ସାକ୍ଷାତକାରରେ ଦଳ ସଂପର୍କରେ ଏପରି ମନ୍ତବ୍ୟ ଦେଲେ ତଥାଗତ :‘କୌଣସି ଚିନ୍ତାଧାରାକୁ ନେଇ ବିଜେଡି ଗଠିତ ହୋଇନାହିଁ, ଏହା ୱାନ୍ ମ୍ୟାନ୍ ସୋ’

ଭୁବନେଶ୍ବର: ଇଂରାଜୀ ଖବରକାଗଜ ‘ଟାଇମ୍ସ ଅଫ୍ ଇଣ୍ଡିଆ’କୁ ସାକ୍ଷାତକାର ଦେଇ ସାଂସଦ ତଥାଗତ ସତପଥୀ ନିଜ ଦଳ ବିଷୟରେ ଦେଇଥିବା ମନ୍ତବ୍ୟ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି।  ତଥାଗତ କହିଛନ୍ତି, କୌଣସି ଚିନ୍ତାଧାରାକୁ ନେଇ ବିଜୁ ଜନତା ଦଳ ଗଠିତ ହୋଇନାହିଁ, ଏହା ୱାନ୍ ମ୍ୟାନ୍ ସୋ’ । ନବୀନ ପଟ୍ଟନାୟକଙ୍କ ଉପରେ ଦଳ ସଂପୂର୍ଣ୍ଣ ନିର୍ଭରଶୀଳ । ବାତ୍ୟା ଫନିର ମୁକାବିଲା କରିବାରେ ସରକାର ସଫଳ ହୋଇ ନାହାନ୍ତି।

ଏହି ସାକ୍ଷାତକାରରେ ତଥାଗତ ସ୍ପଷ୍ଟ ଭାବେ ମତ ରଖିଛନ୍ତି କି, ବିଜୁ ଜନତା ଦଳ ସଂପୂର୍ଣ୍ଣ ଭାବେ ନବୀନ ପଟ୍ଟନାୟକଙ୍କ ଉପରେ ନିର୍ଭରଶୀଳ । ତାଙ୍କ ଛଡ଼ା ଦଳରେ ଅନ୍ୟମାନେ ଗୁରୁତ୍ୱହୀନ ।  କୌଣସି ଚିନ୍ତାଧାରାକୁ ଆଧାର କରି ରାଜନୈତିକ ଦଳ ଭାବେ ବିଜେଡି ଗଠିତ ହୋଇନାହିଁ, ଯାହା ଦୀର୍ଘକାଳ ତିଷ୍ଠି ରହିବ ।

ଅନ୍ୟ ପକ୍ଷରେ ବିଜୁ ଜନତା ଦଳ ମୁଖପାତ୍ର ପ୍ରତାପ ଦେବ କହିଛନ୍ତି, ଖବରକାଗଜର ସଂପାଦକ ଭାବେ ଶ୍ରୀ ସତପଥୀ ଏପରି କହିଥାଇପାରନ୍ତି । ଯଦି ଜଣେ ସାଂସଦ ଭାବେ କହିଥାନ୍ତେ ତେବେ ୪ ଥର ବିଜେଡିରୁ ନିର୍ବାଚନ ଜିତିଥିବା ବେଳେ କାହିଁକି ଏପରି କହି ନଥିଲେ ବୋଲି ପ୍ରଶ୍ନ କରିଛନ୍ତି ପ୍ରତାପ ।

କେବଳ ଏତିକି ନୁହେଁ, ୨୦୨୪ରେ ସରକାର ବଦଳିବ, ନୂଆ ନେତୃତ୍ୱ ଆସିବ ବୋଲି ଭବିଷ୍ୟତବାଣୀ କରିଛନ୍ତି ତଥାଗତ । ୨୦୧୯ ନିର୍ବାଚନ, ବିଜେଡି ଓ ନବୀନ ସରକାରଙ୍କ ସଂପର୍କରେ ଅନେକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ତଥାଗତ । ଟାଇମ୍ସ ଅଫ୍ ଇଣ୍ଡିଆରେ ପ୍ରକାଶିତ ସାକ୍ଷାତକାରରେ ତଥାଗତଙ୍କୁ ଧରିତ୍ରୀ ଓ ଓଡ଼ିଶା ପୋଷ୍ଟ ଖବରକାଗଜର ସଂପାଦକ ଭାବେ ଉଲ୍ଲେଖ କରାଯାଇଛି । ତେବେ ଖବରକାଗଜର ସଂପାଦକ ଭାବେ କିମ୍ବା ଜଣେ ସାଂସଦ ଭାବେ ତଥାଗତ ଏଭଳି ମନ୍ତବ୍ୟ ଦେଇଛନ୍ତି, ଏ ନେଇ ତାଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ସମ୍ବନ୍ଧିତ ଖବର