ଫେବ୍ରୁଆରି ୧୮ରେ ତ୍ରିପୁରା, ୨୭ରେ ମେଘାଳୟ ଓ ନାଗାଲାଣ୍ଡ୍‌ ନିର୍ବାଚନ

ମାର୍ଚ୍ଚ ୩ରେ ଫଳାଫଳ

ନୂଆଦିଲ୍ଲୀ: ତ୍ରିପୁରା, ମେଘାଳୟ ଏବଂ ନାଗାଲାଣ୍ଡ୍‌ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟ ନିର୍ବାଚନ ଆୟୁକ୍ତ (ସିଇସି) ଏକେ ଜୋତି ଆଜି ତାରିଖ ଘୋଷଣା କରିଛନ୍ତି। ସେଥି ମଧ୍ୟରୁ ତ୍ରିପୁରାରେ ଆସନ୍ତା ଫେବ୍ରୁଆରି ୧୮ ତାରିଖରେ ଏବଂ ମେଘାଳୟ ଓ ନାଗାଲାଣ୍ଡ୍‌ରେ ଫେବ୍ରୁଆରି ୨୭ ତାରିଖରେ ମତଦାନ ହେବ ବୋଲି କୁହାଯାଇଛି। ସେହିପରି ତିନିଟି ଯାକ ରାଜ୍ୟର ନିର୍ବାଚନ ଫଳାଫଳ ମାର୍ଚ୍ଚ ୩ ତାରିଖରେ ପ୍ରକାଶ ପାଇବ ବୋଲି ମଧ୍ୟ ସିଇସି ସ୍ପଷ୍ଟ କରିଛନ୍ତି। ରାଜଧାନୀ ଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍‌ବୋଧନ ଦେଇ ଜୋତି କହିଛନ୍ତି ଯେ ମେଘାଳୟ, ନାଗାଲାଣ୍ଡ୍‌ ଏବଂ ତ୍ରିପୁରାରେ ସମସ୍ତ ଆସନ ଲାଗି ନିର୍ବାଚନ ହେବ। ତିନିଟି ଯାକ ରାଜ୍ୟରେ ମଧ୍ୟ ମତଗ୍ରହଣ ପାଇଁ ଇଭିଏମ୍‌ ଏବଂ ଭିଭିପିଏଟିର ବ୍ୟବହାର କରାଯିବ। ଏଥିଲାଗି ପ୍ରାଥମିକ ପରୀକ୍ଷାମୂଳକ ଯାଞ୍ଚ ସରିଯାଇଛି। ଆଜିର ଏହି ଘୋଷଣା ସହିତ ସଂପୃକ୍ତ ତିନି ରାଜ୍ୟରେ ଆଜିଠାରୁ ଆଦର୍ଶ ନିର୍ବାଚନ ଆଚରଣ ବିଧି ମଧ୍ୟ ଲାଗୁ ହେଲା ବୋଲି ସିଇସି କହିଛନ୍ତି।
ଉଲ୍ଲେଖଯାଗ୍ୟ, ଏହି ତିନିଟି ଯାକ ରାଜ୍ୟର ବିଧାନସଭା ସମାନ ସଂଖ୍ୟକ ୬୦ ଆସନକୁ ନେଇ ଗଠିତ। ଚଳିତ ମେଘାଳୟ ବିଧାନସଭାର କାର୍ଯ୍ୟକାଳ ମାର୍ଚ୍ଚ ୬ରେ ସରୁଥିବା ବେଳେ ନାଗାଲାଣ୍ଡ୍‌ ଓ ତ୍ରିପୁରା ବିଧାନସଭାର କାର୍ଯ୍ୟକାଳ ଯଥାକ୍ରମେ ମାର୍ଚ୍ଚ ୧୩ ଏବଂ ୧୪ରେ ସରୁଛି।

ସମ୍ବନ୍ଧିତ ଖବର