୩ ପ୍ରମୁଖ ଦଳରେ ବିଧାନସଭା ଆସନ ଲାଗି ମହିଳା ପ୍ରାର୍ଥୀତ୍ୱ ୧୫ ପ୍ରତିଶତ ମଧ୍ୟ ଡେଇଁ ନାହିଁ

ଭୁବନେଶ୍ୱର (ସୁବ୍ରତ ଦାସ) : କଂଗ୍ରେସ ଦଳର ରାଜ୍ୟ ସଭାନେତ୍ରୀ ସୁମିତ୍ରା ଜେନା ଏବଂ ଦଳର ମୁଖପାତ୍ର ସୋନାଲୀ ସାହୁ ଦଳୀୟ ଟିକେଟ ନ ପାଇ ତାର ପ୍ରତିବାଦରେ ଇସ୍ତଫା ଦେବା ପରେ ନିର୍ବାଚନରେ ମହିଳାଙ୍କ ପ୍ରତିନିଧିତ୍ୱ ପ୍ରସଙ୍ଗ ପୁଣି ତାଜା ହୋଇଉଠିଛି।

ଲୋକସଭାରେ ମହିଳାଙ୍କ ପାଇଁ ୩୩ ପ୍ରତିଶତ ଆସନ ସଂରକ୍ଷିତ ରଖାଯାଉ ବୋଲି ପ୍ରସ୍ତାବ ଦେଇ ଏବଂ ଲୋକସଭା ପାଇଁ ଏହାକୁ କାର୍ଯ୍ୟରେ ଦେଖାଇ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳ ସୁପି୍ରମୋ ନବୀନ ପଟ୍ଟନାୟକ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ। ଏଥର ୨୧ଟି ଲୋକସଭା ଆସନ ମଧ୍ୟରୁ ଶତକଡ଼ା ୩୩ ଭାଗ ଅର୍ଥାତ୍‌ ୭ଟି ଆସନ ପାଇଁ ନବୀନ ମହିଳା ପ୍ରାର୍ଥୀ ଦେଇଥିବା ବେଳେ ଭାରତୀୟ ଜନତା ପାର୍ଟି ୩ ଜଣ ମହିଳାଙ୍କୁ ଏବଂ କଂଗ୍ରେସ ୨ ଜଣ ମହିଳାଙ୍କୁ ଟିକେଟ ଦେଇଛି।

କିନ୍ତୁ ବିଧାନସଭା ନିର୍ବାଚନରେ ମୋଟ ୧୪୭ ଆସନ ମଧ୍ୟରୁ ବିଜୁ ଜନତା ଦଳ ୧୮, ଭାରତୀୟ ଜନତା ପାର୍ଟି ୧୨ ଓ କଂଗ୍ରେସ ୧୦ଟି ଆସନରେ ମହିଳାଙ୍କୁ ପ୍ରାର୍ଥୀ କରିଛି। ଅର୍ଥାତ୍‌ କୌଣସି ଦଳ ୧୫ ପ୍ରତିଶତ ମଧ୍ୟ ଡେଇଁ ନାହାନ୍ତି।

ତେବେ ବିଜୁ ଜନତା ଦଳ ଆଗରେ ଅଛି। ବିଜୁ ଜନତା ଦଳ ରାଜ୍ୟର ଦୁଇ ଜଣ ମହିଳା ମନ୍ତ୍ରୀ ଉଷାଦେବୀ ଓ ସ୍ନେହାଙ୍ଗିନୀ ଛୁରିଆଙ୍କ ସମେତ ଚଳିତ ବିଧାନସଭାର ସଭ୍ୟ ଥିବା ପ୍ରମିଳା ମଲ୍ଲିକ, ରାସେଶ୍ୱରୀ ପାଣିଗ୍ରାହୀ, ଟୁକୁନି ସାହୁ, ସୀମାରାଣୀ ନାୟକ, ନନ୍ଦିନୀ ଦେବୀ ପ୍ରମୁଖ ୯ ଜଣଙ୍କୁ ପୁନଃ ମନୋନୟନ କରିଛି। ଅନ୍ୟ ପକ୍ଷରେ ଦଳର ଏକମାତ୍ର ରାଜ୍ୟସଭା ସଦସ୍ୟା ସରୋଜିନୀ ହେମ୍ବ୍ରମଙ୍କୁ ବାରିପଦା ଆସନରେ ରାଜ୍ୟ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାରାଣ୍ଡିଙ୍କ ସ୍ଥାନରେ ପ୍ରାର୍ଥୀ କରି ମହିଳା କାର୍ଡ ଖେଳିଛି। ସେହିପରି ପାରଳାଖେମୁଣ୍ଡିରେ ଗତଥର ଦଳ ପକ୍ଷରୁ ଲଢ଼ିଥିବା କେ. ନାରାୟଣ ରାଓଙ୍କ ବଦଳରେ ପାରଳା ରାଜପରିବାରର କଲ୍ୟାଣୀ ଗଜପତିଙ୍କୁ ଦଳୀୟ ଟିକେଟ ଦିଆଯାଇଛି।

ଅନ୍ୟ ପକ୍ଷରେ ଭାରତୀୟ ଜନତା ପାର୍ଟି ତାର ଏକମାତ୍ର ବିଧାୟିକା ରାଧାରାଣୀ ପଣ୍ଡାଙ୍କୁ ପୁଣି ଥରେ ବାଛିଥିବା ବେଳେ ଦୁଇଜଣ ଲୋକପ୍ରିୟ ଚଳଚ୍ଚିତ୍ର ତାରକା ଅପରାଜିତା ମହାନ୍ତି ଏବଂ ପିଙ୍କି ପ୍ରଧାନଙ୍କୁ ଯଥାକ୍ରମେ ଭୁବନେଶ୍ୱର ଉତ୍ତର ଏବଂ ଦିଗପହଣ୍ଡି ନିର୍ବାଚନ ମଣ୍ଡଳୀରୁ ପ୍ରାର୍ଥୀ କରିଛି। ଦଳର ଅନ୍ୟାନ୍ୟ ମହିଳା ପ୍ରାର୍ଥୀମାନଙ୍କ ମଧ୍ୟରେ ପୂର୍ବତନ ମନ୍ତ୍ରୀ ତଥା ଭୂତପୂର୍ବ ମହିଳା ମୋର୍ଚ୍ଚା ଅଧ୍ୟକ୍ଷା ସୁରମା ପାଢ଼ୀ ଏବଂ ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ପ୍ରଭାତୀ ପରିଡ଼ାଙ୍କ ନାମ ଉଲ୍ଲେଖଯୋଗ୍ୟ।

Outlook Hindi

ସେହିପରି କଂଗ୍ରେସ ଦଳରୁ ଏଥର ପ୍ରାର୍ଥୀ ହୋଇଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ୱାଳଙ୍କ କନିଷ୍ଠ କନ୍ୟା ଅନିତା ବିଶ୍ୱାଳ ଏବଂ ପ୍ରମୁଖ ମାଓବାଦୀ ନେତା ସବ୍ୟସାଚୀ ପଣ୍ଡାଙ୍କ ପତ୍ନୀ ଶୁଭଶ୍ରୀ ପଣ୍ଡା ଓରଫ ମିଲି।

ତେବେ, ବିଜୁ ଜନତା ଦଳର ମୁଖପାତ୍ର ସୁଲୋଚନା ଦାସ, ରାଜ୍ୟ ମହିଳା ସାମ୍ମୁଖ୍ୟ ସଭାନେତ୍ରୀ ମିନାକ୍ଷୀ ବେହେରା ଦଳୀୟ ଟିକେଟ ପାଇ ନ ଥିବା ବେଳେ ଭାରତୀୟ ଜନତା ପାର୍ଟିର ଅନ୍ୟତମ ପ୍ରବକ୍ତା ଲେଖାଶ୍ରୀ ସାମନ୍ତରାୟ ଦଳୀୟ ପ୍ରାର୍ଥୀ ହୋଇନାହାନ୍ତି। କଂଗ୍ରେସରେ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଓ ମୁଖପାତ୍ର ସୋନାଲି ସାହୁ ଇସ୍ତଫା ଦେଇଛନ୍ତି। ସୁମିତ୍ରା ବିଜେଡିରେ ଯୋଗ ଦେଇଥିବା ବେଳେ ସୋନାଲି ବିଜେପିରେ ମିଶିଛନ୍ତି।

ଉଲ୍ଲେଖଯୋଗ୍ୟ କି ଗତ ୨୦୧୪ ବିଧାନସଭା ନିର୍ବାଚନରେ ୧୧୪ ମହିଳା ପ୍ରାର୍ଥୀ ଲଢିଥିଲେ। ସେମାନଙ୍କ ମଧ୍ୟରୁ ବିଜେଡିର ୧୪ ଜଣ,ବିଜେପିର ୧୦ ଜଣ ଏବଂ କଂଗ୍ରେସର ୯ ଜଣ ପ୍ରାର୍ଥୀ ଥିଲେ। ସ୍ୱାଧୀନ ପ୍ରାର୍ଥୀ ଥିଲେ ୧୯ ଜଣ। ଏହି ୧୧୪ ପ୍ରାର୍ଥୀମାନଙ୍କ ମଧ୍ୟରୁ ୧୧ ଜଣ (ବିଜେଡ଼ି ୧୦ ଓ ବିଜେପିର ଏକମାତ୍ର ପ୍ରାର୍ଥୀ) ବିଜୟୀ ହୋଇଥିଲେ। ପରେ ବିଜେପୁର ଆସନରୁ ଉପନିର୍ବାଚନରେ ରୀତାରାଣୀ ସାହୁ ବିଧାନସଭାକୁ ନିର୍ବାଚିତ ହୋଇଥିଲେ।

ସମ୍ବନ୍ଧିତ ଖବର