୧୮ବର୍ଷ ଧରି ବିନା-ହର୍ଣ୍ଣରେ ଗାଡ଼ି ଚଳାଇଥିବା ଚାଳକଙ୍କୁ ମିଳିଲା ‘ମାନୁଷ ସମ୍ମାନ’

କୋଲକାତା: କାର ଓ ଯାନବାହାନରେ ଭର୍ତ୍ତି ଥିବା ସଡ଼କରେ ବିନା ହର୍ଣ୍ଣରେ ଗାଡ଼ି ଚଳାଇବା ଏକ ଅସମ୍ଭବ କାମ ବୋଲି ଲାଗିଥାଏ। କିନ୍ତୁ କୋଲକତାର ଜଣେ ଚାଳକ ପରିବେଶକୁ ଶବ୍ଦ ପ୍ରଦୂଷଣକୁ ମୁକ୍ତ ରଖିବା ପାଇଁ ବର୍ଷେ କି ଦୁଇବର୍ଷ ନୁହେଁ ୧୮ ବର୍ଷ ହେବ ବିନା ହର୍ଣ୍ଣ ମାରି ଗାଡ଼ି ଚଳାଇଛନ୍ତି। ଏଥିପାଇଁ ତାଙ୍କୁ ‘ମାନୁଷ ସମ୍ମାନ’ରେ ସମ୍ମାନିତ କରାଯାଇଛି। କୋଲକାତାର ଏହି ଚାଳକଙ୍କ ନାମ ହେଉଛି ଦୀପକ ଦାସ୍‌ । ‘ମାନୁଷ ସମ୍ମାନ’ ଦୁର୍ଲଭ ଓ ଅସାମାନ୍ୟ କାମ କରିଥିବା ବ୍ୟକ୍ତିଙ୍କୁ ପ୍ରଦାନ କରାଯାଇଥାଏ।

ତାବଲା ବାଦକ, ପଣ୍ଡିତ ତନ୍ମୟ ବୋଷ ଓ ଗିଟାରବାଦକ କୁଣଲ ଭଳି ପ୍ରସିଦ୍ଧ ବ୍ୟକ୍ତିଙ୍କ ପାଖରେ ଦୀପକ ଦାସ ଚାଳକ ଭାବେ କାମ କରିଛନ୍ତି। ଏଥିସହିତ ସେ ଅନେକ ସଙ୍ଗଠନ ସହିତ ମଧ୍ୟ ଯୋଡ଼ି ହୋଇ ରହିଛନ୍ତି।

ଦୀପକ ଦାସ କହନ୍ତି, ‘ହର୍ଣ୍ଣ ନ ବଜାଇ ଗାଡ଼ି ଚଳାଇବା ନୀତିକୁ ମୁଁ ବିଶ୍ୱାସ କରେ ଓ ଏ ନେଇ ଅନ୍ୟକୁ ମଧ୍ୟ ପ୍ରେରଣା ଦେଇଥାଏ। ମୋର ବିଶ୍ୱାସ ଯଦି ଚାଳକମାନେ ନୋ-ହର୍ଣ୍ଣ ନୀତି ପାଳନ କରିବେ। ତେବେ ଗାଡ଼ି ଚଳାଇବା ସମୟରେ ସେମାନେ ଅଧିକ ସଚେତନ ହୋଇ ରହିବେ। ଯଦି ଚାଳକ ସ୍ଥାନ କାଳ, ଗତି ଓ ସମୟ ସମ୍ପର୍କରେ ଅବଗତ ଅଛନ୍ତି, ତେବେ ତାଙ୍କୁ ଗାଡ଼ି ହର୍ଣ୍ଣ ବଜାଇବାର କୌଣସି ଆବଶ୍ୟକତା ନାହିଁ। ମୋତେ ଯେତେବେଳେ ଯାତ୍ରୀମାନେ ହର୍ଣ୍ଣ ବଜାଇବା ପାଇଁ କହନ୍ତି, ମୁଁ ତାଙ୍କୁ ବିନମ୍ରତା ସହ କହେ ଏହା ସମସ୍ୟା ସମାଧାନ କରିବ ନାହିଁ। ହର୍ଣ୍ଣ ଆମ ସ୍ୱାସ୍ଥ୍ୟପକ୍ଷେ ହିତକର ନୁହେଁ ବୋଲି ବି ଗାଡ଼ିରେ ଏକ ପୋଷ୍ଟର ଲଗାଇଛି।’

ଦାର୍ଜିଲିଂ ଓ ସିକିମ୍‌ ଭଳି ଦୂରସ୍ଥାନକୁ ଯାତ୍ରା କରୁଥିବା ସମୟରେ ଚାଳକମାନେ ନୋ-ହର୍ଣ୍ଣ ନୀତି ଆପଣାଇ ଥାଆନ୍ତି। କିଛି ଦିନ ମଧ୍ୟରେ କୋଲକତା ବି ନୋ-ହର୍ଣ୍ଣ ସିଟିରେ ପରିଣତ ହୋଇଯିବ ବୋଲି ମୁଁ ଆଶା କରୁଛି ବୋଲି କହିଛନ୍ତି ଦାସ।

‘ମାନୁଷ ମେଳା-୨୦୧୭’କୁ ଆୟୋଜନ କରିଥିବା ସୁଦୀପ ସରକାରଙ୍କ କହିବାନୁସାରେ, ଦାସଙ୍କୁ କାମରେ ରଖିଥିବା ବ୍ୟକ୍ତି ଓ ସଙ୍ଗଠନ ତାଙ୍କର ହର୍ଣ୍ଣ ନ ବଜାଇ ଗାଡି ଚାଳନା କରିବାକୁ ଯୋଜନାକୁ ବହୁ ପ୍ରଶଂସା କରିଥିଲେ। ସେଥିପାଇଁ ତାଙ୍କୁ ଏହି ପୁରସ୍କାର ପାଇଁ ଚୟନ କରାଯାଇଥିଲା। ଏହା ଦ୍ୱିତୀୟ ଥର ଆୟୋଜିତ ହୋଇଛି। ଏହି ମେଳାରେ ଯେଉଁ ଲୋକମାନେ ସମାଜର ହିତ ପାଇଁ କିଛି ସ୍ୱତନ୍ତ୍ର କାମ କରିଥାଆନ୍ତି ତାଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ।

ଗତବର୍ଷ ଏହି ପୁରସ୍କାର ପ୍ରାପ୍ତ କରିଥିଲେ ବିଭା ଉପାଧ୍ୟାୟ। ତାଙ୍କର ଆର୍ଥିକ ସଙ୍କଟ ଥିବା ସତ୍ତ୍ୱେ ସେ ଜୀବଜନ୍ତୁଙ୍କୁ ସୁରକ୍ଷା ଓ ପୁର୍ନବାସ କରିବାର ଅଭିଯାନ ଆରମ୍ଭ କରିଥିଲେ।

ସମ୍ବନ୍ଧିତ ଖବର