୪୭ ବର୍ଷ ହେବ ଲଢୁଆ ବିମାନର ପାଇଲଟ୍‌ ସ୍ୱାମୀଙ୍କୁ ଅପେକ୍ଷା କରିଛନ୍ତି ପତ୍ନୀ

0

ନୂଆଦିଲ୍ଲୀ: ଦମୟନ୍ତୀ ତାମ୍ବେ ଟ୍ରଞ୍ଜିଷ୍ଟର୍‌ରେ ରେଡିଓ ଷ୍ଟେସନ୍‌ ବଦଳାଉଥିବା ସମୟରେ ପ୍ରଥମେ ଏ ଖବର ଶୁଣିଲେ। ସେ ୧୮ ମାସ ହେବ ବାହା ହୋଇଥିବା ଫ୍ଲାଇଟ୍‌ ଲେଫ୍‌ଟନାଣ୍ଟ୍‌ ବିଜୟ ବସନ୍ତ ତାମ୍ବେ ସୀମାଆପାରିରେ ଧରାପଡ଼ିଛନ୍ତି। ସେଦିନ ଥିଲା ଡିସେମ୍ବର ୫ ତାରିଖ ୧୯୭୧ ମସିହା। ଭାରତ ଓ ପାକିସ୍ତାନ ମଧ୍ୟରେ ଲାଗିଥିଲା ଲଢ଼େଇ। ୪୭ ବର୍ଷ ବିତିଗଲାଣି। ଭାରତ ଫେରାଇ ଆଣିବାକୁ ଅସଫଳ ହୋଇଥିବା ୫୪ଜଣ ନିଖୋଜ ସେନା କର୍ମଚାରୀଙ୍କ ମଧ୍ୟରୁ ଜଣେ ହେଉଛନ୍ତି ବିଜୟ।

ଦଶନ୍ଧି ଦଶନ୍ଧି ଧରି ଦମୟନ୍ତୀ ଏବଂ ତାଙ୍କର ଅନ୍ୟ ଆତ୍ମୀୟମାନେ କେତେକ ପ୍ରଧାନମନ୍ତ୍ରୀ, ଅମଲା ଏବଂ କୂଟନୀତିଜ୍ଞମାନଙ୍କୁ ଭେଟିବା ସହ କେତେକ ମାନବ ଅଧିକାର ସଂଗଠନକୁ ମଧ୍ୟ ଆବେଦନ କରିଛନ୍ତି।

ଦକ୍ଷିଣ ଦିଲ୍ଲୀର ମୁନିର୍କା ବିହାର ଠାରେ ତାଙ୍କର ଛୋଟିଆ ଫ୍ଲାଟ୍‌ରେ ବସି ୭୦ ବର୍ଷୀୟା ଦମୟନ୍ତୀ କହନ୍ତି: ପ୍ରଥମେ ଭାବିଲି ସବୁ ଠିକ୍‌ ହୋଇଯିବ। ତା’ପରେ ଧୀରେ ଜଣାପଡ଼ିଲା ଏହା ନ ହୋଇ ପାରେ। ଆମେ ସବୁମତେ ଉଦ୍ୟମ କରିଛୁ। ମୋ ଆଶା ପୂରଣ କରିବାକୁ ସରକାରଙ୍କର ପ୍ରତିବଦ୍ଧତା ଲୋଡ଼ା। ମୁଁ ସେମାନଙ୍କୁ କେତେ କହିବି?

ଦମୟନ୍ତୀ ସୁବେଦାର ଆହ୍ଲାବାଦରେ ଲାଳିତ ପାଳିତ ହୋଇଥିଲେ। ବାପା ଥିଲେ ଓକିଲ, ଓ ମାଆ ସ୍କୁଲ୍‌ ପ୍ରିନ୍‌ସିପାଲ୍‌। ଦମୟନ୍ତୀ ଥିଲେ ବ୍ୟାଡ୍‌ମିନ୍‌ଟନ୍‌ ଖେଳରେ ନିପୂଣା। ତିନି ଥର ଜାତୀୟ ଚାମ୍ପିୟାନ୍‌ ହୋଇଥିବା ଦମୟନ୍ତୀ ତୃତୀୟ ଟାଇଟଲ୍‌ ହାସଲ କରିବା ପୂର୍ବରୁ ବିଜୟ ତାମ୍ବେଙ୍କୁ ବାହା ହୋଇଥିଲେ।

୧୯୭୧ ମସିହା ଯୁଦ୍ଧ ଆରମ୍ଭ ହେବାର ଦୁଇ ଦିନ ପରେ ବିଜୟ ଧରାହୋଇ ଯାଇଥିବା ସଂକ୍ରାନ୍ତରେ ତାଙ୍କ ପାଖକୁ ସରକାରୀ ଟେଲିଗ୍ରାମ୍‌ ଆସିଲା। ପ୍ରଥମେ ଦମୟନ୍ତୀ ଏଥିରେ ଆଶ୍ୱସ୍ତ ହୋଇଥିଲେ। ଭାବିଥିଲେ, ଧରାପଡ଼ି ଥିବାରୁ ସେ ବିପଦମୁକ୍ତ। ଯୁଦ୍ଧ ବନ୍ଦୀ ହୋଇଥିବାରୁ ଶୀଘ୍ର ହେଉ କି, ବିଳମ୍ବରେ ହେଉ ଫେରି ଆସିବେ।

ସେଉଠୁ ଆରମ୍ଭ ହୋଇଥିଲା ଅପେକ୍ଷା। ଶ୍ୱଶୁରଙ୍କ ଉପଦେଶ ମାନି ସେ ଜେଏନ୍‌ୟୁରେ ସ୍ପୋର୍ଟସ୍‌ ଅଫିସର୍‌ ଭାବେ ଯୋଗ ଦେଇଥିଲେ।
ଆଶା ଓ ନିରାଶା ମଧ୍ୟରେ ବିତି ଚାଲିଲା ଦଶନ୍ଧି ଦଶନ୍ଧି।

ବିଜୟ ଜୀବିତ ଏବଂ ଜେଲ୍‌ରେ ବନ୍ଦୀ ହୋଇ ରହିଥିବା କଥା କିଛି କିଛି ବର୍ଷ ଅନ୍ତରରେ ପାକିସ୍ତାନ ଓ ବାଂଲାଦେଶ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଉଥିଲା। ୧୯୮୯ ମସିହାରେ ବିଜୟଙ୍କ ମାମୁ ଜୟନ୍ତ ଜାତାର ଅଣ୍ଡର୍‌୧୯ କ୍ରିକେଟ୍‌ ଟିମ୍‌ର ମ୍ୟାନେଜର୍‌ ଭାବେ ପାକିସ୍ତାନ ଯାଇଥିବା ବେଳେ ବହୁ ଶ୍ରମ ସ୍ୱୀକାର କରି ଲ୍ୟାଲ୍‌ପୁର ଜେଲ୍‌କୁ ଯାଇଥିଲେ ଭଣଜା ବିଜୟଙ୍କୁ ଭେଟିବାକୁ। କୁର୍ତ୍ତା ପାଇଜାମା ପିନ୍ଧି ସେ ଖବରକାଗଜ ପଢୁଥିବା ଦେଖି ସେଲ୍‌ରେ ତାଙ୍କୁ ଚିହ୍ନିଲେ, କିନ୍ତୁ ତାଙ୍କ ସହ କଥାବାର୍ତ୍ତା କରିବାକୁ ଅନୁମତି ମିଳିଲା ନାହିଁ।

୨୦୦୭ରେ ୧୫ ଜଣିଆ ପିଓଡବ୍ଲୁ ଆତ୍ମୀୟଙ୍କ ସହ ଦମୟନ୍ତୀ ମଧ୍ୟ ପାକିସ୍ତାନ ଯାଇ ଅନେକ ଜେଲ୍‌ ବୁଲିଥିଲେ। ସେଠାରେ ସେମାନେ ଉର୍ଦ୍ଦୁ ଭାଷାରେ ଲିଖିତ ବନ୍ଦୀମାନଙ୍କ ତାଲିକା ଦେଖାଇଥିଲେ। କୌଣସି ବନ୍ଦୀଙ୍କ ସହ ସାକ୍ଷାତ୍‌ କରାଇ ଦେଇ ନ ଥିଲେ। ହତାଶ ହୋଇ ସେ ଫେରିଥିଲେ।

୨୦୧୩ରେ ଚାକିରିରୁ ଅବସର ଗ୍ରହଣ କରିଥିବା ଦମୟନ୍ତୀ ଏବେ ସୁଦ୍ଧା ଚାହିଁବସିଛନ୍ତି ସ୍ୱାମୀଙ୍କ ଫେରିବା ବାଟକୁ।

ସମ୍ବନ୍ଧିତ ଖବର

Leave A Reply

Your email address will not be published.