ନୂଆଦିଲ୍ଲୀ: ଗତ ୭୨ ବର୍ଷ ଭିତରେ ୨୬ ଜଣ ଅର୍ଥମନ୍ତ୍ରୀଙ୍କ ନେତୃତ୍ୱରେ ପାର୍ଲାମେଣ୍ଟ୍ରେ ୭୬ ଥର କେନ୍ଦ୍ରୀୟ ବଜେଟ୍ ଅଧିବେଶନ ବସିଛି। ସର୍ବସାଧାରଣଙ୍କ ଖର୍ଚ୍ଚ ସକାଶ ଏହି ବାର୍ଷିକ ଅଟକଳ କେତେଗୁଡ଼ିଏ ପ୍ରଥା ଓ ପରମ୍ପରା ଦେଇ ଆସିବା ପରେ ଉପସ୍ଥାପନ କରା ଯାଇଥାଏ। ସେଥିରୁ ୧୦ଟି ପରମ୍ପରା ଏମିତି।
Sambad is now on WhatsApp
Join and get latest news updates delivered to you via WhatsApp
ସମୟ ସାରଣୀ: କେନ୍ଦ୍ର ବଜେଟ୍ ପ୍ରସ୍ତୁତି ନିମନ୍ତେ ପ୍ରାୟ ୫ ରୁ ୭ ମାସ ସମୟ ଲାଗିଥାଏ। ୨୦୧୭ ଯାଏଁ ଫେବ୍ରୁଆରି ମାସର ଶେଷ କାର୍ଯ୍ୟ ଦିବସରେ ବଜେଟ୍ ଉପସ୍ଥାପନ କରାଯାଉଥିଲା, କିନ୍ତୁ ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ତାହାକୁ ଫେବ୍ରୁଆରି ୧ ତାରିଖକୁ ପରିବର୍ତ୍ତନ କରିଛନ୍ତି।
ନୀଳ କାଗଜ: ଥରକୁ ଥର ସୂଚନା ଆଧାରରେ ବଦଳା ଯାଉଥିବା ବଜେଟ୍ର ରଫ୍ କପି ଅର୍ଥମନ୍ତ୍ରୀଙ୍କୁ ସବୁବେଳେ ଈଷତ୍ ନୀଳ କାଗଜରେ ଦିଆଯାଏ। ଏଇଟା ଔପନିବେଶିକ ପରମ୍ପରା। ପୁରାକାଳରୁ ବ୍ରିଟିସ୍ ପାର୍ଲାମେଣ୍ଟ୍ରେ ନୀଳ ରଙ୍ଗର କାଗଜ ଅସମ୍ପାଦିତ ଓ ପ୍ରାଥମିକ ଦଲିଲ୍ ରୂପେ ଜଣାଶୁଣା। ଏହି ନୀଳ ରଙ୍ଗର କାଗଜକୁ ସ୍ୱୟଂ ଅର୍ଥମନ୍ତ୍ରୀ ମଧ୍ୟ ରଖି ପାରିବେ ନାହିଁ ବୋଲି ନିୟମ ରହିଛି।
ସମୟ ନିର୍ଘଣ୍ଟ: ୧୯୯୯ ମସିହା ଯାଏଁ ସନ୍ଧ୍ୟା ୫ଟାରେ କେନ୍ଦ୍ର ବଜେଟ୍ ଘୋଷିତ ହେଉଥିଲା। ୨୦୦୧ ମସିହା ଠାରୁ ଅର୍ଥମନ୍ତ୍ରୀ ଯଶୋବନ୍ତ ସିହ୍ନା ନୂଆ ପରମ୍ପରା ଆରମ୍ଭ କରି ପୂର୍ବାହ୍ନ ୧୧ଟାରେ ବଜେଟ୍ ଘୋଷଣା କଲେ।
ଦୀର୍ଘ ଓ ସଂକ୍ଷିପ୍ତ ଅଭିଭାଷଣ: ଏହି ଅଭିଭାଷଣ ସାଧାରଣତଃ ଘଣ୍ଟିକିଆ ହୋଇଥାଏ, କିନ୍ତୁ ସବୁ ଥର ତାହା ହୁଏ ନାହିଁ। ୧୯୯୧ରେ ମନମୋହନ ସିଂହ ୧୮, ୬୫୦ ଶବ୍ଦବିଶିଷ୍ଟ ଦୀର୍ଘତମ ଅଭିଭାଷଣ ପ୍ରଦାନ କରିଥିଲେ। ତା’ ପଛକୁ ଗତବର୍ଷ ଜେଟ୍ଲୀ ୧୮, ୬୦୪ ଶବ୍ଦବିଶିଷ୍ଟ ଅଭିଭାଷଣ ଦେଇଥିଲେ। ୧୯୭୭ ମସିହାରେ ଏଚ୍. ଏମ୍. ପଟେଲ୍ ସବୁଠୁ ସଂକ୍ଷିପ୍ତ ଭାଷଣ ଦେଇଥିଲେ ଯାହା ଥିଲା ୮୦୦ ଶବ୍ଦବିଶିଷ୍ଟ।
ଗୋପନ ଫାଇଲ୍: ୧୯୫୦ ମସିହାରେ ବଜେଟ୍ ଉପସ୍ଥାପନ ପୂର୍ବରୁ ପ୍ରଘଟ ହୋଇ ଯାଇଥିଲା। ତା’ର ପୁନରାବୃତି ନ ହେବା ଲାଗି କଡ଼ା ପହରା ବ୍ୟବସ୍ଥା ଲାଗୁ ହୋଇଛି। ଏଥି ନିମନ୍ତେ ଫୋନ୍ ଓ କମ୍ପ୍ୟୁଟ୍ ଟ୍ୟାପିଙ୍ଗ୍, ହାଇ-ଟେକ୍ ସର୍ଭିଲେନ୍ସ୍; ଇଲେକ୍ଟ୍ରନିକ୍ ବଗ୍ ସୁଇପ୍, ଗୁପ୍ତ କ୍ୟାମେରା, ଜାମର୍ ଏବଂ ସ୍କାନର୍ ଆଦି ଉପଯୋଗ କରାଯାଉଛି।
ହାଲୁଆ ଖିଆ: ଅର୍ଥମନ୍ତ୍ରାଳୟର ଭୂତଳ ପ୍ରକୋଷ୍ଠରେ ଥିବା ଛାପାଖାନାରେ ପ୍ରାୟ ସପ୍ତାହେ ପୂର୍ବରୁ ବଜେଟ୍ ମୁଦ୍ରଣ କରାଯାଏ। ହାଲୁଆ ଖିଆ ଯାଇ ଏହାର ଶୁଭାରମ୍ଭ କରାଯାଏ। ଅର୍ଥମନ୍ତ୍ରାଳୟ ପ୍ରାୟ ୧୦୦ ଅଧିକାରୀ ଓ କର୍ମଚାରୀଙ୍କୁ ବିପୁଳ ପରିମାଣରେ ହାଲୁଆ ଖୋଇ ଥାଆନ୍ତି।
କବାଟା କିଳା: ତା’ପରେ ବଜେଟ୍ ଉପସ୍ଥାପନ ନ ହେଲା ଯାଏଁ କର୍ମଚାରୀମାନଙ୍କୁ ନର୍ଥ ବ୍ଲକ୍ ଭିତରେ ଅଟକ ରଖାଯାଏ। ସେମାନେ ହତା ବାହାରକୁ ଯାଇ ପାରିବେ ନାହିଁ, ଘର ଲୋକ କି, ବନ୍ଧୁବାନ୍ଧବଙ୍କ ସହ ଯୋଗାଯୋଗ କରି ପାରିବେ ନାହିଁ। ସେମାନଙ୍କୁ ପରଷା ଯାଉଥିବା ଖାଦ୍ୟକୁ ପ୍ରଥମେ ଚାଖୁଣିଆମାନେ ଚାଖନ୍ତି। ତାଙ୍କ ଲାଗି ଡାକ୍ତର ସଜ ହୋଇ ରହିଥାଆନ୍ତି। ଯଦି କୌଣସି ବିଷମ ପରିସ୍ଥିତିରେ ସେମାନଙ୍କୁ ପଦାକୁ ଯିବାକୁ ପଡ଼େ, ତାଙ୍କ ସହ ଗୁଇନ୍ଦା ଓ ପୁଲିସ ଅଧିକାରୀ ଯାଆନ୍ତି।
ଫୋଟୋ ଉତ୍ତୋଳନ: ବଜେଟ୍ ଉପସ୍ଥାପନ ଦିନ ଖବରକାଗଜ ସକାଶ ଫଟୋ ଉତ୍ତୋଳନ ଲାଗି ଅର୍ଥମନ୍ତ୍ରୀ ପାର୍ଲାମେଣ୍ଟ୍ ବାହାରେ ବ୍ରିଫ୍କେଶଟିଏ ଟେକି ଧରନ୍ତି। ବଜେଟ୍ ଅଭିଭାଷଣ ପ୍ରଦାନ ପୂର୍ବରୁ ହେଉଥିବା ଏହି ପରମ୍ପରା ରାଣୀ ଭିକ୍ଟୋରିଆଙ୍କ ଅମଳରୁ ଚାଲି ଆସୁଛି। ଇଂଲଣ୍ଡ୍ରେ ଅର୍ଥମନ୍ତ୍ରୀ ଲାଲ୍ ରଙ୍ଗର ଚମଡ଼ା ବ୍ରିଫ୍କେଶ୍ ବ୍ୟବହାର କରନ୍ତି ଯାହା ପୂର୍ବ ଅର୍ଥମନ୍ତ୍ରୀଙ୍କ ହାତରୁ ତାଙ୍କ ହାତକୁ ଆସିଥାଏ। କିନ୍ତୁ, ଭାରତରେ ଅର୍ଥମନ୍ତ୍ରାଳୟ ବ୍ରିଫ୍କେଶ୍ କିଣିଥାଏ।
ଉଲ୍ଲେଖନୀୟ ଉଦ୍ଧୃତି: ବଜେଟ୍ ଅଭିଭାଷଣରେ ଅର୍ଥମନ୍ତ୍ରୀମାନେ ପ୍ରସିଦ୍ଧ ବ୍ୟକ୍ତିମାନଙ୍କର ବକ୍ତବ୍ୟ ଉଦ୍ଧାର କରିଥାଆନ୍ତି। ମନମୋହନ ସିଂହ ରବୀନ୍ଦ୍ରନାଥ ଠାକୁର ଏବଂ ଭିକ୍ଟୋର ହ୍ୟୁଗୋଙ୍କ କଥା ଉଦ୍ଧାର କରିଥିବା ବେଳେ ପି ଚିଦାମ୍ବରମ୍ ବିବେକାନନ୍ଦ ଏବଂ ତିରୁବଲ୍ଲବରଙ୍କ ବାଣୀ ଉଦ୍ଧାର କରିଥିଲେ। ପ୍ରଣବ ମୁଖାର୍ଜୀ କୌଟିଲ୍ୟ ଏବଂ ସେକ୍ସପିୟର୍ଙ୍କ ବକ୍ତବ୍ୟ କହିଥିଲେ।
ବେଶପୋଷାକ: ବଜେଟ୍ ଦିବସ ବିବୃତି ଦେବାର ଦିବସ। ଏ ସମୟରେ ଅର୍ଥମନ୍ତ୍ରୀ ଡ୍ରେସ୍ କୋଡ୍ ମାନି ନ ଥାଆନ୍ତି। ସ୍ୱାଧୀନ ଭାରତର ପ୍ରଥମ ଅର୍ଥମନ୍ତ୍ରୀ ଶନମୁଖମ ଚେଟ୍ଟୀ ଧୋତି-କୁର୍ତ୍ତା ଓ ଗାନ୍ଧୀ ଟୋପି ପରିଧାନ କରିଥିଲେ। ଜେଟ୍ଲି କୁର୍ତ୍ତା-ପାଇଜାମା ଉପରେ ପିନ୍ଧିଥିଲେ ଆଖିଦୃଶିଆ ନେହେରୁ କୋଟ୍। ପ୍ରଣବ ମୁଖାର୍ଜୀ ପିନ୍ଧିଥିଲେ ବନ୍ଦଗଳା କୋଟ୍। ଚିଦାମ୍ବରମ୍ଙ୍କ ପୋଷାକ ଥିଲା ଧଳା ଜାମା ଓ ମୁଣ୍ଡୁ।