ବଗିଚା ହେଲା ଡିଜିଟାଲ, କେରଳ ସରକାରଙ୍କ ଭିନ୍ନ ପ୍ରୟାସ

ତିରୁବନନ୍ତପୁରମ: କେରଳ ରାଜ୍ୟ ସରକାର ଏଭଳି ଏକ ବଗିଚାକୁ ବିକଶିତ କରୁଛନ୍ତି ଯାହାକି ସମ୍ପୂର୍ଣ୍ଣ ଭାବରେ ଡିଜିଟାଲ ହେବ |ଏହି ବଗିଚାରେ ଥିବା ଗଛରେ କ୍ୟୁଆର କୋଡ଼ ଲଗାଯିବାକୁ ନିଷ୍ପତ୍ତି ନିଆଯାଇଛି | ଯାହାକୁ ସ୍କାନ କଲେ ଆପଣ ଗଛ ବାବଦରେ ସବୁକିଛି ଜାଣିପାରିବେ | ଏହି ବଗିଚାଟି କେରଳ ରାଜଭବନରେ ଥିବାବେଳେ ଏହା କନକକୁନୁ ନାମରେ ପରିଚିତ |

୧୨ ଏକରରେ ପରିବ୍ୟାପ୍ତ ଏହି ବଗିଚାରେ ୧୨୬ ପ୍ରଜାତିର ଗଛ ରହିଛି ଯାହାକୁ ଡିଜିଟାଲ କରାଯାଉଛି | ଏହି ଯୋଜନାରେ ପ୍ରାଥମିକ ସ୍ତରରେ ବଗିଚାରେ ଥିବା କେବଳ ୬୦୦ ଗଛରେ ଏହି କୋଡ଼ ଲଗାଯାଇଛି | ଖୁବଶୀଘ୍ର ବାକି ଗଛମାନଙ୍କରେ ବି ଏଭଳି ବ୍ୟବସ୍ଥା କାର୍ଯ୍ୟକାରୀ ହେବ | ପୂର୍ବରୁ ଦିଲ୍ଲୀର ଲୁଟିୟନ୍ସ ଜୋନ ସ୍ଥିତ ପ୍ରସିଦ୍ଧ ଲୋଧି ଗାର୍ଡେନରେ ୧୦୦ଟି ଗଛରେ ଏହି କ୍ୟୁଆର କୋଡ଼ ଲଗାଯାଇଛି | ଯାହାଫଳରେ ଏଠାକୁ ଆସୁଥିବା ପର୍ଯ୍ୟଟକମାନେ ଏହି କୋଡକୁ ମୋବାଇଲରେ ସ୍କାନ କରି ଏହି ଗଛ ବାବଦରେ ସବୁକିଛି ଜାଣିପାରୁଛନ୍ତି |

ଯେଉଁସବୁ ଗଛରେ ଏହି କୋଡ଼ ଲାଗିଛି ସେହି ଗଛଗୁଡିକ ୧୦୦ ବର୍ଷରୁ ଅଧିକ ପୁରୁଣା ବୋଲି ଜଣାପଡିଛି | ଆମେରିକା ଓ ଜାପାନ ଭଳି ଦେଶରେ ଏହି ବ୍ୟବସ୍ଥା ପୂର୍ବରୁ କାର୍ଯ୍ୟକାରୀ ହୋଇସାରିଛି | ଯାହାଦ୍ୱାରା ଲୋକମାନେ କୋଡ଼ ସ୍କାନ କରି ଗଛର ବିଶେଷତ୍ୱ ବାବଦରେ ଜାଣିପାରୁଛନ୍ତି | ଏହାଦ୍ୱାରା ଲୋକଙ୍କର ଗଛ ପ୍ରତି ଦାୟିତ୍ୱବୋଧ ବଢ଼ିଥିବାର ଦେଖିବାକୁ ମିଳିଛି |

ସମ୍ବନ୍ଧିତ ଖବର