ଆଙ୍ଗୁଠି ସମସ୍ୟା ଦୂର କରିବା ପାଇଁ ମସ୍ତିଷ୍କରେ ହେଲା ଅସ୍ତ୍ରୋପଚାର, ଏହି ସମୟରେ ରୋଗୀ ବଜାଉଥିଲେ ଗିଟାର ! ଜାଣନ୍ତୁ କାହିଁକି ଏପରି କରାଯାଇଥିଲା?

ବେଙ୍ଗାଲୁରୁ : ବେଙ୍ଗାଲୁରୁରେ ଏକ ଭିନ୍ନ ଧରଣର ଘଟଣା ଦେଖିବାକୁ ମିଳିଛି । ଏକ ଅଦ୍ଭୁତ ରୋଗର ଶିକାର ହୋଇଥିବା ଜଣେ ବାଂଲାଦେଶୀ କମ୍ପ୍ୟୁଟର ଇଞ୍ଜିନିୟରଙ୍କ ମସ୍ତିଷ୍କ ଅସ୍ତ୍ରୋପଚାର ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଏହା ସହ ଅପରେସନ୍‌ ସମୟରେ ସେ ଗିଟାର ମଧ୍ୟ ବଜାଉଥିବାର କିଛି ଫଟୋ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଲା, ଯୁବକଙ୍କ ବାମ ହାତ ଆଙ୍ଗଠିରେ ଅସୁବିଧା ଥିବା ବେଳେ ଡ଼ାକ୍ତର ତାଙ୍କ ମସ୍ତିଷ୍କର ଅସ୍ତ୍ରୋପଚାର କରିଛନ୍ତି । ତସ୍‌କିନ୍‌ ଅଲ୍ଲୀଙ୍କର ଆଙ୍ଗୁଠିରେ ଅସୁବିଧା ଥାଇ ମଧ୍ୟ କ’ଣ ପାଇଁ ତାଙ୍କ ମୁଣ୍ଡର ଅସ୍ତ୍ରୋପଚାର କରାଗଲା ସେ ନେଇ ପଚରାଯିବା ପରେ ମହାବୀର ଜୈନ୍‌ ହସ୍ପିଟାଲର ଡ଼ାକ୍ତର ଏହା ପଛର କାରଣ ସ୍ପଷ୍ଟ କରିଛନ୍ତି ।

ଡାକ୍ତରଙ୍କ ଅନୁସାରେ ତସ୍‌କିନ୍‌ ଏକ ବିରଳ ରୋଗର ଶିକାର ହୋଇଥିଲେ । ଯାହାର ନାମ ହେଉଛି ‘ଗିଟାରିଷ୍ଟ ଡ଼ାଏଷ୍ଟୋନିଆ’ । ଏହି ରୋଗ ଖୁବ୍‌ କମ ଏବଂ ସାଧାରଣତଃ ଗିଟାର ବଜାଉଥିବା ଲୋକମାନଙ୍କ ପାଖରେ ଦେଖା ଯାଇଥାଏ । ଆମେ ମାନେ ସାଧାରଣତଃ ଭାବରେ ବାମ ହାତ ଆଙ୍ଗୁଠିର ଶେଷ ଦୁଇ ଆଙ୍ଗୁଠିକୁ ଅଧିକ ବ୍ୟବହାର କରି ନ ଥାଉ । କିନ୍ତୁ ଯେଉଁମାନେ ଗିଟାର ବଜାନ୍ତି ସେମାନଙ୍କୁ ବାମ ହାତର ସେହି ଦୁଇ ଆଙ୍ଗୁଠିର ବ୍ୟବହାର ଅଧିକ କରିବାକୁ ପଡ଼େ । ଯାହା ଫଳରେ ବେଳେ ବେଳେ ସେହି ଦୁଇ ଆଙ୍ଗୁଠି କାମ କରିବା ବନ୍ଦ କରି ଦେଇଥାଏ ଏବଂ ଏହି ଭଳି ସମସ୍ୟାକୁ ଦୂର କରିବା ପାଇଁ ହାତରେ ନୂହେଁ ବରଂ ମସ୍ତିଷ୍କରେ ସର୍ଜରୀ କରିବାକୁ ପଡ଼ିଥାଏ । ଏହି ସର୍ଜରୀ କରିବା ପାଇଁ ଦୁଇ ଘଣ୍ଟା ସମୟ ଲାଗିଥିଲା । ସର୍ଜରୀ ସମୟରେ ରୋଗୀଙ୍କୁ ନିଶା ଦିଆଯାଇ ଅଚେତ୍‌ କରାଯାଉଥିବା ବେଳେ ତସ୍‌କିନ୍‌ଙ୍କ ସର୍ଜରୀରେ ସେପରି କିଛି କରାଯାଇ ନଥିଲା । ତାଙ୍କର ଦୁଇ ଆଙ୍ଗୁଠିକୁ କାର୍ଯ୍ୟଶୀଳ କରିବା ପାଇଁ ସର୍ଜରୀ ସମୟରେ ତାଙ୍କୁ ଗିଟାର ବଜାଇବା ପାଇଁ କୁହାଯାଇଥିଲା । ଯାହାଦ୍ୱାରା ସର୍ଜରୀକୁ ସଫଳ ହୋଇପାରିଥିଲା ।

indiatimes.com

ସଫଳ ସର୍ଜରୀ ପରେ ତସ୍‌କିନ୍‌ ନିଜ ବିରଳ ରୋଗ ସହ ଥିବା ଅଭିଜ୍ଞତା ବିଷୟରେ କହିଥିଲେ । ୨୦୧୩ରେ ତାଙ୍କର ଗିଟାରିଷ୍ଟ ଡ଼ାଏଷ୍ଟୋନିଆ ରୋଗ ଆରମ୍ଭ ହୋଇଥିଲା । ଦିନକୁ ୧୦ଘଣ୍ଟା ଗିଟାର ବଜାଉଥିବାରୁ ଧୀରେ ଧୀରେ ତାଙ୍କ ବାମ ହାତର ଦୁଇ ଆଙ୍ଗୁଠି ଆଉ କାମ କରି ନଥିଲା ।
ଏହାର ଚିକିତ୍ସା କରାଇବାକୁ ଯାଇ ମଧ୍ୟ ଏହି ରୋଗର କୌଣସି ଚିକିତ୍ସା ନାହିଁ ବୋଲି ଡ଼ାକ୍ତର କହିଥିଲେ । କିନ୍ତୁ ୨୦୧୭ରେ ଦିନେ ସେ ଖବର କାଗଜରେ ତାଙ୍କ ସହ ସାମଞ୍ଜ୍ୟସ ଥିବା ରୋଗର ଚିକିତ୍ସା ବିଷୟରେ ପଢ଼ିବା ପରେ ଏହି ସର୍ଜରୀ କରିଥିବା ଡ଼ାକ୍ତରଙ୍କ ସହ ସେ ସଂପର୍କ କରିଥିଲେ ।

ସମ୍ବନ୍ଧିତ ଖବର