ସାମ୍ବାଦିକ ସମ୍ମିଳନୀ କରି ଘୋଷଣା କଲେ କଂଗ୍ରେସର ପିପିଲି ପ୍ରାର୍ଥୀ ଯୁଧିଷ୍ଠିର ସାମନ୍ତରାୟ : ନିର୍ବାଚନ ଲଢିବି ନାହିଁ

ପିପିଲି :  ପିପିଲି ବିଧାନସଭା ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିର ସାମନ୍ତରାୟଙ୍କୁ ପ୍ରାର୍ଥୀ କରିଥିବା ବେଳେ ଚଳିତ ନିର୍ବାଚନରୁ ସେ ଓହରିଯାଇଛନ୍ତି। ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି ଏହି ଘୋଷଣା କରିଛନ୍ତି ଯୁଧିଷ୍ଠିର । ଜାଣିଶୁଣି ତାଙ୍କୁ ଏତେ ବିଳମ୍ବରେ ଟିକେଟ ଦିଆଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି । ଦଳୀୟ କର୍ମୀଙ୍କ ସହ ଆଲୋଚନା ପରେ ନିର୍ବାଚନ ନଲଢ଼ିବାକୁ ନିଷ୍ପତ୍ତି ନେଇଥିବା ସ୍ପଷ୍ଟ କରିଛନ୍ତି ଯୁଧିଷ୍ଠିର ।

ଅନ୍ୟପଟେ ସେ ଏବେ ବି କଂଗ୍ରେସରେ ଅଛନ୍ତି, କିନ୍ତୁ ଏହି ନିର୍ବାଚନ ଲଢିବେ ନାହିଁ ବୋଲି କହିଛନ୍ତି । ଯୁଧିଷ୍ଠିରଙ୍କ ଏଭଳି ନିଷ୍ପତ୍ତି କଂଗ୍ରେସ ପାଇଁ ଅଡୁଆ ପରିସ୍ଥିତି ସୃଷ୍ଟି କରିପାରେ ବୋଲି କୁହାଯାଉଛି । କାରଣ ଆସନ୍ତା ୨୩ ତାରିଖରେ ପୁରୀ ସଂସଦୀୟ କ୍ଷେତ୍ର ଅଧିନରେ ଯାଉଥିବା ଏହି ପିପିଲି ଆସନ ପାଇଁ କଂଗ୍ରେସ ଯୁଧିଷ୍ଠିରଙ୍କୁ ଟିକେଟ୍ ଦେଇଥିଲା । ହେଲେ ସେ ନିର୍ବାଚନରୁ ଓହରିଯାଇଥିବା କହିବା ପରେ ଆଗାମୀ ଦିନରେ ପିପିଲି ଭଳି ଏକ ଗୁରୁତ୍ୱପୂର୍ଣ୍ଣ ଆସନରେ କଂଗ୍ରେସର ପ୍ରାର୍ଥୀ କିଏ ହେବ ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଛି ।

ଅନ୍ୟପଟେ ବିଜେଡି ପୁଣି ଥରେ ଏହି ଆସନରୁ ପୂର୍ବତନ ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କୁ ପ୍ରାର୍ଥୀ କରିଛି । ଯୁଧିଷ୍ଠିର ଓ ପ୍ରଦୀପ ପିପିଲିର ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦୀ ଭାବେ ବେଶ୍ ଜଣାଶୁଣା । ହେଲେ ବର୍ତ୍ତମାନ କଂଗ୍ରେସ ଏଠାରେ କାହାକୁ ଯୁଧିଷ୍ଠିରଙ୍କ ବିକଳ୍ପ ଭାବେ ବାଛିବ ତାହା ଉପରେ ସମସ୍ତଙ୍କ ନଜର ରହିଛି ।

ସମ୍ବନ୍ଧିତ ଖବର