ଅଗଷ୍ଟ ୯ରେ ଭୁବନେଶ୍ୱରରେ ଆଦିବାସୀ ପ୍ରତିନିଧି ସମାବେଶ

ଭୁବନେଶ୍ୱର : ଅଗଷ୍ଟ ୯ ତାରିଖରେ ବିଶ୍ୱ ଆଦିବାସୀ ଦିବସ ଅବସରରେ ବିଜେଡି ଆଦିବାସୀ ସାମ୍ମୁଖ୍ୟ ରାଜ୍ୟସ୍ତରୀୟ ଆଦିବାସୀ ପ୍ରତିନିଧି ସମାବେଶ କରିବ। ସ୍ଥାନୀୟ ୟୁନିଟ୍‌-୧ରେ ଥିବା ଆଦିବାସୀ ପଡିଆରେ ଏହି ସମାବେଶ କରାଯିବ। ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗଦେବେ। ଆଜି ସାମ୍ମୁଖ୍ୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆଯାଇଛି।

ବିଜେଡି ଜନଜାତି ସାମ୍ମୁଖ୍ୟ ପକ୍ଷରୁ ରାଜ୍ୟ ଆବାହକ ସୁଦାମ ମାରାଣ୍ଡି, ଉପସଭାପତି ସାଂସଦ ବଳଭଦ୍ର ମାଝୀ, ସାଂସଦ ଝିନ୍ନ ହିକ୍‌କା ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ, ଏହି ସମାବେଶ ପରେ ପରେ ପର୍ଯ୍ୟାୟ କ୍ରମେ ଅଗଷ୍ଟ ୧୩ ତାରିଖ ମଧ୍ୟରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲାରେ ଜିଲ୍ଲାସ୍ତରୀୟ ସମାବେଶ ପାଳନ କରାଯିବ।

ବିଜେଡି ପକ୍ଷରୁ କୁହାଯାଇଛି, ରାଜ୍ୟରେ ମୋଟ ୬୨ଗୋଟି ଅନୁସୂଚିତ ଜନଜାତି ସଂପ୍ରଦାୟର ଅଧିବାସୀ ବସବାସ କରନ୍ତି। ଏମାନଙ୍କ ମଧ୍ୟରେ ୧୩ଗୋଟି ଆଦିମ ଜନଜାତି ଅନ୍ତର୍ଭୁକ୍ତ। ଜନଜାତି ସଂସ୍କୃତି ଓ ପ୍ରଗତିକୁ ଗୁରୁତ୍ୱ ଦେଇ ମୁଖ୍ୟମନ୍ତ୍ରୀ ଇତିମଧ୍ୟରେ ଅନେକ ଯୋଜନା-କାର୍ଯ୍ୟକ୍ରମ, ନୀତି ଓ ଆଇନ୍‌ ପ୍ରଣୟନ କରିଛନ୍ତି। ବିଶେଷକରି ଜନଜାତି ସଂସ୍କୃତି, ପରମ୍ପରା, ଐତିହ୍ୟ ଏବଂ ପରିଚୟର ସୁରକ୍ଷା ସହିତ ସାମଗ୍ରିକ ବିକାଶ ଲକ୍ଷ୍ୟରେ ସରକାର ୯ଟି ଆଦିବାସୀ ବହୁଳ ଜିଲ୍ଲାରେ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଛନ୍ତି। ଏହା ସାରା ଦେଶରେ ଉଦାହରଣ ସୃଷ୍ଟି କରିଛ।

ଏହି କ୍ରମରେ ବିଜେଡି ନିଷ୍ପତ୍ତି ନେଇଛି, ଅଗଷ୍ଟ ୯ ତାରିଖରେ ବିଶାଳ ସମାବେଶ କରିବ। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଆସିଥିବା ଆଦିବାସୀ ପ୍ରତିନିଧିଙ୍କୁ ଏହି ଅବସରରେ ସମ୍ବୋଧିତ କରାଯିବ ବୋଲି ନେତାମାନେ କହିଥିଲେ।

ସମ୍ବନ୍ଧିତ ଖବର