ଦାମଙ୍କୁ କାହିଁକି ବିଦା କରାଗଲା?

ଭୁବନେଶ୍ୱର : ବରିଷ୍ଠ ନେତା ତଥା ପାରାଦୀପ ବିଧାୟକ ଦାମୋଦର ରାଉତଙ୍କୁ ବିଜେଡିରୁ ବହିଷ୍କୃତ କରାଯିବା ପରେ ଦଳ ପକ୍ଷରୁ ତାହାର କାରଣ ଦର୍ଶାଯାଇଛି। ଏଥିରେ ଦାମଙ୍କ ବିରୋଧରେ ଏକ ଲମ୍ବା ଅଭିଯୋଗର ତାଲିକା ଉପସ୍ଥାପନ କରାଯାଇଛି। କୁହାଯାଇଛି, ସେ ନିୟମିତ ଭାବେ ଦଳୀୟ ଶୃଙ୍ଖଳା ଭଙ୍ଗ କରୁଥିଲେ। ପୂର୍ବରୁ ଅଙ୍ଗନବାଡ଼ି କର୍ମୀଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେବା ସହ ବ୍ରାହ୍ମଣ ସମ୍ପଦ୍ରାୟ ଓ ଦଳିତ ସମ୍ପ୍ରଦାୟଙ୍କ ପ୍ରତି ମଧ୍ୟ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ତାଙ୍କର ଟିଟୋ ସହ ସମ୍ପର୍କକୁ ନେଇ ଜିଲ୍ଲା ନେତାମାନେ ସ୍ୱର ଉଠାଇଥିଲେ। ଶ୍ରୀ ରାଉତ ଦଳ ବିରୋଧୀ କାର୍ଯ୍ୟରେ ନିୟୋଜିତ ଥିବା ନେଇ ଗତ ଦୁଇ ଦିନ ହେଲା ବହୁ ଦଳୀୟ ନେତା ସଭାପତିଙ୍କ ନିକଟରେ ଫେରାଦ ହୋଇଥିଲେ। ଏପରିକି ତିନି ଦିନ ତଳେ ସେ ବାଲିକୁଦା-ଏରସମାରେ ବିଜେପି ଓ କଂଗ୍ରେସ ନେତାଙ୍କୁ ଭେଟିଥିବାର ଫଟୋ ମଧ୍ୟ ସଭାପତିଙ୍କୁ ଦିଆଯାଇଥିଲା।

ଦଳ ପକ୍ଷରୁ ଆହୁରି କୁହାଯାଇଛି, ଶ୍ରୀ ରାଉତଙ୍କ ଏପରି କାର୍ଯ୍ୟକଳାପ ସମ୍ପର୍କରେ ଦଳ ଅବଗତ ଥିଲା। କିନ୍ତୁ ଦଳୀୟ ଶୃଙ୍ଖଳାକୁ ମାନି ତାଙ୍କୁ ସୁଧୁରିବା ପାଇଁ ସୁଯୋଗ ଦିଆଯାଇଥିଲା। ତାଙ୍କର ଦାୟିତ୍ୱହୀନ ମନ୍ତବ୍ୟ ପାଇଁ ସେ ମନ୍ତ୍ରୀ ପଦରୁ ଓ ଉପସଭାପତି ପଦରୁ ବିଦା ହୋଇଥିଲେ ବି ଲଗାତର ଭାବେ ଦଳୀୟ ଶୃଙ୍ଖଳା ଭାଙ୍ଗି ଚାଲିଥିଲେ। ଜଣେ ବରିଷ୍ଠ ନେତା ଭାବେ ସେ ତାଙ୍କ ଅଭିଯୋଗ ଦଳୀୟ ଫୋରମ୍‌ରେ ଉଠାଇ ପାରିଥା’ନ୍ତେ। କିନ୍ତୁ ତାହା ନ କରି ଗଣମାଧ୍ୟମରେ ସେହି କଥା କହି ଦଳୀୟ ଶୃଙ୍ଖଳା ଭଙ୍ଗ କରିଛନ୍ତି। ଯେତେବେଳେ ସେ ମନ୍ତ୍ରୀ ଓ ଉପସଭାପତି ଥିଲେ, ସେତେବେଳେ ଦୁର୍ନୀତି ବିଷୟରେ ସର୍ବସାଧାରଣରେ ପଦୁଟିଏ କହି ନ ଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ଏହାକୁ ଉଠାଇବାର ଉଦ୍ଦେଶ୍ୟ କ’ଣ ବୁଝାପଡ଼ୁଛି।

ବିଳମ୍ବ ହେଲେ ବି ସ୍ୱାଗତଯୋଗ୍ୟ
ଡାକ୍ତର ଦାମୋଦର ରାଉତଙ୍କ କାର୍ଯ୍ୟକଳାପ ସୀମା ଲଂଘୁଥିଲା। ବହୁ ପୂର୍ବରୁ ତାଙ୍କୁ ଦଳରୁ ବହିଷ୍କାର କରାଯିବାର ଥିଲା। ବିଳମ୍ବରେ ପଦକ୍ଷେପ ନିଆଯାଇଥିଲେ ବି ସଭାପତିଙ୍କର ଏହା ସ୍ୱାଗତଯୋଗ୍ୟ ପଦକ୍ଷେପ।
ବିଷ୍ଣୁ ଚରଣ ଦାସ, ଜିଲ୍ଲା ବିଜେଡି ସଭାପତି, ଯୋଜନା ବୋର୍ଡ ଉପାଧ୍ୟକ୍ଷ

ଆତ୍ମସନ୍ତୋଷ ମିଳିଲା
ଯେଉଁ ଦଳକୁ ବ୍ୟବହାର କରି ଶ୍ରୀ ରାଉତ ମୋତେ ଫସାଇଥିଲେ, ଆଜି ସେହି ଦଳ ତାଙ୍କୁ ବିତାଡ଼ିତ କରିଛି। ଆଉ ଏକ ଗୁରୁତ୍ଵପୂର୍ଣ୍ଣ କଥା ହେଲା ତାଙ୍କ ପରାମର୍ଶରେ ରାଜ୍ୟ ସରକାର ମୋତେ ସୁପ୍ରିମକୋର୍ଟରୁ ମିଳିିଥିବା ଜାମିନ ଖାରଜ ପାଇଁ ଆବେଦନ କରିଥିଲେ। ତାହା ମଧ୍ୟ ଆଜି ଖାରଜ ହୋଇଯାଇଛି। ଏଣୁ ଜଗନ୍ନାଥ ମୋତେ ନ୍ୟାୟ ପ୍ରଦାନ କରିଛନ୍ତି।
ବାପି ସର୍ଖେଲ, କଂଗ୍ରେସ ନେତା

ରାଜନୀତିରୁ ସନ୍ୟାସ ନେଇଯିବା ଉଚିତ୍‌
ଦଳରୁ ବହିଷ୍କାର କରି ମୁଖ୍ୟମନ୍ତ୍ରୀ ଏକ ଚାଲ୍‌ ଖେଳିଛନ୍ତି। ଆସନ୍ତା ନିର୍ବାଚନରେ ଶ୍ରୀ ରାଉତ ପ୍ରାର୍ଥୀ ହୋଇଥିଲେ ନିଶ୍ଚିତ ଭାବେ ପରାଜୟର ମୁହଁ ଦେଖିବାକୁ ପଡ଼ିଥାନ୍ତା। ଏଣୁ ତାଙ୍କର ସମ୍ମାନ ବଞ୍ଚାଇବାକୁ ଯାଇ ମୁଖ୍ୟମନ୍ତ୍ରୀ ଯାହା ନିଷ୍ପତ୍ତି ନେଇଛନ୍ତି, ତାହା ନିଶ୍ଚିତ ଶ୍ରୀ ରାଉତଙ୍କ ପାଇଁ ଶୁଭଙ୍କର।
ସମ୍ପଦ ସ୍ୱାଇଁ, ବିଜେପି ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି

ଦାମ ବାବୁ ଆମର ନେତା, ଦଳ ଭୁଲ୍‌ କଲା
ବିଜୁ ଜନତା ଦଳର ବ୍ଲକ୍‌ ଅଧ୍ୟକ୍ଷ ହୋଇଥିଲେ ମଧ୍ୟ ଦାମ ବାବୁ ମୋ’ର ନେତା। ଏଣୁ ବର୍ତ୍ତମାନ ସେ ଯାହା ନିଷ୍ପତ୍ତି ନେବେ, ଆମେ ତାଙ୍କ ସହ ରହିବୁ। ଦଳ ଏହିପରି ଜଣେ ନେତାଙ୍କୁ ବିଦା କରି ବହୁତ ବଡ଼ ଭୁଲ କରିଛି।
ସ୍ମୃତି ରଂଜନ ବେହେରା, ଅଧ୍ୟକ୍ଷ କୁଜଙ୍ଗ ବ୍ଲକ୍‌

ସମ୍ବନ୍ଧିତ ଖବର