କାହିଁକି ଗର୍ଜୁ ନାହାନ୍ତି ମୋଦୀ, ଶାହ ? ରାଜ୍ୟରେ ଦୁର୍ବଳ ହେଉଛି ବିଜେପି

ଭୁବନେଶ୍ବର: ଡିସେମ୍ବର ୨୪ ଖୋର୍ଧା ବରୁଣେଇ ସଭାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନାମ ନେଇ ନଥିଲେ ମଧ୍ୟ ତାଙ୍କ ସରକାରର ଅପାରଗତା ଦର୍ଶାଇ ୮ଟି ପ୍ରଶ୍ନ କରିଥିଲେ। ଏହାର ୧୨ ଦିନ ପରେ ବାରିପଦା ସଭାରେ କେବଳ ‘ବେବିନା’ ପ୍ରସଙ୍ଗ ଉଠାଇ ପ୍ରଶାସନିକ ଅପାରଗତାକୁ ଅଙ୍ଗୁଳି ନିର୍ଦ୍ଦେଶ କଲେ। ଖୋର୍ଧା ସଭା ତୁଳନାରେ ନବୀନ ସରକାରଙ୍କ ପ୍ରତି ଅପେକ୍ଷାକୃତ ନରମ ମନୋଭାବ ପୋଷଣ କରିଥିବା ମୋଦୀ ଆସନ୍ତା ୧୫ ତାରିଖରେ ପୁଣି ଆସୁଛନ୍ତି ବଲାଙ୍ଗୀର। ସେ ସଭାରେ ଯେ ମୋଦୀ ଆଭିମୁଖ୍ୟ ପରିବର୍ତ୍ତନ କରିବେ, ରାଜ୍ୟ ବିଜେପି ନେତୃବର୍ଗଙ୍କର ଆଉ ବିଶେଷ ଭରସା ନାହିଁ। ଆସନ୍ନ ଲୋକସଭା ଓ ବିଧାନସଭା ନିର୍ବାଚନର ସମ୍ମୁଖୀନ ହେଉଥିବା ଓଡ଼ିଶାକୁ ପ୍ରଧାନମନ୍ତ୍ରୀଙ୍କ ଘନଘନ ଗସ୍ତ ତାଙ୍କ ସରକାରଙ୍କ ‘ପୂର୍ବକୁ ଦେଖ’ (ଲୁକ୍‌ ଇଷ୍ଟ୍) ନୀତିର ପରିଚାୟକ ହୋଇପାରେ, ମାତ୍ର ଭୋଟ୍‌ ରାଜନୀତି ଦୃଷ୍ଟିରୁ ମୋଦୀଙ୍କ ରକ୍ଷଣାତ୍ମକ ଶୈଳୀ ଯେ ରାଜ୍ୟ ବିଜେପିକୁ ହତାଶ କରିଛିି-ତାହାର ନୈରାଶ୍ୟଜନକ ପ୍ରତିକ୍ରିୟା ଦୃଷ୍ଟିଗୋଚର ହେଲାଣି। ମୋଦୀଙ୍କ ବଲାଙ୍ଗୀର ଗସ୍ତର ଦୁଇ ଦିନ ପରେ ଆସୁଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ। ହତାଶ ରାଜ୍ୟ ଶାଖା ପାଇଁ ସେ ସାହା ହେବେ ବୋଲି ଶେଷ ଆଶା ରଖିଛନ୍ତି ସ୍ଥାନୀୟ ନେତୃବର୍ଗ। ଯଦି ତାହା ନହେଲା, ତେବେ କେବଳ ଆତ୍ମସମର୍ପଣ ବ୍ୟତୀତ ଏମାନଙ୍କ ପାଇଁ ହୁଏତ ଅନ୍ୟ କିଛି ବିକଳ୍ପ ନଥିବ। ପରିବର୍ତ୍ତିତ ରାଜନୈତିକ ପରିସ୍ଥିତିରେ ଶାହ ଏଠାରେ ‘ମିସନ୍‌-୧୨୦’ ଆହ୍ବାନ ଦୋହରାଇବା ସମ୍ଭାବନା କ୍ଷୀଣ ବୋଲି ରାଜନୈତିକ ପର୍ଯବେକ୍ଷକ ମହଲ ପୂର୍ବାନୁମାନ କରିଛନ୍ତି।

ସେମାନଙ୍କ ମତରେ ନିକଟରେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ଭୋଟ୍‌ ଫଳ କେନ୍ଦ୍ରରେ କ୍ଷମତାସୀନ ବିଜେପି ପାଇଁ ଏକ ଗୁରୁତର ସତର୍କ ସୂଚନା। ବିଶେଷକରି ହିନ୍ଦୀ ଭାଷୀ ରାଜସ୍ଥାନ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ଫଳ ଗୈରିକ ଦଳକୁ ଘୋର ନୈରାଶ୍ୟ ମଧ୍ୟକୁ ଠେଲି ଦେଇଛି। ଏହି ୩ଟି ରାଜ୍ୟରେ ନବଗଠିତ କ˚ଗ୍ରେସ ସରକାର ଆଗାମୀ ଲୋକସଭା ନିର୍ବାଚନରେ ସଫଳତା ହାସଲ ଲାଗି କଳ-ବଳ-କୌଶଳ ପ୍ରୟୋଗ କରିବା ସ୍ବାଭାବିକ। ତେଣୁ ୨୦୧୪ ନିର୍ବାଚନରେ ଏହି ୩ ରାଜ୍ୟର ମୋଟ ୬୫ଟି ଲୋକସଭା ଆସନ ମଧ୍ୟରୁ ୫୮ଟି ଦଖଲ କରିଥିବା ବିଜେପି ଆଗାମୀ ନିର୍ବାଚନରେ ଏହି ସଫଳତା ଦୋହରାଇବା ସମ୍ଭାବନା କ୍ଷୀଣ। ପୁଣି ସର୍ବାଧିକ ୮୦ ଲୋକସଭା ଆସନ ବିଶିଷ୍ଟ ଉତ୍ତର ପ୍ରଦେଶରେ ଦୁଇ ପ୍ରମୁଖ ଦଳ ବହୁଜନ ସମାଜ ପାର୍ଟି (ବିଏସ୍‌ପି) ଓ ସମାଜବାଦି ପାର୍ଟି (ଏସ୍‌ପି) ପ୍ରାକ୍‌ ନିର୍ବାଚନୀ ମେଣ୍ଟରେ ଉପନୀତ ହୋଇଛନ୍ତି। ସହଯୋଗୀ ଅପ୍‌ନା ଦଲ୍‌ ନିକଟରେ ବିଜେପି ହାତ ଛାଡ଼ିଛି। ତେଣୁ ୨୦୧୪ରେ ସହଯୋଗୀ ଦଳର ୨ଟି ଆସନ ସହ ୭୧ଟି ଆସନ ଦଖଲ କରିଥିବା ଏନ୍‌ଡିଏ ପାଇଁ ଆଉ ପୂର୍ବ ସୁଯୋଗର କ୍ବଚିତ ସମ୍ଭାବନା ଅଛି। ମୁଖ୍ୟତଃ ହିନ୍ଦୀ ଭାଷୀ ଅଞ୍ଚଳରେ ବିଜେପି ଅପ୍ରତ୍ୟାଶିତ ଭାବେ ପ୍ରତିକୂଳ ପରିସ୍ଥିତିର ସମ୍ମୁଖୀନ। ଆନ୍ଧ୍ର ପ୍ରଦେଶରେ କ୍ଷମତାସୀନ ତେଲୁଗୁ ଦେଶମ ପାର୍ଟି (ଟିଡ଼ିପି) ବିଜେପି ଛାଡ଼ି କ˚ଗ୍ରେସ ସହ ହାତ ମିଳାଇଥିବା ବେଳେ ବିବାଦୀୟ ନାଗରିକତା ବିଲ୍‌କୁ ବିରୋଧ କରି ସହଯୋଗୀ ଆସାମ ଗଣ ପରିଷଦ (ଏଜିପି) ଏବେ ବିଜେପି ଠାରୁ ମେଣ୍ଟ ସମ୍ପର୍କ ଚ୍ଛିନ୍ନ କରିଛି। ଏହି ପ୍ରସଙ୍ଗକୁ କେନ୍ଦ୍ର କରି ଉତ୍ତର-ପୂର୍ବାଞ୍ଚଳ ରାଜ୍ୟଗୁଡ଼ିକରେ ବିଜେପି ବିରୋଧୀ ସ୍ବର ପ୍ରଖର ହେବାରେ ଲାଗିଛି। ଏଭଳି ପ୍ରେକ୍ଷାପଟ୍ଟରେ ବିଜେପି ସ˚ଖ୍ୟାଗରିଷ୍ଠ ଦଳ ଭାବେ ଉଭା ହେଲେ ମଧ୍ୟ ଆଗାମୀ ନିର୍ବାଚନରେ ଝୁଲା ସ˚ସଦର ସମ୍ଭାବନା ଅଧିକ। ତେଣୁ ବିଜେପି ନେତୃତ୍ବ କ˚ଗ୍ରେସ-ବିରୋଧୀ ଆଞ୍ଚଳିକ ଦଳଗୁଡ଼ିକର ସମର୍ଥନ ହାସଲ ପାଇଁ ଉଦ୍ୟମ ନକରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ସୁତରା˚ ଓଡ଼ିଶା ଭଳି ଯେଉଁ ରାଜ୍ୟରେ ବିଜେପିର ସ୍ଥିତି ଦୁର୍ବଳ-ସେଠାରେ ଆଞ୍ଚଳିକ ଦଳଗୁଡ଼ିକୁ ଅପ୍ରିୟ କରିବାକୁ ବିଜେପି ନେତୃତ୍ବ ଦୁଃସାହସ କରିବେ କିପରି? ପ୍ରଧାନମନ୍ତ୍ରୀଙ୍କ ସାମ୍ପ୍ରତିକ ଆଚରଣ ଓ ଉଚ୍ଚାରଣରେ ଏଭଳି ଏକ ସମୀକରଣ ଓଡ଼ିଶା ରାଜନୀତିରେ କ୍ରମଶଃ ଘନୀଭୂତ ହେବାରେ ଲାଗିଛି।

ପର୍ଯ୍ୟବେକ୍ଷକ ମହଲର ଯୁକ୍ତି ହେଲା-ରାଜ୍ୟ ବିଜେପିର କଥାକୁହା ନେତାମାନେ ଯେତେ ଫୁଟାଣି ମାରିଲେ ବି ଦଳର ସା˚ଗଠନିକ ସ୍ଥିତି ଯାହା ଥିଲା ସେଇଆ। ୧୯୯୮ରେ ବିଜେପି-ବିଜେପି ମେଣ୍ଟ ପରେ ୧୩ ମାସ ଓ ପରେ ୨୦୦୪ ଯାଏ ଏନ୍‌ଡ଼ିଏ ସରକାରରେ ରାଜ୍ୟ ବିଜେପିର ଦୁଇ ଜଣ କେନ୍ଦ୍ର ମନ୍ତ୍ରୀ ଥିଲେ। ୨୦୦୦ରୁ ୨୦୦୯ ଯାଏ ଓଡ଼ିଶା ମେଣ୍ଟ ସରକାରରେ ବିଜେପିର ୧୦ ଜଣ ଲେଖାଏଁ ମନ୍ତ୍ରୀ ଭଲ ଭଲ ବିଭାଗରେ ଥିଲେ। ଏହା ସତ୍ତ୍ବେ ସ˚ଗଠନ ପ୍ରତି ଦଳୀୟ ମନ୍ତ୍ରୀମାନଙ୍କ ଅବଦାନ କ’ଣ ଥିଲା, ତାହା ତତ୍କାଳୀନ ରାଜନୈତିକ ସ୍ଥିତିରୁ ସ୍ପଷ୍ଟ ବାରି ହୁଏ। ଗତ ୨୦୦୦ ନିର୍ବାଚନରେ ୬୩ଟି ବିଧାନସଭା ଆସନରୁ ଲଢ଼ି ବିଜେପି ୩୮ ଆସନ ପାଇଥିଲା। ୨୦୦୪ ନିର୍ବାଚନରେ ସେମାନଙ୍କ ସ˚ଖ୍ୟା ୩୩କୁ ହ୍ରାସ ପାଇଥିଲା। କନ୍ଧମାଳ ଦଙ୍ଗା ଦ୍ବାହିରେ ବିଜେଡି ୧୧ ବର୍ଷର ସହଯୋଗୀ ବିଜେପିର ହାତ ଛାଡ଼ିବା ପରେ ୨୦୦୯ ନିର୍ବାଚନରେ ବିଜେପି ସମସ୍ତ ୧୪୭ ଆସନରେ ଲଢ଼ି ପାଇଥିଲା ମାତ୍ର ୬ଟି ଆସନ। ଦଳ ଗୋଟିଏ ବି ଲୋକସଭା ଆସନ ଜିତି ନଥିଲା। ରାଜ୍ୟ କ˚ଗ୍ରେସର ତତ୍କାଳୀନ ଦୁର୍ବଳତାରୁ ଫାଇଦା ସ୍ବରୂପ ୨୦୧୪ ନିର୍ବାଚନରେ ବିଜେପି ଦିଲୀପ ରାୟ, ଦୁର୍ଯୋଧନ ମାଝୀ ଓ ରାଧାରାଣୀ ପଣ୍ତା ପ୍ରମୁଖ ୩ ଜଣ ପ୍ରାକ୍ତନ ବିଜେଡି ନେତାଙ୍କୁ ମିଶାଇ ବିଜେପି ୧୦ଟି ବିଧାନସଭା ଆସନ ଓ ଏକ ମାତ୍ର ସୁନ୍ଦରଗଡ଼ ଲୋକସଭା ଆସନ ପାଇଥିଲା। ଅବଶ୍ୟ ଦଳର ଦଳର ଲୋକସଭା ପ୍ରାର୍ଥୀ ଜୁଏଲ ଓରାମଙ୍କ ବିଜୟ ପଛରେ ଥିଲା ଦଲୀପ ରାୟଙ୍କ ଲୋକପ୍ରିୟତାର ଅବଦାନ। ଶ୍ରୀ ରାୟ ଇତିମଧ୍ୟରେ ବିଧାୟକ ପଦରୁ ଓ ଦଳରୁ ଇସ୍ତଫା ଦେଇଛନ୍ତି। ତେଣୁ ଆଗାମୀ ନିର୍ବାଚନରେ ସେଠାରୁ ବିଜେପିର ବିଜୟ ଅନିଶ୍ଚିତତାରେ।

ମୋଦୀଙ୍କ ନେତୃତ୍ବାଧୀନ କେନ୍ଦ୍ର ସରକାରରେ ୨୦୧୪ରୁ ପ୍ରତିନିଧିତ୍ବ କରୁଛନ୍ତି ଦୁଇ ଓଡ଼ିଆ ନେତା ଧମେର୍ନ୍ଦ୍ର ପ୍ରଧାନ ଓ ଜୁଏଲ ଓରାମ। ଶ୍ରୀ ଓରାମ ଦେଶର ଦଳିତ-ଆଦିବାସୀଙ୍କ କଲ୍ୟାଣ ଦାୟିତ୍ବରେ ଥିବା ବେଳେ ଶ୍ରୀ ପ୍ରଧାନ ପେଟ୍ରୋଲିୟମ ଓ ଦକ୍ଷତା ବିକାଶ ଭଳି ଗୁରୁତ୍ବପୂର୍ଣ୍ଣ ବିଭାଗର ସବେର୍ସର୍ବା। ତେବେ ଏହି ସାଢେ଼ ୪ ବର୍ଷ କାଳ କେବଳ ଆତ୍ମପ୍ରଚାର ଓ ଦଳରେ ଥିବା ପ୍ରତିପକ୍ଷଙ୍କ ପକ୍ଷ‌େଛଦନରେ ପ୍ରଭାବଶାଳୀ ନେତାଙ୍କ ରଣନୀତି ସୀମିତ ଥିବାରୁ ରାଜ୍ୟ ବିଜେପିର ସା˚ଗଠନିକ ସ୍ଥିତି ସଙ୍କୁଚିତ ହେବାରେ ଲାଗିଛି। ଏପରିକି ରାଜ୍ୟ କ˚ଗ୍ରେସର ତତ୍କାଳୀନ ଦୁର୍ବଳତାରୁ ପଞ୍ଚାୟତ ନିର୍ବାଚନରେ ବିଜେପିକୁ ଅପ୍ରତ୍ୟାଶିତ ଫାଇଦା ଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ତାହା ଆଗେଇବା ବଦଳରେ ଆଣ୍ଠେଇଛି। ଏହାର ଜ୍ବଳନ୍ତ ଦୃଷ୍ଟାନ୍ତ ହେଲା ବିଜେପୁରରୁ ବିଜାତଳା ଯାଏ ଦଳର ଶୋଚନୀୟ ପରାଜୟ। ସା˚ଗଠନିକ ନେତାମାନେ ଏହି ନିରାଟ ସତ୍ୟକୁ ବେଶ୍‌ ହେଜିଛନ୍ତି। ବିଜେପିର ମାର୍ଗଦର୍ଶକ ରାଷ୍ଟ୍ରୀୟ ସ୍ବୟ˚ସେବକ ସ˚ଘ (ଆର୍ଏସ୍‌ଏସ୍‌)ର ନେତୃବର୍ଗ ମଧ୍ୟ ଏହି କାରଣରୁ ଅସୁଖୀ। ଅନ୍ୟ ପକ୍ଷରେ ଓଡ଼ିଶା ବିଜେପିର ଗତି-ପ୍ରଗତି ସମ୍ପର୍କରେ ମଧ୍ୟ ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ନିୟମିତ ଗୋଇନ୍ଦା ରିପୋର୍ଟ ପହଞ୍ଚୁଥିବ। ସୁତରା˚ ପ୍ରଧାନମନ୍ତ୍ରୀଙ୍କୁ ରାଜ୍ୟ ବିଜେପିର ସା˚ଗଠନିକ ବାସ୍ତବତା ଅଛପା ରହିବ କେମିତି? ସମ୍ଭବତଃ ଏହି କାରଣରୁ ପ୍ରୟାଗ ଛାଡ଼ି ପୁରୀରୁ ପ୍ରାର୍ଥୀ ହେବା କଳ୍ପନାଜଳ୍ପନାକୁ ‘ଗଣମାଧ୍ୟମର ସୃଷ୍ଟି’ କହି ପ୍ରଧାନମନ୍ତ୍ରୀ ମୋଦୀ ନୂଆ ବର୍ଷର ପ୍ରଥମ ଦିନରେ ତାହାକୁ ଏଡ଼ାଇ ଦେଇଛନ୍ତି। ତେଣୁ ନିର୍ବାଚନ ବୈତରଣୀ ପାରି ହେବା ନିମନ୍ତେ ପୁରୀରୁ ମୋଦୀଙ୍କ ପ୍ରାର୍ଥିତ୍ବକୁ ଶେଷ ଭରସା କରିଥିବା ରାଜ୍ୟ ବିଜେପିର ସ୍ବପ୍ନ ମରିଚିକାରେ ପରିଣତ ହୋଇଛି।

ଓଡ଼ିଶା ଓ ପଶ୍ଚିମବଙ୍ଗର ପ୍ରାନ୍ତୀୟ ନେତାଙ୍କ ଗହଣରେ ତିନି ଦିନିଆ ସମୀକ୍ଷା କରି ଗତ ମାସ ଶେଷ ସନ୍ତାହରେ ଭୁବନେଶ୍ବରରୁ ଫେରିଥିବା ଆର୍ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗୱତଙ୍କ ନୂଆ ବର୍ଷର ପ୍ରତିକ୍ରିୟା ବିଜେପି ପାଇଁ ଆଉ ଏକ ନକାରାତ୍ମକ ପରିସ୍ଥିତି ସୃଷ୍ଟି କରିଛି। ଆଇନଗତ ପ୍ରକ୍ରିୟା ଶେଷ ହେବା ପରେ ରାମ ମନ୍ଦିର ନିର୍ମାଣ ଅଧ୍ୟାଦେଶ ସମ୍ଭବ ବୋଲି ପ୍ରଧାନମନ୍ତ୍ରୀ ନୂଆ ବର୍ଷ ସାମ୍ବାଦିକ ସମ୍ମିଳନୀରେ ମନ୍ତବ୍ୟ ଦେବା ପରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ ଆର୍ଏସ୍‌ଏସ୍‌ର ସରକାର୍ଯ୍ୟବାହ ଭୈୟା ଯୋଶୀ। ଦୁଇ ଦିନ ପରେ ତାଙ୍କୁ ସମର୍ଥନ କରି ଭାଗୱତ ଖୋଲାଖୋଲି କହିଥିଲେ, ଆଗାମୀ ଲୋକସଭା ଫଳକୁ ନେଇ ସେ ଅନିଶ୍ଚିତ। ମୋଟାମୋଟି ଭାବେ ଜାତୀୟ ସ୍ତରରେ ବିଜେପି ‘ପତ୍ରଝଡ଼ା’ର ସମ୍ମୁଖୀନ, ଓଡ଼ିଶାରେ ଏହାର ତୃଣମୂଳ ଦୁର୍ବଳ। ତେଣୁ ପ୍ରଧାନମନ୍ତ୍ରୀଙ୍କ ସମେତ ଦଳର କେନ୍ଦ୍ରୀୟ ନେତାମାନେ ତୁଚ୍ଛା ବାହାସ୍ଫୋଟ ମାରିବେ କେମିତି?

ସମ୍ବନ୍ଧିତ ଖବର