ମୟୂରଭଞ୍ଜ: ପୁଲିସ ଆକ୍ରମଣରେ ୩ ଜିଲ୍ଲା ପରିଷଦ ସଦସ୍ୟ ଆହତ

ଜିଲ୍ଲାପାଳଙ୍କ କ୍ଷମା ମାଗିବା ନେଇ ପଞ୍ଚାୟତିରାଜ ପ୍ରତିନିଧି ଓ ପ୍ରଶାସନ ମୁହାଁମୁହିିଁ

ବାରିପଦା: ମୟୂରଭଞ୍ଜ ଜିଲ୍ଲା ପରିଷଦ ବୈଠକ ବୁଧବାର ରଣକ୍ଷେତ୍ର ପାଲଟିଛି। ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ପୁଲିସ ମରଣାନ୍ତକ ଆକ୍ରମଣ କରିବା ଫଳରେ ୩ ଜଣ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଆହତ ହୋଇ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ୍‌ କଲେଜରେ ଭର୍ତ୍ତି ହୋଇଛନ୍ତି।

ପଞ୍ଚାୟତିରାଜ ପ୍ରତିନିଧିଙ୍କୁ ଜିଲ୍ଲାପାଳ କରିଥିବା ଦୁର୍ବ୍ୟବହାର ଓ ଅପମାନସୂଚକ ମନ୍ତବ୍ୟ ପାଇଁ ଆଜି ଜିଲ୍ଲା ପରିଷଦ ବୈଠକ ଆରମ୍ଭ ହେବାମାତ୍ରେ ଉପସ୍ଥିତ ପଞ୍ଚାୟତିରାଜ ପ୍ରତିନିଧିମାନେ ଜିଲ୍ଲାପାଳଙ୍କୁ ପ୍ରଥମେ କ୍ଷମା ମାଗିବାକୁ ଅଡ଼ି ବସିଥିଲେ। ଜିଲ୍ଲାପାଳ ଜିଲ୍ଳାର ସମସ୍ତ ପଞ୍ଚାୟତିରାଜ ଓ ନିର୍ବାଚିତ ଜନପ୍ରତିନିଧିଙ୍କୁ ଦୁର୍ବ୍ୟବହାର କରିବା ସହ ବିଭିନ୍ନ ସମୟରେ ଅପମାନ ଦେଉଛନ୍ତି ଏବଂ ନିର୍ବାଚିତ ପ୍ରତିନିଧିଙ୍କୁ ଗୌଣ କରି ନିଜେ ରାଜନୀତି କରୁଛନ୍ତି ବୋଲି ଅଭିଯୋଗ କରି କ୍ଷମା ମାଗିବାକୁ ପ୍ରତିନିଧିମାନେ ଦାବି କରିଥିଲେ। ମାତ୍ର ଜିଲ୍ଳାପାଳ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିବାରୁ ପ୍ରତିନିଧିମାନେ ଗୃହ ମଧ୍ୟରେ ହଟ୍ଟଗୋଳ କରିଥିଲେ।

ବିଜେପିବିଜେଡ଼ି ରାଜନୀତି ସରଗରମ

ଏହାପରେ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ଗୃହ ବାହାରକୁ ଆସି ଧାରଣାରେ ବସିଥିଲେ। ମାତ୍ର ଜିଲ୍ଲା ପ୍ରଶାସନ ନିର୍ଦ୍ଦେଶରେ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପଞ୍ଚାୟତିରାଜ ପ୍ରତିନିଧିମାନଙ୍କ ଉପରେ ଦମନଲୀଳା ଆରଂଭ କରିଦେଇଥିଲା। ପୁଲିସ ମାଡ଼ରେ ଆହତ ହୋଇ ମେଡ଼ିକାଲରେ ଭର୍ତ୍ତି ହୋଇଥିବା ୩ ଜଣ ଜିଲ୍ଲା ପରିଷଦ ସଦସ୍ୟମାନେ ହେଉଛନ୍ତି କୁସୁମୀ ୧୦ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସାରିନା ହେମ୍ବ୍ରମ୍‌, ଶ୍ୟାମାଖୁଣ୍ଟା ୪୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟା ଗୀତା ହେମ୍ବ୍ରମ୍‌ ଏବଂ କରଞ୍ଜିଆ ୭ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟ ସମାଇ ପୂର୍ତ୍ତି। ଏମାନଙ୍କ ମଧ୍ୟରୁ ଗୀତା ହେମ୍ବ୍ରମଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି। ଏମାନେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଗେଟ୍‌ ସାମ୍‌ନାରେ ଧାରଣାରେ ବସିଥିବା ସହ ଜିଲ୍ଲାପାଳଙ୍କ ବିରୋଧରେ ବିକ୍ଷୋଭ ପ୍ରଦର୍ଶନ କରୁଥିବାବେଳେ ଜିଲ୍ଲାପାଳ, ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏବଂ ସେମାନଙ୍କ ବିଜେଡ଼ି ସମର୍ଥକମାନେ ଜୋର ଜବରଦସ୍ତ ଆନ୍ଦୋଳନକାରୀ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଉପରେ ଚଢ଼ି ଯାଇଥିଲେ ଏବଂ ଏହାପରେ ପୁଲିସ ଜୋରଜବରଦସ୍ତ ପ୍ରତିନିଧିମାନଙ୍କୁ ବାହାରକୁ ଫିଙ୍ଗିଦେଇଥିଲେ। ଏହାଫଳରେ ଗୀତା ହେମ୍ବ୍ରମ୍‌ ନାମକ ଜିଲ୍ଲା ପରିଷଦ ସଦସ୍ୟା ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ। ତୁରନ୍ତ ତାଙ୍କୁ ଏବଂ ଅନ୍ୟ ୨ ଆହତଙ୍କୁ ପଣ୍ଡିତ ରଘୁନାଥ ମୁର୍ମୁ ମେଡ଼ିକାଲ କଲେଜକୁ ନିଆଯାଇଥିଲା। ଏହାପରେ ଏକପ୍ରକାର ଜିଲ୍ଳା ପରିଷଦ ବୈଠକ ବାତିଲ୍‌ ହୋଇଯାଇଥିଲା। ମାତ୍ର ଏହାର ଦୀର୍ଘ ସମୟ ପରେ ଜିଲ୍ଲାପାଳ ଏବଂ ବାଙ୍ଗିରିପୋଷି ବିଧାୟକ ସୁଦାମ ମାରାଣ୍ଡିଙ୍କ ଉଦ୍ୟମରେ ମାତ୍ର ୫ ଜଣ ସଦସ୍ୟଙ୍କୁ ନେଇ ବୈଠକ କରାଯାଇଥିଲା। ସବୁଠୁ ଦୁର୍ଭାଗ୍ୟଜନକ ବିଷୟ, ଅପରାହ୍ନରେ ଜିଲ୍ଲା ପରିଷଦର ବୈଧାନିକ ମୁଖ୍ୟ ଜିଲ୍ଲା ପରିଷଦ ସଭାପତି ଏବଂ ଶତକଡ଼ା ୯୮ ପ୍ରତିଶତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟାଙ୍କ ଉପସ୍ଥିତି ବିନା ଜିଲ୍ଲାପାଳ ଶ୍ରୀ ମିନା ଜିଲ୍ଲା ପରିଷଦ ବୈଠକ କରିଥିଲେ।

ବିଜେପି ହାତରେ ୪୯ ଜିଲ୍ଲା ପରିଷଦ ସଦସ୍ୟ
ସୂଚନାଯୋଗ୍ୟ, ଚଳିତ ଜିଲ୍ଲା ପରିଷଦରେ ମୋଟ ୫୬ ଜିଲ୍ଲା ପରିଷଦ ସଦସ୍ୟଙ୍କ ମଧ୍ୟରୁ ବିଜେପି ହାତରେ ୪୯ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା ଥିଲାବେଳେ ଅଧିକାଂଶ ବ୍ଲକ୍‌ ସଭାପତି ମଧ୍ୟ ବିଜେପିର ଅଛନ୍ତି। ସମସ୍ତ ବିଜେପି ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ୍‌ ଚେୟାରମ୍ୟାନ୍‌ ଏବଂ କିଛି ଶାସକ ଦଳର ବ୍ଲକ୍‌ ଅଧ୍ୟକ୍ଷ ମଧ୍ୟ ଆଜିର ବୈଠକକୁ ବର୍ଜନ କରିଛନ୍ତି। କୁଳିଅଣା ବ୍ଲକ୍‌ ଚେୟାରମ୍ୟାନ୍‌ କୃଷ୍ଣଚନ୍ଦ୍ର ନାଏକଙ୍କ ଅଭିଯୋଗ ଅନୁଯାୟୀ, ଗତ କୁଳିଅଣା ବ୍ଲକ୍‌ ମିଟିଂରେ ତାଙ୍କୁ ଜିଲ୍ଲାପାଳ ଭରା ସଭାରେ ଅପମାନିତ କରିବା ସହ ଦୁର୍ବ୍ୟବହାର କରିଥିଲେ। ସେହିଭଳି ଗାପବନ୍ଧୁନଗର ୧୪ ନମ୍ବର ଜିଲ୍ଲା ପରିଷଦ ସଦସ୍ୟା ଜୟନ୍ତୀଲତା ସିଂ, ବାରିପଦା ବ୍ଲକ୍‌ ଅଧ୍ୟକ୍ଷା ପାର୍ବତୀ ହେମ୍ବ୍ରମ୍‌, ଶ୍ୟାମାଖୁଣ୍ଟା ୪୯ ନମ୍ବର ଜିଲ୍ଲା ପରିଷଦ ଜୋନ୍‌ର ସଦସ୍ୟା ଗୀତା ହେମ୍ବ୍ରମ୍‌ ପ୍ରମୁଖ ଜିଲ୍ଲାପାଳଙ୍କ ବିରୋଧରେ ସମାନ ଅଭିଯୋଗ ଆଣିଥିଲେ। ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷାମାନେ ତୁରନ୍ତ ଜିଲ୍ଳାପାଳଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ବଦଳି କରିବାକୁ ଦାବି କରିଛନ୍ତି। ଏହାକୁ ନେଇ ଏବେ ରାଜନୀତି ବେଶ ସରଗରମ ହୋଇ ଉଠିଛି।

ମୟୂରଭଞ୍ଜ ଜିଲ୍ଲା ପରିଷଦର ଚତୁର୍ଥ ବୈଠକ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ ଗୃହରେ ସକାଳ ୧୦ଟାରେ ଅନୁଷ୍ଠିତ ହେବାର ଥିଲା। ଉଚିତ୍‌ ସମୟରେ ବୈଠକ ସ୍ଥଳରେ ଜିଲ୍ଲାପାଳ ସୁରେନ୍ଦ୍ର କୁମାର ମୀନା, ଜିଲ୍ଲା ପରିଷଦ ସଭାପତି ସୁଜାତା ମୁର୍ମୁ, ସାଂସଦ ସରୋଜିନୀ ହେମ୍ବ୍ରମ୍‌, ବାଙ୍ଗିରିପୋଷି ବିଧାୟକ ସୁୁଦାମ ମାରାଣ୍ଡି, ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ, ସାରସକଣା ବିଧାୟକ ଭାଦବ ହାଁସଦା ଏବଂ ସମସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ୍‌ ଅଧ୍ୟକ୍ଷ ଏବଂ ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନେ ଉପସ୍ଥିତ ହୋଇଯାଇଥିଲେ। ମାତ୍ର ବୈଠକ ଆରମ୍ଭ ହେବା ପୂର୍ବରୁ ଏକ ସମୟରେ ସସସ୍ତ ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟା, ବ୍ଲକ୍‌ ଅଧ୍ୟକ୍ଷ, ଅଧ୍ୟକ୍ଷା ଜିଲ୍ଲାପାଳଙ୍କ ଦୁର୍ବ୍ୟବହାର ପାଇଁ କ୍ଷମା ମାଗିବା ଦାବିରେ ଗୃହ ମଧ୍ୟରେ ହଟ୍ଟଗୋଳ ଆରଂଭ କରିଦେଇଥିଲେ। ଅତୀତରେ ଜିଲ୍ଲାପାଳ ଶ୍ରୀ ମିନା ଜିଲ୍ଲା ପରିଷଦ ସଦସ୍ୟ, ସଦସ୍ୟାଙ୍କ ସମେତ ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧିଙ୍କୁ କରିଥିବା ଦୁର୍ବ୍ୟବହାର ପାଇଁ କ୍ଷମା ମାଗିଲେ ବୈଠକ ହେବ, ନଚେତ ବୈଠକ ବର୍ଜନ କରାଯିବ ବୋଲି ଦାବି କରି ସମସ୍ତ ପଞ୍ଚାୟତିରାଜ ପ୍ରତିନିଧିମାନେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଫାଟକ ନିକଟରେ ବିକ୍ଷୋଭ କରିବା ସହ ଅନଶନରେ ବସିଥିଲେ। ଏହି ସମୟରେ ଜିଲ୍ଲା ପ୍ରଶାସନ ଓ କିଛି ଶାସକ ବିଜେଡ଼ି ଦଳର ନେତାଙ୍କ ଇଙ୍ଗିତରେ ପୁଲିସ ଗୁଣ୍ଡାବାହିନୀ ପଞ୍ଚାୟତିରାଜ ପ୍ରତିନିଧିଙ୍କ ଉପରେ ଦମନଲୀଳା ଚଳାଇଥିଲେ ବୋଲି କୁଳିଅଣା ବ୍ଲକ୍‌ ଅଧ୍ୟକ୍ଷ କୃଷ୍ଣଚନ୍ଦ୍ର ନାଏକ ପ୍ରକାଶ କରିଛନ୍ତି। ତୁରନ୍ତ ଜିଲ୍ଲାପାଳଙ୍କୁ ବଦଳି କରା ନଗଲେ କୌଣସି କାର୍ଯ୍ୟରେ ପ୍ରଶାସନକୁ ସହଯୋଗ କରାଯିବ ନାହିିଁ ବୋଲି ଶ୍ରୀ ନାଏକ ସୂଚନା ଦେଇଛନ୍ତି। ଅପରପକ୍ଷେ, ଏହି ଘଟଣାକୁ ନେଇ ସରକାରୀ କର୍ମଚାରୀ ଓ ପ୍ରାଶାସନିକ ଅଧିକାରୀମାନେ ଜିଲ୍ଲାପାଳଙ୍କୁ ସମର୍ଥନ କରି ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏହାକୁ ନେଇ ଏବେ ମୟୂରଭଞ୍ଜ ଜିଲ୍ଲାରେ ପଞ୍ଚାୟତିରାଜ ନିର୍ବାଚିତ ପ୍ରତିନିଧି ଏବଂ ଜିଲ୍ଲା ପ୍ରଶାସନା ମୁହାଁମୁହିିଁ ହୋଇଛନ୍ତି।

ସମ୍ବନ୍ଧିତ ଖବର