କଂଗ୍ରେସ ବିଧାୟକ ଯୋଗେଶ ସିଂ ଦଳରୁ ନିଲମ୍ବିତ

ଭୁବନେଶ୍ୱର: କଂଗ୍ରେସ ବିଧାୟକ ଯୋଗେଶ ସିଂକୁ ଦଳ ଗୁରୁବାର ନିଲମ୍ବନ କରିଛି। ଦଳ ବିରୋଧୀ ମନ୍ତବ୍ୟ ପାଇଁ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ କରାଯାଇଥିବା ପିସିସି ଶୃଙ୍ଖଳା କମିଟିର ଆବାହକ ଅନନ୍ତ ସେଠୀ ସୂଚନା ଦେଇଛନ୍ତି। ସେଠୀ କହିଛନ୍ତି, ଏଆଇସିସିର ଅନୁମୋଦନ କ୍ରମେ ବିଧାୟକ ଯୋଗେଶ ସିଂଙ୍କୁ ନିଲମ୍ବନ କରାଯାଇଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ ନିକଟରେ କଂଗ୍ରେସ ବିଧାୟକ ଯୋଗେଶ ସିଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପ୍ରଶଂସା କରିଥିବା ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା।

ବାରମ୍ବାର ଦଳ ବିରୋଧୀ ମନ୍ତବ୍ୟ ଦେଇଥିବାରୁ କଂଗ୍ରେସରୁ ନିଲମ୍ବନ ହୋଇଛନ୍ତି ଯୋଗେଶ । ଏନେଇ ପିସିସି ଶୃଙ୍ଖଳା କମିଟି ବୈଠକ ପରେ ନିଷ୍ପତି ନିଆଯାଇଛି । ଗତକାଲି ଝାରସୁଗୁଡ଼ା କଂଗ୍ରେସ ବିଧାୟକ ନବ ଦାସଙ୍କ ଇସ୍ତଫା ପରେ କଂଗ୍ରେସ କଳି ବଢ଼ିବାରେ ଲାଗିଛି । ଜଣକ ପରେ ଜଣେ ଦଳ ପାଇଁ ସମସ୍ୟା ସୃଷ୍ଟି କରୁଥିବା କଂଗ୍ରେସ କ୍ୟାମ୍ପରେ କମ୍ପନ ସୃଷ୍ଟି କରୁଛି ।

ନବ ଦାସ କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ରାହୁଲଙ୍କ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମରେ ବିଧାୟକ ଯୋଗେଶ ସିଂ ଯୋଗ ଦେବେନି ବୋଲି କହିଥିଲେ । ବ୍ୟକ୍ତିଗତ କାରଣରୁ ରାହୁଲଙ୍କ କାର୍ଯ୍ୟକ୍ରମରେ ଯୋଗଦେବେନି ବୋଲି କହିବା କଂଗ୍ରେସକୁ ଘଡ଼ିସନ୍ଧି ମୂହୁର୍ତ୍ତରେ ନାପସନ୍ଦ ହୋଇଛି । କାରଣ ନବଙ୍କ ରାସ୍ତାରେ ଯୋଗେଶ ମଧ୍ୟ ଚାଲୁଛନ୍ତି ବୋଲି କଂଗ୍ରେସ କ୍ୟାମ୍ପରେ ଚର୍ଚ୍ଚା ହେଉଛି । ଏହା ପୂର୍ବରୁ ଯୋଗେଶଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି ପିସିସି ଶୃଙ୍ଖଳା କମିଟି ।

ନିଲମ୍ବନ ପରେ ପ୍ରତିକ୍ରିୟା

କଂଗ୍ରେସରୁ ନିଲମ୍ବନ ହେବା ପରେ ଯୋଗେଶ ସିଂ ନିଜ ପ୍ରତିକ୍ରିୟାରେ କହିଛନ୍ତି, ମୁଁ ସେଭଳି କିଛି କରିନଥିଲି। ତାଙ୍କର ଅଧିକାର ଅଛି, ସେ ସସ୍‌ପେଣ୍ଡ କଲେ। ବିଜେଡି ଯିବା ନେଇ ପ୍ରଶ୍ନର ଉତ୍ତରରେ ଯୋଗେଶ କହିଛନ୍ତି, ସେମିତି କିଛି ପରିସ୍ଥିତି ସୃଷ୍ଟି ହୋଇ ନାହିଁ। ଯୋଗେଶ କହିଛନ୍ତି, ବିଧାୟକ ପଦ ଛାଡ଼ିବି। ମୋର କୌଣସି ଭୁଲ ନଥାଇ ସେମାନେ ମୋତେ ଦଳର ନିଲମ୍ବନ କରିଛନ୍ତି। 

ଦଳର ବରିଷ୍ଠ ନେତା ହେମାନନ୍ଦଙ୍କ କହିବା ମୁତାବକ , ଯିଏ ପଳେଇବ ସେ ଏଆଇସିସି ଅଧ୍ୟକ୍ଷ ରାହୁଲଙ୍କ ସମାବେଶରେ ଯୋଗନଦେଲେ ଅସୁବିଧା କଣ । ପୂର୍ବରୁ ଉଭୟ ନବ ଓ ଯୋଗେଶ ରାହୁଲଙ୍କ ସଭାରେ ଯୋଗ ଦେବନି ବୋଲି ସ୍ପଷ୍ଟ କରିଥିଲେ । ଏପରିକି ତାଙ୍କ ପାଇଁ ହାଇକମାଣ୍ଡ ବଡ ନୁହଁନ୍ତି । ବରଂ ନିର୍ବାଚନମଣ୍ଡଳୀର ଲୋକ ବଡ ବୋଲି କହିଥିଲେ ।

ସେପଟେ ଯୋଗେଶଙ୍କ ସହ କଂଗ୍ରେସ ସାଲେପୁର ବିଧାୟକ ପ୍ରକାଶ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ପରୋକ୍ଷରେ ଇଙ୍ଗିତ ଦେଇଥିଲେ ପିସିସି ଶୃଙ୍ଖଳା କମିଟି ବରିଷ୍ଠ ନେତୃବୃନ୍ଦ । ତେବେ କଂଗ୍ରେସର ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ଯୋଗେଶଙ୍କୁ ନିଲମ୍ବିତ କରାଯାଇଛି ।

ସମ୍ବନ୍ଧିତ ଖବର