ଚୀନ୍‌ର ଲମ୍ବା ପ୍ରାଚୀର ପରି ଭାରତରେ ମଧ୍ୟ ରହିଛି ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର!

ଚୀନ୍‌ରେ ଥିବା ପ୍ରାଚୀରକୁ ବିଶ୍ୱର ସବୁଠାରୁ ଲମ୍ବା ପ୍ରାଚୀର କୁହାଯାଏ। କିନ୍ତୁ ଏହିପରି ଆଉ ଏକ ଲମ୍ବା ପ୍ରାଚୀର ଭାରତରେ ମଧ୍ୟ ରହିଛି। ଏହି ପ୍ରାଚୀର ବିଷୟରେ ବହୁତ କମ୍‌ ଲୋକ ଜାଣିଥିବେ। ଏହା ବିଶ୍ୱର ଦ୍ୱିତୀୟ ସବୁଠାରୁ ଲମ୍ବା ପ୍ରାଚୀର। ଯାହାକି ରାଜସ୍ଥାନରେ ଅବସ୍ଥିତ। ଏହା ମେବାରର କୁମ୍ଭଲଗଡ଼ ଦୁର୍ଗ ରୂପରେ ପରିଚିତ। ୧୧୦୦ ମିଟରର ଉଚ୍ଚତାରେ ଅବସ୍ଥିତ ଏହି ଦୁର୍ଗର ପ୍ରାଚୀର ୩୬ କିଲୋମିଟର ଲମ୍ବା। ଏହି ପ୍ରାଚୀରର ଚଉଡ଼ା ୧୫ ଫୁଟ। ଏଥିରେ ଏକାସଙ୍ଗେ ୧୦ଟି ଘୋଡ଼ା ଦୌଡ଼ି ପାରିବେ।

ଏହି ଦୁର୍ଗର ନିର୍ମାଣ ମହାରାଣା କୁମ୍ଭା କରାଇଥିଲେ। ଏହାର ନିର୍ମାଣ ପାଇଁ ପାଖାପାଖି ୧୫ (୧୪୪୩-୧୪୫୮) ବର୍ଷ ଲାଗିଥିଲା। ଏହି ଦୁର୍ଗର ଉଚ୍ଚ ସ୍ଥାନରେ ଗୁଡ଼ିକରେ ମହଲ, ମନ୍ଦିର ଓ ରହିବା ଉପଯୋଗୀ ବାସସ୍ଥଳୀ ନିର୍ମାଣ ହୋଇଛି। ଏହା ବ୍ୟତୀତ ଦୁର୍ଗର ସମତଳ ଭୂମିକୁ କୃଷି କାର୍ଯ୍ୟରେ ବ୍ୟବହାର କରାଯାଏ। ଏହି ଦୁର୍ଗ ୭ଟି ବିଶାଳ ଦ୍ୱାର ଓ ସୁଦୃଢ଼ ପ୍ରାଚୀର ସାହାଯ୍ୟରେ ସୁରକ୍ଷିତ ଅଛି। ଏହି ଦୁର୍ଗରେ ପୃଥ୍ଵୀରାଜଙ୍କ ପିଲାଦିନ କଟିଥିଲା।

କୁହାଯାଏ ୧୪୪୩ରେ ରାଣା କୁମ୍ଭା ଏହାର ନିର୍ମାଣ ଆରମ୍ଭ କରିଥିଲେ। କିନ୍ତୁ ଶତଚେଷ୍ଟା ସତ୍ୱେ ନିର୍ମାଣ କାର୍ଯ୍ୟ ଆଗକୁ ବଢ଼ିପାରିଲା ନାହିଁ। ନିର୍ମାଣ କାର୍ଯ୍ୟରେ ବହୁତ ବାଧାବିଘ୍ନ ଦେଖାଗଲା। ରାଜା ଏଥିରେ ଚିନ୍ତିତ ହୋଇ ଜଣେ ସନ୍ଥକୁ ଏହାର ସମାଧାନ ପାଇଁ ଡକାଇଲେ। ସନ୍ଥ ରାଜାଙ୍କୁ କହିଲେ ଯଦି କେହି ସ୍ୱଇଚ୍ଛାରେ ବଳୀ ଦେବାକୁ ରାଜି ହୁଏ ତେବେ ଯାଇ କାମ ଆରମ୍ଭ ହୋଇପାରିବ। ରାଜା ଏକଥା ଶୁଣି ଅଧିକ ଚିନ୍ତିତ ହୋଇଗଲେ। କାରଣ କିଏ କାହିଁକି ନିଜକୁ ବଳି ଦେବାକୁ ଚାହିଁବ।

ସେତେବେଳେ ସନ୍ଥ କହିଲେ ସେ ନିଜେ ବଳି ପାଇଁ ପ୍ରସ୍ତୁତ ଅଛନ୍ତି। ସନ୍ଥ କହିଲେ ସେ ପାହାଡ଼ ଉପରେ ଚାଲିବା ଆରମ୍ଭ କରିବେ ଓ ଯେତେବେଳେ ସେ ଯେଉଁଠିି ରହିଯିବେ, ସେହିଠାରେ ହିଁ ତାଙ୍କୁ ମାରି ଦିଆଯିବ ଏବଂ ସେଠାରେ ଏକ ଦେବୀ ମା’ଙ୍କ ମନ୍ଦିର ତିଆର କରାଯିବ। ସନ୍ଥଙ୍କ ପରାମର୍ଶ କ୍ରମରେ ହିଁ ସବୁ କାମ ହେଲା ଏବଂ ତା’ପରେ ପ୍ରାଚୀର କାମ ଆରମ୍ଭ କରାଗଲା। ଯାହା ଆଜି ବିଶ୍ୱରେ ଦ୍ୱିତୀୟ ସବୁଠାରୁ ବଡ଼ ପ୍ରାଚୀର ରୂପେ ପରିଚିତ।

ସମ୍ବନ୍ଧିତ ଖବର