ସୁନ୍ଦରଗଡ଼ରେ ତ୍ରିମୁଖୀ ପ୍ରତିଯୋଗିତା ଥୟ : ଜୁଏଲ୍‌ଙ୍କୁ କଡା ଟକ୍କର ଦେବେ ସୁନୀତା ଓ ଜର୍ଜ

ଭୁବନେଶ୍ୱର( ସୁବ୍ରତ ଦାସ) : ସୁନ୍ଦରଗଡ଼ ଲୋକସଭା ନିର୍ବାଚନ ମଣ୍ଡଳୀରେ ଆଉ ୩ ଦିନ ପରେ ପ୍ରାର୍ଥୀମାନଙ୍କର ଭାଗ୍ୟ ନିର୍ଦ୍ଧାରଣ ହେବ। ସେଥିପାଇଁ କିଏ କାହାକୁ ଚିତ୍‌ କରିବ ପ୍ରମୁଖ ଦଳ ପକ୍ଷରୁ ପ୍ରାଣମୂର୍ଚ୍ଛା ଉଦ୍ୟମ ଆରମ୍ଭ ହୋଇ ଯାଇଛି।

ଏଥର ନିର୍ବାଚନ ମଇଦାନରେ ଶାସକ ବିଜୁ ଜନତା ଦଳ ପକ୍ଷରୁ ଅବତୀର୍ଣ୍ଣ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ହେମାନନ୍ଦ ବିଶ୍ୱାଳଙ୍କ ଜ୍ୟୋଷ୍ଠା କନ୍ୟା ସୁନୀତା ବିଶ୍ୱାଳ। କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ୍‌ ଓରାମ୍‌, ଯିଏ କି ବର୍ତ୍ତମାନ ଏଠାକାର ସାଂସଦ ଅଛନ୍ତି, ସେ ପୁଣି ଥରେ ଜିତିବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଛନ୍ତି। ସେମାନଙ୍କ ବିପକ୍ଷରେ ଲଢୁଛନ୍ତି ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀ, ଯିଏ କି ଗତ କିଛି ମାସ ତଳେ କଂଗ୍ରେସରେ ଯୋଗ ଦେଇଛନ୍ତି। ଜିଲ୍ଲାର ଆଦିବାସୀଙ୍କ ଉପରେ ତାଙ୍କର ବେଶ୍‌ ପ୍ରଭାବ ରହିଛି।

ସୁନ୍ଦରଗଡ଼କୁ ପ୍ରଚାର ପାଇଁ ସବୁ ପ୍ରମୁଖ ଦଳର ଷ୍ଟାର୍‌ ପ୍ରଚାରକ ଆସି ସାରିଲେଣି। ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ନିର୍ବାଚନ ମଣ୍ଡଳୀରେ ମାରାଥନ୍‌ ପ୍ରଚାର କରିବା ସାଂଗକୁ ଇସ୍ପାତନଗରୀ ରାଉରକେଲାଠାରେ ରୋଡ୍‌ ସୋ’ କରିଛନ୍ତି। ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୁନ୍ଦରଗଡ଼ ଗସ୍ତରେ ଆସି ପ୍ରଚାର କରିଗଲେଣି। କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଗତ ଫେବୃୟାରୀ ମାସରେ ରାଉରକେଲା ଗସ୍ତ କରିଥିଲେ।

ଗତଥର ମଧ୍ୟ ସୁନ୍ଦରଗଡ଼ ଲୋକସଭା ନିର୍ବାଚନମଣ୍ଡଳୀରେ ଘମାଘୋଟ ଲଢେଇ ହୋଇଥିଲା। କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ୍‌ ମାତ୍ର ୧୮୮୨ ଟି ଭୋଟ୍‌ରେ ବିଜୁ ଜନତା ଦଳ ପ୍ରାର୍ଥୀ ତଥା ଭାରତୀୟ ହକି ଦଳର ପୂର୍ବତନ କପ୍ତାନ୍‌ ଦିଲ୍ଲୀପ ତିର୍କୀଙ୍କୁ ହରାଇ ଥିଲେ। କଂଗ୍ରେସ ପ୍ରାର୍ଥୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳ ୨ଲକ୍ଷ ୬୯ହଜାର ୩୩୫ ଖଣ୍ଡ ଭୋଟ୍‌ ପାଇ ତୃତୀୟ ସ୍ଥାନରେ ରହିଥିଲେ।

ଏଠାରେ ବିଚିତ୍ର ପରିସ୍ଥିତି ପରିଲକ୍ଷିତ ହେଉଛି। ଶ୍ରୀ ବିଶ୍ୱାଳଙ୍କ ଜ୍ୟୋଷ୍ଠା କନ୍ୟା ସୁନୀତା ବିଜୁ  ଜନତା ଦଳରେ ଯୋଗଦେଇ ପ୍ରାର୍ଥୀ ହୋଇଥିବାରୁ ଏହି ବରିଷ୍ଠ କଂଗ୍ରେସ ନେତାଙ୍କ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି ହୋଇଛି। ତେବେ, ଶ୍ରୀ ବିଶ୍ୱାଳଙ୍କ କନିଷ୍ଠା କନ୍ୟା ଅନୀତା କଂଗ୍ରେସ ଦଳରୁ ସୁନ୍ଦରଗଡ଼ ବିଧାନସଭା ଆସନରୁ ଲଢୁଛନ୍ତି ଓ ତାଙ୍କ ସପକ୍ଷରେ ହେମାନନ୍ଦ ପ୍ରଚାର କରୁଛନ୍ତି।

ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ ଜୁଏଲ୍‌ ଓରାମ୍‌ଙ୍କ ପାଇଁ ଭାଗ୍ୟଦେବୀ ଏବେ ଟିକେ ସଦୟ ହୋଇଛନ୍ତି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ରାରକେଲାର ବିଧାୟକ ଦିଲ୍ଳୀପ ରାୟ ଗତ ନଭେମ୍ବର ୩୦ ତାରିଖରେ ଇସ୍ତଫା ଦେବା ପରେ ଏବଂ ବିଜୁ ଜନତା ଦଳ ମୁହାଁ ହେବା ପରେ ଶ୍ରୀ ଓରାମ୍‌ ଅଡୁଆ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ତେବେ,ନିକଟରେ ଶ୍ରୀ ରାୟ ବ୍ରାହ୍ମଣୀ ସେତୁ ଏବଂ ସୁପର୍‌ ସ୍ପେସିଆଲଟି ହସ୍ପିଟାଲ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଦେବା ପରେ ତାଙ୍କର ଆଭିମୁଖ୍ୟ ବଦଳିଥିବା ପରିଲକ୍ଷିତ ହୋଇଛି। ଶ୍ରୀରାୟ ଆନୁଷ୍ଠନିକ ଭାବେ ଦଳକୁ ଫେରି ନଥିବା ବେଳେ ତାଙ୍କର ସମର୍ଥକମାନେ ଭାରତୀୟ ଜନତା ପାର୍ଟିକୁ ସମର୍ଥନ କରୁଥିବା ଜଣାଯାଇଛି। ତା’ଛଡା ବିଶିଷ୍ଟ ଆଦିବାସୀ ଓ ନେତ୍ରୀ କୁସୁମ ଟେଟେ ବିଜୁ ଜନତା ଦଳ ଛାଡ଼ି ସୁନ୍ଦରଗଡ଼ ବିଧାନସଭା ଆସନରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି।

ଅନ୍ୟ ପକ୍ଷରେ ଏଥର କଂଗ୍ରେସ ପ୍ରାର୍ଥୀ ଏବଂ ବିଶିଷ୍ଟ ଆଦିବାସୀ ନେତା ଜର୍ଜ ତିର୍କୀ କଡ଼ା ଟକ୍କର ଦେଉଛନ୍ତି। ତିର୍କୀଙ୍କର ଆଦିବାସୀ ସଂପ୍ରଦାୟ ଉପରେ ବେଶ ପ୍ରଭାବ ରହିଛି। ତାଙ୍କର ଆଦିବାସୀମାନେ ଏହି ଅଞ୍ଚଳର ମୂଳ ଅଧିବାସୀ ସ୍ଲୋଗାନ୍‌ ଜୋର ହେଉଥିବା ସୂଚନା ମିଳିଛି।

ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମାଝୀ (Naveen Patnaik .com)

ତଳସରାରୁ ବାରମ୍ବାର ନିର୍ବାଚିତ ହେଉଥିବା ଡାକ୍ତର ପ୍ରଫୁଲ୍ଲ ଚନ୍ଦ୍ର ମାଝୀ ପୁଣି ଏଥର ଲଢୁଛନ୍ତି। ତା’ଛଡା ଜର୍ଜ ତିର୍କୀଙ୍କର ପୁଅ ରୋହିତ ଯୋଶେଫ୍‌ ତିର୍କୀ ବୀରମିତ୍ରପୁର ବିଧାନସଭା ଆସନରୁ ଏଥର କଂଗ୍ରେସ ପ୍ରାର୍ଥୀ ହୋଇଛନ୍ତି। ଏହାଛଡା କଂଗ୍ରେସ,ବାମପନ୍ଥୀ ଦଳ ଓ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ମଧ୍ୟରେ ଆସନ ବୁଝାମଣା ଦଳ ପାଇଁ ସହାୟକ ହେବ ବୋଲି କୁହାଯାଉଛି। ସିପିଏମ୍‌ର ଏକମାତ୍ର ବିଧାୟକ ପ୍ରାର୍ଥୀ ଲକ୍ଷ୍ମଣ ମୁଣ୍ଡାଙ୍କୁ କଂଗ୍ରେସ ବଣାଇ ଆସନ ଛାଡ଼ି ଦେଇଛି। ତେଣୁ କଂଗ୍ରେସ ଓ ବାମପନ୍ଥୀ ଦଳ ମଧ୍ୟରେ ଭୋଟ ବିଭାଜନ ରୋକାଯାଇପାରିବ ବୋଲି ସି.ପିଏମ୍‌ ରାଜ୍ୟ ସଂପାଦକ ଅଳି କିଶୋର ପଟ୍ଟନାୟକ କହିଛନ୍ତି।

ତେବେ ଶାସକ ବିଜୁ ଜନତା ଦଳ ଏଥର ସୁନ୍ଦରଗଡ଼ ଲୋକସଭା ଆସନ ଭାରତୀୟ ଜନତା ପାର୍ଟି ହାତରୁ ଛଡ଼ାଇ ନେବେ ବୋଲି ଦୃଢ ଆଶାବାଦୀ। ସୁନ୍ଦରଗଡ଼ ‘ହକିର ଏନ୍ତୁଡ଼ିଶାଳ’ ବୋଲି ବିବେଚନା କରାଯାଏ। ଗତ ବର୍ଷ ସଫଳତାର ସହ ହକି ବିଶ୍ୱକପ୍‌ ଓଡ଼ିଶାରେ ଆୟୋଜନ କରି ନବୀନ ପଟ୍ଟନାୟକ ସରକାର ବହୁ ପ୍ରଶଂସା ପାଇଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁନ୍ଦରଗଡ଼ ଜିଳ୍ଲାରେ ନିର୍ବାଚନ ପ୍ରଚାର କରିବା ବେଳେ ଏହାର ଉଲ୍ଲେଖ କରିଛନ୍ତି। ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କର କଂଗ୍ରେସରୁ ଦଳଡିଆଁ ମଧ୍ୟ ବିଜୁ ଜନତା ଦଳକୁ ସାହାଯ୍ୟ କରିବ ବୋଲି ଦଳୀୟ କର୍ମକର୍ତ୍ତାମାନେ ଆଶା ବାନ୍ଧିଛନ୍ତି।

ସମ୍ବନ୍ଧିତ ଖବର