ୟୁପିଏସସି ପରୀକ୍ଷାର୍ଥୀମାନଙ୍କୁ ଟ୍ରେନିଂ ଦେଉଛନ୍ତି ୧୩ ବର୍ଷର ବାଳକ!

ୟୁପିଏସସି ପରୀକ୍ଷାର୍ଥୀଙ୍କୁ ଟ୍ରେନିଂ ଦେଉଛନ୍ତି ୧୩ ବର୍ଷର ବାଳକ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଏହି ବାଳକ ଜଣକ ନିଜ ଭିଡିଓ ଜରିଆରେ, ସେହି ଆଶାୟୀମାନଙ୍କୁ ସାହାଯ୍ୟ କରୁଛନ୍ତି, ଯେଉଁମାନେ ୟୁପିଏସସି ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି । ଆଉ ଏହି ୧୩ ବର୍ଷୀୟ ପୁଅର ନାଁ ହେଉଛି ଅମର ସ୍ୱସ୍ତିକ ଆଚାର୍ଯ୍ୟ । ଅମର ଭାରତର ସବୁଠାରୁ ଯୁବ ଏବଂ ପ୍ରସିଦ୍ଧ ୟୁଟ୍ୟୁବର ଅଟନ୍ତି, ଯିଏକି ୟୁପିଏସସି ସିଭିଲ୍ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀମାନଙ୍କୁ ସାହାଯ୍ୟ କରୁଛନ୍ତି ।

ତେଲେଙ୍ଗାନାର ଏକ ଛୋଟ ସହରରେ ଜନ୍ମ ହୋଇଥିବା ଅମର, ମାତ୍ର ୧୦ ବର୍ଷ ବୟସରେ ହିଁ ୨୦୧୬ ମସିହାରେ ୟୁଟ୍ୟୁବରେ ନିଜ ଚ୍ୟାନେଲ ଆରମ୍ଭ କରିଥିଲେ । ତେବେ ସବୁଠାରୁ ବଡ କଥା ହେଉଛି ଏବେ ତାଙ୍କ ଚ୍ୟାନେଲକୁ ୧,୮୮,୨୯୩ ଜଣ ୟୁଜର୍ସ ସବସ୍କ୍ରାଇବ କରିସାରିଲେଣି । ଆଉ ନିଜ ଚ୍ୟାନେଲରେ ସେ ୩୦ରୁ ଅଧିକ ଭିଡିଓ ଅପଲୋଡ କରିସାରିଲେଣି ।

ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁଯାୟୀ, ଅମରଙ୍କ ବାପା ଏକ ସରକାରୀ ସ୍କୁଲରେ ଶିକ୍ଷକ ଥିଲେ । ଅମର କହିଛନ୍ତି ଯେ, ସେ ଯେତେବେଳେ ପଂଚମ ଶ୍ରେଣୀରେ ପଢୁଥିଲେ, ସେତେବେଳେ ସେ ଆଟଲାସ୍ ସହ ଖେଳିବା ପାଇଁ ଭଲ ପାଉଥିଲେ । ଯେଉଁଥିପାଇଁ ତାଙ୍କ ବାପା ଭୂଗୋଳ ଉପରେ ତାଙ୍କୁ ଅଧିକ ଜ୍ଞାନ ଦେବା ଆରମ୍ଭ କରିଥିଲେ । ଥରେ ଭୂଗୋଳ ପଢିବା ସମୟରେ, ଅମରଙ୍କ ମା ତାଙ୍କ ଭିଡିଓ କରିବା ସହ ଅନଲାଇନରେ ଅପଲୋଡ ମଧ୍ୟ କରିଥିଲେ । ଆଉ ଏହି ଭିଡିଓରେ ଭଲ ପ୍ରତିକ୍ରିୟା ମଧ୍ୟ ମିଳିଥିଲା । ଆରମ୍ଭରୁ ଅମରଙ୍କ ଚ୍ୟାନେଲରେ ଭୂଗୋଳ ସମ୍ବନ୍ଧରେ ଭିଡିଓ ଅପଲୋଡ ହୋଇଥିଲା । ଯେଉଁଥିରେ ଦେଶ, ନଦୀ, ଏବଂ ବିଭିନ୍ନ ସ୍ଥାନର ନାମ ମନେ ରଖିବାର ସହଜ ଉପାୟ ବାବଦରେ ଶିଖା ଯାଉଥିଲା । ଆଉ ଏହା ପରେ ଅମର, ଅର୍ଥନୀତି ଏବଂ ରାଜନୀତି ବିଜ୍ଞାନ ବିଷୟରେ ମଧ୍ୟ ନିଜ ଅବଗତ ମାନଙ୍କୁ ଭିଡିଓ ମାଧ୍ୟମରେ ଶିକ୍ଷଣୀୟ ଟିପ୍ସ ଦେଇ ଆସୁଛନ୍ତି।

ତେବେ ଅମର ନିଜେ ଏବେ ୟୁପିଏସସି ପ୍ରସ୍ତୁତି କରୁଛନ୍ତି ଏବଂ ଦେଶକୁ ଭ୍ରଷ୍ଟାଚାର ମୁକ୍ତ କରିବା ପାଇଁ ସରକାରଙ୍କ ସହ କାମ କରିବାକୁ ଚାହୁଁଥିବା କହିଛନ୍ତି । ସେ କହିଛନ୍ତି, ସେ ଜଣେ ଆଇଏଏସ ଅଧିକାରୀ ହେବା ପାଇଁ ଚାହୁଁଛନ୍ତି । ତେବେ ଅମର ନିଜ ଚ୍ୟାନେଲରେ ୟୁଜର୍ସମାନଙ୍କ ଡିମାଣ୍ଡ ଅନୁଯାୟୀ, ଭିଡିଓ ଅପଲୋଡ କରୁଛନ୍ତି । ଏହା ସହ ତାଙ୍କୁ ନେଗେଟିଭ୍ କମେଂଟର ମଧ୍ୟ ସାମ୍ନା କରିବାକୁ ପଡେ ବୋଲି ସେ କହିଛନ୍ତି । ତେବେ ସେ କହିଛନ୍ତି, ସେ କେବଳ ୱିକେଣ୍ଡରେ ହିଁ ଭିଡିଓ ବନାଇଥାନ୍ତି ଏବଂ ଅନ୍ୟ ସମୟରେ ସେ ନିଜ ସ୍କୁଲ ପାଠପଢା ପ୍ରତି ଧ୍ୟାନ ଦେଇଥାନ୍ତି ।

ସମ୍ବନ୍ଧିତ ଖବର