ବିମାନବନ୍ଦରରେ ବିମାନ ମେଳି : ଏକସଙ୍ଗେ ଆସିଲା ୧୨ ଚାର୍ଟଡ ବିମାନ, ପାର୍କିଂରେ ଜାଗା ହେଲାନି

ଭୁବନେଶ୍ବର : ଆଜି ବିମାନବନ୍ଦରରେ ବିମାନ ମେଳି ଦେଖିବାକୁ ମିଳିଥିଲା। ଭୁବନେଶ୍ବରରୁ ନିୟମିତ ଉଡ଼ାଣ କରୁଥିବା ବିମାନ ବାଦ୍‌ ଅଧିକ ୧୨ଟି ଚାର୍ଟଡ ବିମାନ ଅଳ୍ପ ସମୟ ବ୍ୟବଧାନରେ ଅବତରଣ କରିବାରୁ ଏହାର ପାର୍କିଂ ନେଇ ବିମାନବନ୍ଦର କର୍ତ୍ତୃପକ୍ଷ କିଛି ସମୟ ପାଇଁ ଅକଳରେ ପଡ଼ିଯାଇଥିଲେ। ପୂର୍ବରୁ କେବେ ଏକସଙ୍ଗେ ଏତେ ଅନସିଡ୍ୟୁଲ୍‌ଡ ବିମାନ ଦୀର୍ଘ ସମୟ ପାଇଁ ପାର୍କିିଂ କରିନଥିବାରୁ ବିମାନବନ୍ଦର କର୍ମଚାରୀ ଘାବରେଇ ଯାଇଥିଲେ। କିନ୍ତୁ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଥିଲା। ଭୁବନେଶ୍ବର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ୭ଟାରୁ ପୂର୍ବାହ୍ନ ୯ଟା ମଧ୍ୟରେ ୧୨ଟି ବିମାନ ଅବତରଣ କରିଥିଲା। ଏହି ସମସ୍ତ ବିମାନ ଘରୋଇ ବିମାନ ଥିଲା। ଏଥିରେ ରିଲାଏନ୍ସ କମର୍ସିଆଲ୍‌, ଜେଏସ୍‌ଡବ୍ଲ୍ୟୁ ଷ୍ଟିଲ୍‌, ମଦୁରାଇ ଟ୍ରାନ୍ସକ୍ୟାରିଅର, ରିଲାଏନ୍ସ ଟ୍ରାନ୍ସପୋର୍ଟ ଆଣ୍ଡ୍ ଟ୍ରାଭେଲ୍ସ, ଇଆଇଏଚ୍‌ ଲିମିଟେଡ୍, ତାଜ୍‌ ଏୟାର ଲିମିଟେଡ, କର୍ଣ୍ଣାବତି ଆଭିଏସନ୍ ପ୍ରାଇଭେଟ୍ ଲିମିଟେଡ, ଏୟାର କାର୍‌ ଏୟାରଲାଇନ୍ସ, ଇଣ୍ଡିଆ ଫ୍ଲାଇ ସେଫ୍ ଆଭିଏସନ୍, ଆରସିଡିଏଲ୍‌ର ଗୋଟିଏ ଲେଖାଏଁ ବିମାନ ଆସିଥିବାବେଳେ ହିଣ୍ଡାଲ୍‌କୋ ଇଣ୍ଡଷ୍ଟ୍ରିଜ୍‌ର ଦୁଇଟି ବିମାନ ଆସିଥିଲା। ରିଲାଏନ୍ସ ଗ୍ରୁପ୍‌ର ତିନିଟି ବିମାନ ଆସିଥିବାବେଳେ ଏହା ତିନିଟି ସଂସ୍ଥା ନାମରେ ଆସିଥିଲା।

ଏବେ ବିମାନବନ୍ଦରରେ ଏକସଙ୍ଗେ ୫ଟି ବିମାନ ପାର୍କିଂ କରିବାର ସୁବିଧା ଥିବାବେଳେ ଏହି ଅଞ୍ଚଳରେ ନିୟମିତ ଉଡ଼ାଣ କରୁଥିବା ବିମାନ ପାର୍କିିଂ କରିଥିଲା। ଭୁବନେଶ୍ବରକୁ ଆସୁଥିବା ଚାର୍ଟଡ ବିମାନକୁ ନଜରରେ ରଖି ବିମାନବନ୍ଦରରେ ବିମାନ ପାର୍କିଂ ସଂଖ୍ୟା ୮କୁ ବଢ଼ାଯାଉଛି ବୋଲି କର୍ତ୍ତୃପକ୍ଷ କହିଛନ୍ତି।

ସମ୍ବନ୍ଧିତ ଖବର