ଠାକୁର୍‌ ଭଲେ ବିରାଜୋ ଜି…

‘‘ଠାକୁର୍‌ ଭଲେ ବିରାଜୋ ଜି
ଓଡ଼ିଶା ଜଗନ୍ନାଥ ପୁରୀ ମେଁ
ଭଲେ ବିରାଜୋ ଜି…।’’
ଦିନେ ନୀଳାଦ୍ରି ବିଜେରେ ଶ୍ରୀଜଗନ୍ନାଥ ଯାଇ ରତ୍ନସିଂହାସନରେ ବିଜେ ହେବା ଦେଖି ପଞ୍ଚଦଶ ଶତାବ୍ଦୀର ସନ୍ଥକବି କବିର ଦାସ ଭାବ-ବିହ୍ଵଳ କଣ୍ଠରେ ଏହା ଗାଇ ଉଠିଥିଲେ। ସେଇଦିନୁ ଅଗଣିତ ଭକ୍ତ ତାଙ୍କରି ଭାଷାରେ ଶ୍ରୀଜଗନ୍ନାଥଙ୍କୁ କହି ଆସୁଛନ୍ତି ଠିକ୍‌ ସେଇ କଥା- ‘‘ଠାକୁର୍‌ ଭଲେ ବିରାଜୋ ଜି, ଓଡ଼ିଶା ଜଗନ୍ନାଥ ପୁରୀ ମେଁ।’’

ଓଡ଼ିଶାର ଅଗଣିତ ଜଗନ୍ନାଥ ଭକ୍ତଙ୍କ ଅନ୍ତରର ଭାଷା ବି ଠିକ୍‌ ସେଇଆ- ‘‘ଭଲରେ ଥାଅ ଠାକୁରେ, ଭଲରେ ଥାଅ ! ତୁମେ ଭଲ ଥିଲେ ହିଁ ଆମର ଭଲ !!’’

x x x

‘ରଥ କଥା’ର ପ୍ରିୟ ପାଠକ ପାଠିକା !
ଗତ ଏପ୍ରିଲ ୧୮ ତାରିଖ, ପବିତ୍ର ଅକ୍ଷୟ ତୃତୀୟା ଦିନଠାରୁ ଏଯାଏ, ଦୀର୍ଘ ତିନିମାସରୁ ଊଦ୍ଧ୍ଵର୍କାଳ ଧରି, ସପ୍ତାହକୁ ଛଅଦିନ ଆମେ ଏହି ‘ରଥ କଥା’ ସ୍ତମ୍ଭରେ ଶ୍ରୀଜଗନ୍ନାଥଙ୍କ ଶ୍ରୀଗୁଣ୍ଡିଚା ଯାତ୍ରାର କଥା କହି ଆସୁଥିଲୁ। କିନ୍ତୁ ଗତବର୍ଷର ୫୦ଟି ପରି ଏଥର ବି ‘ରଥ କଥା’ର ୮୩ଟି ଅଧ୍ୟାୟ ସରିଗଲା ସିନା, ସବୁକଥା କହି ହେଲାନାହିଁ।

କାଳେ କାଳେ କୁହା ହୋଇଆସିଛି- ‘‘ହରି ଅନନ୍ତା… ହରି କଥା ଅନନ୍ତା।’’ ଏଣୁ ଶ୍ରୀଜଗନ୍ନାଥ ଯେମିତି ଅନନ୍ତ ତାଙ୍କର ସବୁ ଳୀଳାଖେଳା ବି ସେମିତି ଅନନ୍ତ। ଏଣୁ ‘ପତିତପାବନ ଯାତ୍ରା’ ନାମରେ ପରିଚିତ ତାଙ୍କ ରଥଯାତ୍ରାର କଥା ବି ଅସରନ୍ତି। ଏଣୁ ଏ ‘ରଥ କଥା’ ସରିନାହିଁ। ତଥାପି ଅନେକ କଥା କହିବାକୁ ବାକି ଅଛି।

ଏଣୁ ଗତବର୍ଷର ୫୦ଟି ଓ ଏବର୍ଷର ୮୩ଟି- ଏମିତି ୧୩୩ଟି ‘ରଥ କଥା’ ସହିତ ବାକି କଥାଗୁଡ଼ିକୁ ମିଶାଇ ଆମେ ଯଥାଶୀଘ୍ର ଖଣ୍ଡିଏ ବହି ପ୍ରକାଶ କରିବାକୁ ଇଚ୍ଛା ରଖୁଛୁ। ତେବେ ତାହା ଶ୍ରୀଜଗନ୍ନାଥଙ୍କ ଆଶୀର୍ବାଦ ଉପରେ ନିର୍ଭର କରେ।

ଏ ପ୍ରସଙ୍ଗରେ ଆପଣମାନଙ୍କୁ ମନେପକାଇ ଦେବାକୁ ଚାହୁଁ ଯେ ଗତ ୨୦୧୫ ନବକଳେବର ବେଳେ ବି ଆମେ ଏମିତି ଏକ ଉଦ୍ୟମ କରିଥିଲୁ। ଦୀର୍ଘ ପ୍ରାୟ ସାଢ଼େ ତିନିମାସ ଧରି ‘ନବକଳେବର କଥା’ ପ୍ରକାଶ ପାଇ ମଧ୍ୟ ତାହା ସଂପୂର୍ଣ୍ଣ ରୂପେ ସରି ନଥିଲା। ସେସବୁ ସହିତ ବାକିଥିବା କିଛି କଥାକୁ ମିଶାଇ ‘ଆମ ଓଡ଼ିଶା’ ପକ୍ଷରୁ ଆମେ ବହି ଖଣ୍ଡିଏ ପ୍ରକାଶ କରିଥିଲୁ। ଆମେ ଆନନ୍ଦିତ ଯେ ଆପଣମାନେ ତାହାକୁ ଅନେକ ଆଦର କରିଥିଲେ।

ଏଥର ବି ଆମେ ସେହିପରି ‘ରଥ କଥା’ ନାଆଁରେ ବହିଖଣ୍ଡିଏ ପ୍ରକାଶ କରିବାର ଆଶା ରଖିଛୁ। ଆଶା କରୁଛୁ ‘ଆମ ଓଡ଼ିଶା’ର ସେଇ ବହି ସହିତ ପୁଣି ଆପଣଙ୍କ ସହିତ ଦେଖାହେବ। ଯଥାଶୀଘ୍ର!

ସେ ଯାଏ, ଆପଣମାନଙ୍କଠାରୁ ଏଇ ସାମୟିକ ମେଲାଣି। ଶ୍ରୀଜଗନ୍ନାଥଙ୍କ କରୁଣାରୁ ଆପଣମାନେ ଭଲରେ ଥାଆନ୍ତୁ।

-ଅସିତ ମହାନ୍ତି

ସମ୍ବନ୍ଧିତ ଖବର