ଓଡ଼ିଶାରୁ କଂଗ୍ରେସକୁ ଟାର୍ଗେଟ୍ କଲେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ : କହିଲେ ‘ରାଫେଲ୍ ଡିଲ ପ୍ରସଙ୍ଗରେ ଭୁଲ ମାଗନ୍ତୁ ରାହୁଲ’

ଭୁବନେଶ୍ବର:  ରାଫେଲ ଚୁକ୍ତିରେ କୌଣସି ଅନିୟମିତତା ହୋଇନାହିଁ ବୋଲି ସୁପ୍ରିମକୋର୍ଟଙ୍କ ମନ୍ତବ୍ୟ ପରେ ଦେଶର ରାଜନୀତି ଜୋର ଧରିଛି । ଏ ନେଇ ଦେଶର ବିଭିନ୍ନ ରାଜ୍ୟରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସକୁ ଘେରୁଛି ବିଜେପି । ଆଜି ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରି କଂଗ୍ରେସ ଓ ରାହୁଲ ଗାନ୍ଧିଙ୍କ ଉପରେ ବର୍ଷିଛନ୍ତି ବିଜେପିର ବରିଷ୍ଠ ନେତା ତଥା ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ । ସେ କହିଛନ୍ତି, ରାଫେଲ ଡିଲ ନେଇ ରାହୁଲଙ୍କ ଗାନ୍ଧିଙ୍କ ମିଛ ଧରାପଡ଼ିଯାଇଛି । ତେଣୁ ସେ କ୍ଷମା ମାଗନ୍ତୁ । ପାର୍ଲାମେଣ୍ଟରେ ଏ ନେଇ ଚର୍ଚ୍ଚା କରିବାକୁ କେନ୍ଦ୍ର ସରକାର ରାଜି ଅଛନ୍ତି ବୋଲି କହିଛନ୍ତି ବିଜୟ ରୂପାନୀ ।

ରାଫେଲ ଡିଲରେ ବଡ଼ ଦୁର୍ନୀତି ହୋଇଥିବା କଂଗ୍ରେସ ଅଭିଯୋଗ ଆଣିଥିଲା । କିନ୍ତୁ ଶୁକ୍ରବାର ଦିନ ରାଫେଲ ଡିଲ୍ ସଂପର୍କରେ ଦାୟର ହୋଇଥିବା ସମସ୍ତ ଆବେଦନ ଖାରଜ କରିଥିଲେ ସୁପ୍ରିମକୋର୍ଟ । ଏହା ସହ ରାଫେଲ ଡିଲରେ କୌଣସି ଅନିୟମିତତା ହୋଇନାହିଁ ଓ ଡିଲ୍ ମୂଲ୍ୟ ସର୍ମ୍ପକରେ ଜାଣିବା କୋର୍ଟଙ୍କ କାମ ନୁହେଁ ବୋଲି ପ୍ରଧାନ ବିଚାରପତି କହିଥିଲେ । ଏହା ପରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି ।

ଏ ପଟେ ଆଜି ଦିନିକିଆ ସୁରଟ୍ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସୁରଟରେ ଆୟୋଜିତ ଓଡ଼ିଆ ମହୋତ୍ସବରେ ଯୋଗ ଦେବା ସହ ସେଠି ଥିବା ଓଡ଼ିଆ ସଂପ୍ରଦାୟ ଲୋକଙ୍କୁ ଉଦ୍ବୋଧନ ଦେବେ ମୁଖ୍ୟମନ୍ତ୍ରୀ । ଏହି ଗସ୍ତ ପୂର୍ବରୁ ମୁଖ୍ୟମନ୍ତ୍ରୀ ସୁରାଟକୁ ସିଧାସଳଖ ରେଳ ଓ ବିମାନ ସେବା ଯୋଗାଇ ଦେବା ପାଇଁ ମଧ୍ୟ କେନ୍ଦ୍ରକୁ ଚିଠି ଲେଖି ଅନୁରୋଧ କରିଛନ୍ତି । ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ସୁରଟ ଗସ୍ତକୁ ସମାଲୋଚନା କରିଛନ୍ତି ବିରୋଧୀ ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ନିର୍ବାଚନ ଆସିବାରୁ ମନେପଡିଲା ପ୍ରବାସୀ ଓଡିଆଙ୍କ କଥା । ଏହାର ଜବାବରେ ବିଜେଡି କହିଛି, ନକାରାତ୍ମକ ରାଜନୀତି କରୁଛି ବିଜେପି । ମୁଖ୍ୟମନ୍ତ୍ରୀଙ୍କ ସୁରଟ ଗସ୍ତକୁ ନେଇ ରାଜନୀତି ହେବା ସ୍ୱାଭାବିକ୍ । କାରଣ ସୁରାଟ ସହରରେ ପ୍ରାୟ ୭ ଲକ୍ଷ ଓଡ଼ିଆ ଲୋକ, ପରିବାର ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ପ୍ରାୟ ୨ଲକ୍ଷ ଭୋଟର୍ ଅଛନ୍ତି । ଯେଉଁମାନେ ନିର୍ବାଚନ ସମୟରେ ଓଡ଼ିଶା ଆସି ମତଦାନ କରିଥାନ୍ତି ।  ସୁରାଟରେ ଥିବା ଏହି  ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ  ଅଧିକାଂଶ ଗଂଜାମ ଜିଲ୍ଲାର ବାସିନ୍ଦା । ଏମାନଙ୍କ ଭୋଟ୍ ୨୦୧୯ ନିର୍ବାଚନ ପାଇଁ ବହୁ ଗୁରୁତ୍ୱ ବହନ କରୁଛି ।

ସମ୍ବନ୍ଧିତ ଖବର