ସମ୍ବଲପୁରରେ କାରକେଡ ଯାଞ୍ଚକୁ ବିରୋଧ କଲେ ଧର୍ମେନ୍ଦ୍ର; ରାସ୍ତା ମଝିରେ ପୁଲିସ-କେନ୍ଦ୍ରମନ୍ତ୍ରୀ କଥା କଟାକଟି

ସମ୍ବଲପୁର :  ଗତକାଲି ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ଯୁକ୍ତି ତର୍କ ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଆଉ ଏହାର ଭିଡ଼ିଓ ମଧ୍ୟ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କାରକେଡକୁ ଯାଂଚ କରିବାକୁ ଚାହିଁଥିଲେ ସ୍ଥାନୀୟ ପୋଲିସ ଅଧିକାରୀ । କିନ୍ତୁ ଧର୍ମେନ୍ଦ୍ର ପୁଲିସ ଅଧିକାରୀଙ୍କ ଯାଂଚକୁ ବିରୋଧ କରିବା ବେଳେ ଏଭଳି  କ୍ଷୁବ୍ଧ ହୋଇଯାଇଥିଲେ କି  ସେମାନେ ମୁଖ୍ୟମନ୍ତ୍ରୀଙ୍କ କାରକେଡକୁ ଯାଂଚ କରୁଛନ୍ତି କି ବୋଲି ପ୍ରଶ୍ନ କରିଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। 

ସେପଟେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଶ୍ନର ଉତ୍ତରରେ ପୁଲିସ ଅଧିକାରୀମାନେ କହିଥିଲେ, କି ସେମାନେ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁସାରେ କାର୍ଯ୍ୟ କରୁଛନ୍ତି । ବାସ ଏହାପରେ କ୍ଷୁବ୍ଧ ହୋଇପଡ଼ିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଉ ପୁଲିସ ଅଧିକାରୀଙ୍କ କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇ ଆରମ୍ଭ କରିଥିଲେ ଯୁକ୍ତି ତର୍କ ବୋଲି ସ୍ଥାନୀୟ ଲୋକମାନେ କହିଛନ୍ତି ।

ଅନ୍ୟପଟେ ଧର୍ମେନ୍ଦ୍ରଙ୍କ ଏଭଳି ଆଚରଣ ନେଇ ବିଭିନ୍ନ ବୁଦ୍ଧିଜୀବୀ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଇଛି । କାରଣ ପୂର୍ବରୁ ମଧ୍ୟ ହିଞ୍ଜିଳି ବିଧାନସଭା ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଓ ପୁଲିସ ମଧ୍ୟରେ ହୋଇଥିବା କଥା କଟାକଟି ରାଜ୍ୟ ରାଜନୀତିକୁ ଉଷ୍ମ କରିଥିବାବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପୁଲିସ ସହ ଯୁକ୍ତି ତର୍କ ରାଜନୀତି ପାରଦ ଅଧିକ ବଢ଼ାଇ ଦେଇଛି।

ସମ୍ବନ୍ଧିତ ଖବର