ବଞ୍ଚିବା ପାଇଁ ସାଲାଇନ୍‌ ନେଉଛି ୭୦୦ ବର୍ଷର ବୁଢ଼ା ବରଗଛ

ହାଇଦ୍ରାବାଦ: ମଭୁନଗର ଜିଲ୍ଲାରେ ଥିବା ଶହ ଶହ ବର୍ଷର ଗୋଟାଏ ବୁଢ଼ା ବରଗଛକୁ ବଞ୍ଚାଇ ରଖିବାକୁ ତେଲେଙ୍ଗାନା ବନ ବିଭାଗ ସାଲାଇନ୍‌ ଦେଉଛି।

ବିଶ୍ୱରେ ଦ୍ୱିତୀୟ ବୃହତ୍‌ ବରଗଛ ବୋଲି ବନ ଅଧିକାରୀମାନେ କହୁଥିବା ଏହି ଗଛଟି ମଭୁନଗର ଉପକଣ୍ଠରେ ତିନି ଏକର ଜାଗାରେ ଛତ୍ର ପରି ମାଡ଼ି ରହିଛି। ସ୍ଥାନୀୟ ଲୋକେ ଏହାକୁ ‘ପିଲ୍ଲାଲାମାରି’ ଅର୍ଥାତ୍‌ ‘ପିଲାଙ୍କ ବରଗଛ’ ବୋଲି କହନ୍ତି। ଡିସେମ୍ବର ୨୦୧୭ ଯାଏଁ ଏହା ଥିଲା ଗୋଟାଏ ପ୍ରମୁଖ ପର୍ଯ୍ୟଟନ ଆକର୍ଷଣ। ଗଛଟି ଚୋପି ଛାଡ଼ି ଭାଙ୍ଗି ପଡୁଛି ବୋଲି କର୍ତ୍ତୃପକ୍ଷମାନେ କହିବା ପରେ ସର୍ବସାଧାରଣଙ୍କ ପାଇଁ ସେ ସ୍ଥାନ ନିଷିଦ୍ଧ କରାଯାଇଛି।

ମଭୁନଗର ଜିଲ୍ଲାର ବନ ଅଧିକାରୀ ଚୁକ୍କା ଗାନି ରେଡ୍ଡୀ କହନ୍ତି: ଚୋପି ଛାଡ଼ି ଭାଙ୍ଗିବାର ଦୁଇଟି କାରଣ ଅଛି। ପ୍ରଥମଟି ହେଲା, ଗଣ୍ଡିରୁ ଡାଳ, ଡାଳରୁ ଓହୋଳ ଯାଏଁ ସବୁଆଡ଼େ ଉଇ ଚରିଯାଇଛନ୍ତି। ଦ୍ୱିତୀୟରେ, ପର୍ଯ୍ୟଟକମାନେ ଝୁଲଣ ଖେଳିବା ଯୋଗୁଁ ଡାଳସବୁ ତଳଆଡ଼କୁ ବଙ୍କେଇ ଯାଇଛନ୍ତି। ଜିଲ୍ଲାପାଳ ରୋନାଲ୍‌ଡ୍‌ ରସ୍‌ ତୁରନ୍ତ ହସ୍ତକ୍ଷେପ କରି ପର୍ଯ୍ୟଟକମାନଙ୍କ ପାଇଁ ସେ ସ୍ଥାନ ବନ୍ଦ ରଖି ଗଛର ଦେଖାଶୁଣା ଭାର ବନ ବିଭାଗକୁ ହସ୍ତାନ୍ତର କରିଛନ୍ତି।

ରେଡ୍ଡୀ କହନ୍ତି: ବନ ବିଭାଗର କର୍ତ୍ତୃପକ୍ଷ ସେ ଗଛରେ କ୍ଲୋରୋପାଇରିଫସ୍‌ ଦେଉଛନ୍ତି। ଉଇ ଦମନ ପାଇଁ ଏହା ହିଁ ଏକମାତ୍ର ଫଳପ୍ରଦ ଚିକିତ୍ସା। ପ୍ରଥମେ ଆମେ ଏହାର ଚେର ପ୍ରଣାଳୀ ଚାରିପଟେ ଖାଇ ଖୋଳି ୧ ଲିଟର୍‌ ପାଣିରେ ୨୦ ମିଲି ଲିଟର୍‌ କ୍ଲୋରୋପାଇରିଫସ୍‌ ମିଶାଇ ସେଥିରେ ଢାଳିଲୁ। ତା’ପରେ ଗଣ୍ଡି ଓ ଡାଳମାନଙ୍କରେ ଥିବା ପ୍ରଭାବିତ ଜାଗା ସବୁରେ ଗାତ କରି ପ୍ରେସର୍‌ ପମ୍ପ୍‌ ଯୋଗେ ପାଣି ଗୋଳା କୀଟନାଶକ ଛାଡ଼ିଲୁ। କିନ୍ତୁ, ଏହା ଠିକ୍‌ ଭାବେ କାମ ଦେଲା ନାହିଁ।

ତେଣୁ ସାଲାଇନ୍‌ ଡ୍ରିପ୍‌ ଭଳି କୀଟନାଶକ ମିଶା ପାଣି ଗଛ ମଧ୍ୟକୁ ଇଞ୍ଜେକ୍‌ସନ୍‌ ମାଧ୍ୟମରେ ପୂରାଇବାକୁ ବିଭାଗୀୟ କର୍ତ୍ତୃପକ୍ଷମାନଙ୍କ ମୁଣ୍ଡରେ ବୁଦ୍ଧି ପଶିଲା। ତେଣୁ ସେମାନେ ଶହ ଶହ ସାଲାଇନ୍‌ ବୋତଲରେ କୀଟନାଶକ ପୂରାଇ ପ୍ରତି ଦୁଇ ମିଟର ବ୍ୟବଧାନରେ ଗଛ ସାରା ଝୁଲାଇ ଦେଲେ।
ସେ ଯାହା ହେଉ ସେଠାରୁ ଉଇବଂଶ ଲୋପ କରିବାକୁ ଆହୁରି ଦୁଇ ତିନି ମାସ ଲାଗିବ।

ସମ୍ବନ୍ଧିତ ଖବର