ଚର୍ଚ୍ଚାରେ ଦାମ-ବିଷ୍ଣୁ ପାଲା

ଭୁବନେଶ୍ୱର : ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀ ଡାକି ଦାମ ରାଉତଙ୍କ ବିରୋଧରେ କଂଗ୍ରେସ ନେତା ବାପି ସର୍ଖେଲ୍‌ ଅଭିଯୋଗ କଲା ପରେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଜଗତସିଂହପୁରର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଦାମ ରାଉତ ଓ ବିଷ୍ଣୁ ଦାସ ଆଜି ପରସ୍ପର ବିରୋଧରେ ବିଷୋଦଗାର କରିଛନ୍ତି। ଦେହରେ ଗଳିଗଲା ପରି ଭାଷାରେ ଦାମଙ୍କୁ ସମାଲୋଚନା କରିଛନ୍ତି ବିଷ୍ଣୁ। ଆଉ ଦାମ ଉଭୟ ବାପି ଓ ବିଷ୍ଣୁଙ୍କୁ ଟାର୍ଗେଟ୍‌ କରିଛନ୍ତି।

ଜଗତସିଂହପୁର ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଗଣମାଧ୍ୟମକୁ କହିଛନ୍ତି, ଦାମ ବାବୁ ଓ ବାପୁ ପରିଡ଼ାଙ୍କ ମଧ୍ୟରେ ଯଦି ଏତେ ନିବିଡ଼ ସମ୍ପର୍କ ଅଛି, ତେବେ ତାହା ପ୍ରମାଣିତ ହେବା ଦରକାର। ଏସ୍‌ଟିଏଫ୍‌ ଏହାକୁ ତଦନ୍ତ କରୁଛି ଓ ସତ୍ୟ ସାମ୍ନାକୁ ଆସିବ। ବିଜେଡିର ଜିଲ୍ଲା ସଭାପତି ଭାବେ ସେ ଏ ଦିଗରେ ନିଶ୍ଚିତ ପଦକ୍ଷେପ ନେବେ।

ଦାମଙ୍କୁ କଟାକ୍ଷ କରି ବିଷ୍ଣୁ କହିଛନ୍ତି, ଦାମ ରାଉତ କିପରି ଚରିତ୍ରର ବ୍ୟକ୍ତିତ୍ୱ ତାହା ସାରା ରାଜ୍ୟ ଜାଣେ। ମୁଁ ତ ତାଙ୍କୁ ଭୟ କରେ। କାରଣ ତାଙ୍କର ବାପୁ ପରିଡ଼ା ପରି ବହୁ ଲୋକଙ୍କ ସହ ସମ୍ପର୍କ ଅଛି। ଏପରି ସମର୍ଥକଙ୍କ ସଂଖ୍ୟା ଅଧିକ। ମୋ ରାଜନୈତିକ କ୍ୟାରିୟର୍‌କୁ ନିୟନ୍ତ୍ରଣ କରିବାର କ୍ଷମତା ବି ଦାମ ବାବୁଙ୍କର ରହିଛି।

ଉଭୟ ବାପି ଓ ବିଷ୍ଣୁଙ୍କୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି ଦାମ ରାଉତ। ବାପିଙ୍କ ମନ୍ତବ୍ୟ ନେଇ ସେ କହିଛନ୍ତି, ବାପି ସର୍ଖେଲ କ’ଣ, ତାହା ସମସ୍ତେ ଜାଣନ୍ତି। ଏକ ହତ୍ୟାକାଣ୍ଡ ମାମଲାରେ ସେ ଜେଲ୍‌ ଯାଇଥିଲେ। ସୁପ୍ରିମକୋର୍ଟରୁ ଜାମିନ୍‌ରେ ଆସିଛନ୍ତି। ଜାମିନ୍‌ ରଦ୍ଦ କରିବା ପାଇଁ ରାଜ୍ୟ ସରକାର ଆବେଦନ କରିଛନ୍ତି। ବାପି ସର୍ଖେଲ ଓ ଟିଟୋ ଭଲ ବନ୍ଧୁ। ଅନେକ ଅପରାଧରେ ସେମାନେ ଜଡ଼ିତ। ଏ କଥା କାହାରିକୁ ଅଛପା ନାହିଁ। ମୁଁ ୪୦ ବର୍ଷ ହେଲା ରାଜନୀତିରେ ରହିଛି। ରାଜନୀତିକୁ ଅପରାଧୀଙ୍କ ଠାରୁ ଦୂରରେ ରଖିବାକୁ ମୁଁ ସଦାବେଳେ ଚେଷ୍ଟା କରିଛି। ବିଷ୍ଣୁଙ୍କ ପ୍ରତିକ୍ରିୟା ଉପରେ ଦାମ କହିଛନ୍ତି, ବିଷ୍ଣୁ ଦାସ ମୋ’ ସମାସ୍କନ୍ଧ ଲୋକ ନୁହଁନ୍ତି। ଘୁକାଳିଆ ଏକ ପକ୍ଷୀ ନା ବିଷ୍ଣୁ ଦାସ ଜଣେ ମଣିଷ। ବିଷ୍ଣୁ ତ ନିଜେ ବାପି ସର୍ଖେଲ୍‌ର ଜଣେ ଘନିଷ୍ଠ ସହଯୋଗୀଙ୍କ ଠାରୁ ମାସିକିଆ ଚାନ୍ଦ ଆଣନ୍ତି। ସେ କ’ଣ ମୋ ବିଷୟରେ କହିବେ।

ସମ୍ବନ୍ଧିତ ଖବର