‘କନକମୁଣ୍ଡି’ ଓ ‘ତ୍ରିମୁଣ୍ଡି ଚାନ୍ଦୁଆ’ କଥା

ରଥ କଥା - ଅସିତ ମହାନ୍ତି

ଶ୍ରୀମନ୍ଦିରର ସ୍ୱତନ୍ତ୍ର ପାରିଭାଷିକ ଶବ୍ଦାବଳୀ ମଧ୍ୟରୁ ଦୁଇଟି ହେଉଛି ‘କନକମୁଣ୍ଡି’ ଓ ‘ତ୍ରିମୁଣ୍ଡି’ । ‘ତ୍ରିମୁଣ୍ଡ’ ତିନି ମୁଣ୍ଡ ଥିବା ବ୍ୟକ୍ତି ବା ତିନି ଶାଖା ବିଶିଷ୍ଟ ଦ୍ରବ୍ୟକୁ ବୁଝାଏ । ସେହି ଅନୁସାରେ ରାମଙ୍କ ଦ୍ୱାରା ନିହତ ହୋଇଥିବା ‘ତ୍ରିଶିରା’ ରାକ୍ଷସ ବା ତିନି ମୁଣ୍ଡଥିବା ‘ଜ୍ୱର-ପୁରୁଷ’ଙ୍କୁ ମଧ୍ୟ ଏହା ବୁଝାଇଥାଏ ।

କିନ୍ତୁ ଶ୍ରୀମନ୍ଦିରରେ ‘ତ୍ରିମୁଣ୍ଡ’ ବୁଝାଏ ତିନିଠାକୁର- ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କୁ । ସେଇଥିପାଇଁ ଅକ୍ଷୟତୃତୀୟାରେ ତିନିଠାକୁରଙ୍କୁ ଯେଉଁ ବିଶେଷ ଚନ୍ଦନଲାଗି କରାଯାଏ, ତାହାକୁ ‘ତ୍ରିମୁଣ୍ଡି ଚନ୍ଦନ ଲାଗି’ କୁହାଯାଏ । ଶ୍ରୀବିଗ୍ରହମାନଙ୍କର ମସ୍ତକର ଶୀର୍ଷରେ ଶୋଭା ପାଉଥିବା ଗଭା ବା ପୁଷ୍ପ ନିର୍ମିତ ଜୁଡ଼ାକୁ ମଧ୍ୟ ଏହି ଦୃଷ୍ଟିରୁ ‘ତ୍ରିମୁଣ୍ଡି ଗଭା’ କୁହାଯାଇଥାଏ । ସେମାନଙ୍କର ପହୁଡ଼ ନୀତିରେ ଲାଗୁଥିବା ‘ମୁଚୁଳା’ ବା ତକିଆ ମଧ୍ୟ ‘ତ୍ରିମୁଣ୍ଡି ମୁଚୁଳା’ ଭାବରେ ନାମିତ ହୋଇଥାଏ । ପୂର୍ବେ ‘ମାହାରୀ’ ସେବିକାମାନେ ସେମାନଙ୍କର ପାରମ୍ପରିକ ବେଶଭୂଷାରେ ତିନି ଶାଖା ବିଶିଷ୍ଟ ପୁଷ୍ପ ଅଳଙ୍କାର ମଥାରେ ପିନ୍ଧୁଥିଲେ । ତାହାର ନାମ ‘ତ୍ରିମୁଣ୍ଡି ଗଭା’ । ମାତ୍ର ଏହି ‘ମାହାରୀ’ ସେବା ଏବେ ଶ୍ରୀମନ୍ଦିରରୁ ବିଲୁପ୍ତ ହୋଇଯାଇଛି ।

ଏହିପରି ଭାବରେ ଶ୍ରୀମନ୍ଦିରରେ ପ୍ରଚଳିତ ଅଛି ‘ତ୍ରିମୁଣ୍ଡି ଚାନ୍ଦୁଆ’ । ‘ଚନ୍ଦନ’, ‘ଗଭା’ ଓ ‘ମୁଚୁଳା’ ଆଦି ପରି ଏହି ‘ତ୍ରିମୁଣ୍ଡି’ ମଧ୍ୟ ଚାନ୍ଦୁଆର ଏକ ବିଶେଷଣ । ତିନିଠାକୁରଙ୍କ ମସ୍ତକର ଉପରି ଭାଗରେ ଟଙ୍ଗା ହେଉଥିବାରୁ, ଏହାର ନାମ ‘ତ୍ରିମୁଣ୍ଡି ଚାନ୍ଦୁଆ’ ହୋଇଛି ।

ଶ୍ରୀମନ୍ଦିରର ଗର୍ଭଗୃହ ବା ଗମ୍ଭୀରା ଭିତରେ, ତିନିଠାକୁରଙ୍କ ମୁଣ୍ଡ ଉପରେ ଯେଉଁ କାଠର ମଣ୍ଡପ ଅଛି- ସେଇଥିରେ ଏହି ‘ତ୍ରିମୁଣ୍ଡି’ ଚାନ୍ଦୁଆ ଟଙ୍ଗାଯାଏ । ସେହି କାଠମଣ୍ଡପକୁ କଥିତ ଭାଷାରେ ‘କନକ ମୁଣ୍ଡି’ ବା ‘କନକ ମୁଣ୍ଡେଇ’ କୁହାଯାଏ । ଏହାର ସାଧୁ ନାମ ‘କନକ ମଣ୍ଡପ’ା

ଏହି ‘ତ୍ରିମୁଣ୍ଡି ଚାନ୍ଦୁଆ’ ପୁରୀର ‘ବଡ଼ ଓଡ଼ିଆ ମଠ’ ପ୍ରତିବର୍ଷ ନୂଆ ଭାବରେ ତିଆରି କରି ଯୋଗାଇଥାଆନ୍ତି । ପ୍ରତିବର୍ଷ ଠାକୁରମାନଙ୍କର ‘ନୀଳାଦ୍ରି ବିଜେ’ ପୂର୍ବରୁ ଏହା କନକମୁଣ୍ଡିରେ ବନ୍ଧାଯାଏ ।

ଶ୍ରୀଜଗନ୍ନାଥଙ୍କ ରଥଯାତ୍ରା ସହିତ ଶ୍ରୀକ୍ଷେତ୍ରର ଯେଉଁସବୁ ମଠ ସଂପୃକ୍ତ, ସେମାନଙ୍କ ମଧ୍ୟରୁ ଗୋଟିଏ ହେଉଛି- ବଡ଼ ଓଡ଼ିଆ ମଠ । ଏହା ‘ଅତିବଡ଼ୀ’ ସଂପ୍ରଦାୟର ଏକ ମଠ । ଶ୍ରୀଚୈତନ୍ୟ ଜଗନ୍ନାଥ ଦାସଙ୍କୁ ‘ଅତିବଡ଼’ ବୋଲି କହିଥିଲେ । ତାହାକୁ ନେଇ ଓ ଜଗନ୍ନାଥ ଦାସଙ୍କୁ କେନ୍ଦ୍ର କରି, ଏହି ଓଡ଼ିଆ ବୈଷ୍ଣବ ସଂପ୍ରଦାୟର ମଠ ଗଢ଼ି ଉଠିଥିଲା । ଗଜପତି ରାଜା ପ୍ରତାପରୁଦ୍ର ଦେବଙ୍କ ପାଟରାଣୀ ଗୌରୀ ପାଟ ମହାଦେଈ ଜଗନ୍ନାଥ ଦାସଙ୍କର ଶିଷ୍ୟତ୍ୱ ଗ୍ରହଣ କରିଥିଲେ ଏବଂ ପୁରୀ ବାସେଳି ସାହିର ମଠ ନିମନ୍ତେ ସ୍ଥାନ ଦେଇଥିଲେ ବୋଲି ଜଣାଯାଏ ।

‘ତ୍ରିମୁଣ୍ଡି ଚାନ୍ଦୁଆ’ ତିଆରି ଚାଲିଛି

ରଥଯାତ୍ରାରେ ଏହି ମଠର ଅନେକଗୁଡ଼ିଏ ପ୍ରତ୍ୟକ୍ଷ ସେବା ରହିଛି । ଅଣସର ସମୟରେ ମଠ ପକ୍ଷରୁ ଫୁଲୁରି ତେଲ ଓ ଠାକୁରମାନଙ୍କର ଚକଟା ଭୋଗ ସାମଗ୍ରୀ ଯୋଗାଯାଇଥାଏ । ସେହିପରି ଗୁଣ୍ଡିଚାଘରଠାରେ ପନ୍ତିଭୋଗପାଇଁ ଏହି ମଠ ସ୍ୱତନ୍ତ୍ର ଚାଳି ତିଆରି କରିଥାଆନ୍ତି ଏବଂ ଠାକୁରମାନଙ୍କର ଆଡ଼ପ ମଣ୍ଡପ ବିଜେ ସମୟରେ ପନ୍ତିଭୋଗ କରିଥାଆନ୍ତି । ଏହା ହେଉଛି ‘ଆହୁଡ଼ା ପନ୍ତି’ । ସେହିପରି ବାହୁଡ଼ା ଦିନ ମଧ୍ୟ ଏହି ମଠ ପକ୍ଷରୁ ‘ବାହୁଡ଼ା ପନ୍ତି’ ଭୋଗ କରାଯାଇଥାଏ । ଗୁଣ୍ଡିଚା ଘରେ ଷଷ୍ଠୀ ଦିନର ସର୍ବାଙ୍ଗ ଚନ୍ଦନ ଲାଗି ନିମନ୍ତେ ଏହି ମଠ ଚନ୍ଦନ ଆଦି ସାମଗ୍ରୀ ଯୋଗାଇଥାଆନ୍ତି । ଆଷାଢ଼ ଶୁକ୍ଳ ଦ୍ୱାଦଶୀରେ ରଥ ଉପରେ ହେଉଥିବା ତିନି ହାଣ୍ଡି ଅଧର ପଣାର ସାମଗ୍ରୀ ମଧ୍ୟ ଏହି ମଠ ଯୋଗାନ୍ତି । ଠାକୁରମାନଙ୍କର ‘ଚକା ଅପସର’ (ଗୋଲାକାର ତକିଆ)ପାଇଁ ପାଟକନା ମଧ୍ୟ ଏହି ମଠ ଯୋଗାନ୍ତି । ଏହିସବୁ ସେବାପାଇଁ ନେତ୍ରୋତ୍ସବ ଦିନ ଏହି ମଠର ଅଧିକାରୀଙ୍କୁ ଶାଢ଼ି ବନ୍ଧା ଯାଇଥାଏ । ଏହି ଶାଢ଼ି ବନ୍ଧା ନୀତିପାଇଁ ବାରଲାଗି ପାଟବସ୍ତ୍ର ଶ୍ରୀମନ୍ଦିର ପ୍ରଶାସନ ଯୋଗାଇଥାଆନ୍ତି ।

ରତ୍ନ ସିଂହାସନ ମାର୍ଜନ ପାଇଁ ପଟୁଆରରେ ଆସୁଛନ୍ତି ବଡ଼ ଓଡ଼ିଆ ମଠର ଅଧିକାରୀ

ବଡ଼ ଓଡ଼ିଆ ମଠର ଗୋଟିଏ ଅତି ଗୁରୁତ୍ୱପୂର୍ଣ୍ଣ ସେବା ହେଉଛି- ‘କନକମୁଣ୍ଡି’ର ରକ୍ଷଣାବେକ୍ଷଣ, ‘ତ୍ରିମୁଣ୍ଡି ଚାନ୍ଦୁଆ’ ପ୍ରସ୍ତୁତି ଓ ଯୋଗାଣ ଏବଂ ‘ରତ୍ନସିଂହାସନ ମାର୍ଜନ’ । ଠାକୁରମାନଙ୍କର ‘ଗୁଣ୍ଡିଚା ବିଜେ’ ପୂର୍ବରୁ ଶ୍ରୀଚୈତନ୍ୟ ପନ୍ଥୀ ଗୌଡ଼ୀୟ ବୈଷ୍ଣବମାନେ ଯେପରି ‘ଗୁଣ୍ଡିଚା ମନ୍ଦିର ମାର୍ଜନ’ କରିଥାଆନ୍ତି, ଠାକୁରମାନଙ୍କର ‘ନୀଳାଦ୍ରିବିଜେ’ ପୂର୍ବରୁ ସେହିପରି ଜଗନ୍ନାଥ ଦାସ ପନ୍ଥୀ ବଡ଼ ଓଡ଼ିଆ ମଠ ପକ୍ଷରୁ ଶ୍ରୀମନ୍ଦିରର ‘ରତ୍ନବେଦି ମାର୍ଜନ’ କରାଯାଇଥାଏ । ଏଥିପାଇଁ ବଡ଼ଓଡ଼ିଆ ମଠର ଅଧିକାରୀ (ମହନ୍ତ) ସ୍ୱତନ୍ତ୍ର ବିମାନରେ ପଟୁଆର ସହିତ ଶ୍ରୀମନ୍ଦିରକୁ ଆସିଥାଆନ୍ତି । କର୍ପୂର, କେଶର ଓ ଚୁଆ ଆଦି ପଡ଼ିଥିବା ଘୋରା ଚନ୍ଦନ ଦ୍ୱାରା ସେ ନିଜେ ଶ୍ରୀମନ୍ଦିରର ରତ୍ନସିଂହାସନର ମାର୍ଜନ କରନ୍ତି । ଏହି ଗୁରୁତ୍ୱପୂର୍ଣ୍ଣ ସେବାପାଇଁ ଶ୍ରୀମନ୍ଦିରରେ ତାଙ୍କର ସ୍ୱତନ୍ତ୍ର ମର୍ଯ୍ୟାଦା ରହିଛି । ନୀଳାଦ୍ରିବିଜେ ଦିନ ଏହି ରତ୍ନସିଂହାସନ ମାର୍ଜନ କରାଯିବା ସହିତ, ମଠ ପକ୍ଷରୁ ନୀଳଚକ୍ରରେ ସ୍ୱତନ୍ତ୍ର ଧ୍ୱଜା ବନ୍ଧାଯାଇଥାଏ ।

ରତ୍ନସିଂହାସନ ମାର୍ଜନ ସହିତ, କନକମୁଣ୍ଡିର ରକ୍ଷଣାବେକ୍ଷଣ ଓ ମରାମତି ଏବଂ ପ୍ରତିବର୍ଷ ଗୋଟିଏ ନୂଆ ତ୍ରିମୁଣ୍ଡି ଚାନ୍ଦୁଆ ତିଆରି କରି ଯୋଗାଇବା ଓ କନକମୁଣ୍ଡିରେ ସେହି ଚାନ୍ଦୁଆ ବାନ୍ଧିବା ମଧ୍ୟ ବଡ଼ ଓଡ଼ିଆ ମଠର ସେବାର ଅନ୍ତର୍ଭୁକ୍ତ ।

ଏହି ତ୍ରିମୁଣ୍ଡି ଚାନ୍ଦୁଆ ଗୋଟିଏ ଏବଂ ତାହା ସବୁଜ, ହଳଦି ଓ ଲାଲ ରଙ୍ଗର ହୋଇଥାଏ । ଏଥିପାଇଁ ପ୍ରାୟ ୪୩ ମିଟର କନା ସହିତ, ୫ ମିଟର ଲେଖାଏଁ ଲାଲ, ହଳଦି, ସବୁଜ, ଧଳା ଓ କଳା କନା ଏବଂ କିଛି ସିଲ୍‍କ କନା ଲାଗିଥାଏ । ସବୁଜ, ହଳଦି ଓ ଲାଲ ରଙ୍ଗର ଏହି ଚାନ୍ଦୁଆ ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀଜଗନ୍ନାଥଙ୍କର ମସ୍ତକ ଉପରର ଶୋଭା ବଢ଼ାଇଥାଏ ।

ସମ୍ବନ୍ଧିତ ଖବର