ସେ କେଉଁ ଧରଣର ହିନ୍ଦୁ? ପ୍ରଧାନମନ୍ତ୍ରୀଙ୍କ ହିନ୍ଦୁତ୍ୱକୁ ନେଇ ପ୍ରଶ୍ନ ଉଠାଇ ମୋଦିଙ୍କୁ ‘ସବ୍‌ଜାନ୍‌ତା’ କହିଲେ ରାହୁଲ

ଜୟପୁର: କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ଉଦୟପୁରଠାରେ ଏକ ଭାଷଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ହିନ୍ଦୁତ୍ୱ ଉପରେ ପ୍ରଶ୍ନ ଉଠାଇଛନ୍ତି। ସେ ଅଭିଯୋଗ ଆଣିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ହିନ୍ଦୁ ଧର୍ମର ମୂଳ କଥାକୁ ବୁଝନ୍ତି ନାହିଁ।

‘ହିନ୍ଦୁ ଧର୍ମରେ ସାର କଥା କ’ଣ? ହିନ୍ଦୁ ଧର୍ମର ମହାନ ଗ୍ରନ୍ଥ ଗୀତା କ’ଣ କହେ? ଏହି ଜ୍ଞାନ ସଭିଙ୍କ ପାଖରେ ରହିଛିି। ଏହି ଜ୍ଞାନ ଆପଣଙ୍କ ପାଖରେ ବି ଅଛି। ପ୍ରତ୍ୟେକ ଜୀବନ୍ତ ପ୍ରାଣୀ ଭିତରେ ଏ ଜ୍ଞାନ ଅଛି। ଆମ ପ୍ରଧାନମନ୍ତ୍ରୀ କହୁଛନ୍ତି କି ସେ ଜଣେ ହିନ୍ଦୁ ମାତ୍ର ସେ ହିନ୍ଦୁତ୍ୱର ମୂଳଦୁଆକୁ ବୁଝନ୍ତି ନାହିଁ। କେଉଁ ଧରଣର ହିନ୍ଦୁ ସେ?’ ବୋଲି ରାହୁଲ ପ୍ରଶ୍ନ କରିଛନ୍ତି।

କେବଳ ସେତିକି ନୁହେଁ, ରାହୁଲ ତାତ୍ସଲ୍ୟ କରି କହିଛନ୍ତି କି ମୋଦି  ‘ସବ୍‌ଜାନ୍‌ତା’, ସବୁ କିଛି ଜାଣନ୍ତି। ସୀମାରେ କ’ଣ କରିବା ଉଚିତ ତାହା ସେନାଠାରୁ ବେଶି ମୋଦି ଜାଣନ୍ତି। ବୈଦେଶିକ ମନ୍ତ୍ରାଳୟରେ କ’ଣ କରାଯିବା ଉଚିତ ତାହା ବି ବୈଦେଶିକ ମନ୍ତ୍ରୀଙ୍କ ଅପେକ୍ଷା ପ୍ରଧାନମନ୍ତ୍ରୀଙ୍କୁ ବେଶି ଜଣା। କୃଷି କ୍ଷେତ୍ରର ସମସ୍ୟା ବି କୃଷି ମନ୍ତ୍ରୀଙ୍କ ଅପେକ୍ଷା ମୋଦି ହିଁ ବେଶି ଜାଣନ୍ତି। କାହିଁକି ନା, ସେ ଭାବି ଦେଇଛନ୍ତି କି ସବୁ ଜ୍ଞାନ ତାଙ୍କରି ମସ୍ତିଷ୍କରୁ ହିଁ ଆସୁଛି।

ଉଲ୍ଲେଖଯୋଗ୍ୟ, କିଛି ଦିନ ତଳେ କଂଗ୍ରେସ ଦଳର ଭିଲଓ୍ଵାରା ସାଂସଦ ସିପି ଜୋଶି ହିନ୍ଦୁ ଧର୍ମ ସଂପର୍କରେ ଏକ ବିବାଦୀୟ ବୟାନ ଦେଇଥିଲେ। ସେ କହିଥିଲେ କି କେବଳ ବ୍ରାହ୍ମଣ ଓ ପଣ୍ଡିତମାନେ ହିଁ ହିନ୍ଦୁ ଧର୍ମ ସଂପର୍କରେ ଜାଣନ୍ତି। ତାଙ୍କର ଏ ବୟାନ ପାଇଁ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ପରେ ରାହୁଲ ତାଙ୍କୁ କ୍ଷମା ମାଗିବାକୁ କହିଥିଲେ।

ସମ୍ବନ୍ଧିତ ଖବର