୨୦୧୪ ଅପେକ୍ଷା ୨୦୧୯ରେ ବିଜେପି ହାଓ୍ଵା ଅଧିକ: ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ: ୨୦୧୪ ଅପେକ୍ଷା ବିଜେପିର ହାଓ୍ଵା ଅଧିକ ଥିବାରୁ ୨୦୧୯ରେ ବିଜେପି ଅଧିକ ଆସନ ପାଇବ ବୋଲି ରବିବାର ଦିନ ପ୍ରଧାନମନ୍ତ୍ରୀ କହିଛନ୍ତି।

ଜମ୍ମୁ ଓ କଶ୍ମୀରର କଥୁଆ ଠାରେ ଏକ ରାଲିକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦି କହିଲେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ଲୋକେ ଭାରତରେ ଗଣତନ୍ତ୍ରର କ୍ଷମତାକୁ ପ୍ରମାଣିତ କରି ସାରିଛନ୍ତି। ସେ କହିଛନ୍ତି: ୨୦୧୪ ଠାରୁ ୨୦୧୯ରେ ହାଓ୍ଵା ଅଧିକ। ଏଥର କଂଗ୍ରେସ ଠାରୁ ବିଜେପି ତିନି ଗୁଣା ଆସନ ପାଇବ।

ଜାଲିଆଁଓ୍ଵାଲା ବାଗ ଗଣସଂହାରରେ ପୀଡ଼ିତଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ ନିମନ୍ତେ ଶନିବାର ଦିନ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେଇ ଥିବାରୁ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ ମଧ୍ୟ ସମାଲୋଚନା କରିଛନ୍ତି।

ମୋଦି କହିଲେ: ସେ କାର୍ଯ୍ୟକ୍ରମକୁ ବର୍ଜ୍ଜନ କଲେ। କାରଣ ସେ କଂଗ୍ରେସ ପରିବାରର ଭକ୍ତିରେ ବ୍ୟସ୍ତ ଥିଲେ। ସେ ନାମଜାଦାଙ୍କ ସହ ଜାଲିଆଁଓ୍ଵାଲାବାଗ୍‌ ଗଲେ, କିନ୍ତୁ ଉପରାଷ୍ଟ୍ରପତିଙ୍କ ସହ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଉଚିତ ମଣିଲେ ନାହିଁ।

ପ୍ରଧାନମନ୍ତ୍ରୀ ମୋଦି କହିଲେ, ଜମ୍ମୁ ଓ କଶ୍ମୀର ଲାଗି ଭିନ୍ନ ପ୍ରଧାନମନ୍ତ୍ରୀ କଥା କହି ବିରୋଧୀମାନେ ଲୋକମାନଙ୍କୁ ଭୟଭୀତ କରୁଛନ୍ତି। କଶ୍ମୀର ପାଇଁ ଜଣେ ପୃଥକ୍‌ ପ୍ରଧାନମନ୍ତ୍ରୀ କଥା ଉଠାଇ ଥିବା ନେସ୍‌ନାଲ୍‌ କନ୍‌ଫରେନସ୍‌ର ନେତା ଓମାର ଅବ୍ଦୁଲ୍ଲାଙ୍କୁ ସମାଲୋଚନା କରି ମୋଦି ଏ ଭଳି କହିଛନ୍ତି।

ସମ୍ବନ୍ଧିତ ଖବର