୀ ଚୌହ୍ଵାନ ଭାରତୀୟ ଜନତା ପାର୍ଟି ରାଜ୍ୟ କାର୍ଯ୍ୟାଳୟକୁ ଯାଇ ରାଜ୍ୟ ସଭାପତି ବସନ୍ତ କୁମାର ପଣ୍ଡାଙ୍କ ଉଦ୍ଦେଶ୍ୟରେ ଇସ୍ତଫା ପତ୍ର ଦେଇଥିଲେ। ଇସ୍ତଫା ଦେବା ବେଳେ ଶ୍ରୀ ଚୌହ୍ଵାନ କାନ୍ଦ କାନ୍ଦ ହୋଇଯାଇଥିବାର ଲକ୍ଷ୍ୟ କରାଯାଇଥିଲା।

ଆଜି ନବୀନ ନିବାସ ଆଗରେ ଏକତ୍ରିତ ହୋଇଥିବା ତାଙ୍କର ସମର୍ଥକମାନେ ଅଭିଯୋଗ କରିଥିଲେ ଯେ,ସେ ଭାରତୀୟ ଜନତା ପାର୍ଟିର କୁଚକ୍ରୀ ଗୋଷ୍ଠୀର ଷଡଯନ୍ତ୍ରର ଶିକାର ହୋଇଛନ୍ତି। ୨୦୧୪ ନିର୍ବାଚନରେ ସେ ବରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦିତା କରିଥିଲେ ଏବଂ ୩ଲକ୍ଷ୭୨ହଜାର ଭୋଟ ପାଇଥିଲେ। ତେବେ ତାଙ୍କୁ ଷଡଯନ୍ତ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ହରାଇ ଦେଇଥିଲେ ବୋଲି ସେମାନଙ୍କର ଅଭିଯୋଗ।

ସମ୍ବନ୍ଧିତ ଖବର