ଉଚ୍ଚ ରକ୍ତଚାପ ବା ହାଇପର୍‌ ଟେନ୍‌ସନ୍‌ ଦମନ ପାଇଁ ପିଅନ୍ତୁ ଏଇ ୬ଟି ସ୍ୱାସ୍ଥ୍ୟକର ପାନୀୟ

ଭାରତରେ ପ୍ରତି ତିନି ଜଣ ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ହାଇପର୍‌ ଟେନ୍‌ସନ୍‌ ବା ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ହୋଇଥିବା କଥା କାର୍ଡିଓଲୋଜିକାଲ୍‌ ସୋସାଇଟି ଅଫ୍‌ ଇଣ୍ଡିଆର ୨୦୧୭ ରିପୋର୍ଟରେ ପ୍ରକାଶ। ଉଚ୍ଚ ରକ୍ତଚାପ ନିୟନ୍ତ୍ରଣ କରି ରଖିବାକୁ ଔଷଧ ଖାଇବାକୁ ପଡ଼ିଥାଏ। ତା’ସହ ଖାଦ୍ୟପାନୀୟ ପ୍ରତି ମଧ୍ୟ ଧ୍ୟାନ ଦେବାକୁ ହୁଏ। ଏଥିପାଇଁ ଡାକ୍ତରମାନେ ଦେଉଥିବା ସାଧାରଣ ଉପଦେଶ ହେଉଛି, ଲୁଣ, ତେଲ ଆଦି ଖାଇବା କମ୍‌ କରନ୍ତୁ ଓ ପନିପରିବା ଅଧିକ ଖାଆନ୍ତୁ।

ଏ ସବୁ ବାଦ ରକ୍ତଚାପ ଏବଂ ହୃଦ୍‌ରୋଗ ଭୋଗୁଥିବା ଲୋକଙ୍କ ପାଇଁ କିଛି ପାନୀୟ ମଧ୍ୟ ରହିଛି। ଏହି ପାନୀୟ ଗ୍ରହଣ କରିବା ଦ୍ୱାରା ଉଚ୍ଚ ରକ୍ତଚାପ ନିୟନ୍ତ୍ରଣାଧୀନ ରହିବ।

ଆପ୍‌ଲ୍‌ ସିଡର୍‌ ଭିନେଗାର୍‌: ପଟାସିୟମ୍‌ ଭରି ରହିଥିବାରୁ ଆପ୍‌ଲ୍‌ ସିଡର୍‌ ଭିନେଗାର୍‌ ଦେହରୁ ବହକା ସୋଡିୟମ୍‌ ଏବଂ ବ୍ୟାକ୍ଟେରିଆ ବିଷ ବାହାର କରି ଦିଏ। ଏଥିରେ ଥିବା ରେନିନ୍‌ ନାମକ ଏଞ୍ଜାଇମ୍‌ ହିଁ ରକ୍ତଚାପ କମାଇବାରେ ସହାୟକ ହୋଇଥାଏ। ସକାଳୁ ଗିଲାସେ ପାଣିରେ ଆପ୍‌ଲ୍‌ ସିଡର୍‌ ଭିନେଗାର୍‌ ସହ ଟିକେ ମହୁ ମିଶାଇ ପିଇଲେ ଉପସମ ମିଳିଥାଏ।

କାଗେଜି ପାଣି: ପ୍ରତ୍ୟେହ ସକାଳୁ ଗିଲାସେ କାଗେଜି ଲେମ୍ବୁ ପାଣି ପିଇବା ସ୍ୱାସ୍ଥ୍ୟ ପକ୍ଷେ ହିତକର। କାଗେଜି ଲେମ୍ବୁ ପାଣି ଶରୀରର କୋଷିକା ଶୋଧନ କରିଥାଏ। ଏହା ବାଦ୍‌ ରକ୍ତବାହୀ ନଳୀଗୁଡ଼ିକୁ ଏହା କୋମଳ ଓ ନମନୀୟ କରି ରକ୍ତଚାପ ହ୍ରାସ କରିଥାଏ। କାଗେଜି ପାଣିରେ ଭିଟାମିନ୍‌ ସି ଥିବାରୁ ଏହା ଦେହରୁ ବିକୃତ ଜୀବକୋଷ ନିଷ୍କାସନ କରିଥାଏ।

ମେଥିପାଣି: ମେଥିପାଣିରେ ତନ୍ତୁର ପରିମାଣ ଅଧିକ ଥିବାରୁ ଏହା ରକ୍ତଚାପ ନିୟନ୍ତ୍ରଣ କରେ। ଦୈନିକ ସକାଳୁ ଖାଲି ପେଟରେ ଗିଲାସେ ମେଥିପାଣି ପିଇବା ଦ୍ୱାରା ଉଚ୍ଚ ରକ୍ତଚାପକୁ ଦମନ କରିହେବ।

ଚିଆମଞ୍ଜି ପାଣି: ଚିଆମଞ୍ଚିରେ ବହୁ ପରିମାଣର ଓମେଗା-ଥ୍ରି ଫ୍ୟାଟି ଏସିଡ୍‌ ଥିବାରୁ ଏହା ରକ୍ତକୁ ପତଳା କରିବା ସହ ଉଚ୍ଚ ରକ୍ତଚାପ କମାଇ ଥାଏ। ଚିଆମଞ୍ଜିକୁ ଅଧଘଣ୍ଟାଏ ପାଣିରେ ତିନ୍ତାଇ ସେହି ପାଣିକୁ ପିଅନ୍ତୁ। ଏମିତି ଉପାୟରେ ମାସେ ଯାଏଁ ଚିଆ ପାଣି ପିଇଲେ ଉପକାର ଜାଣି ପାରିବେ।

ଚର୍ବିରହିତ ଦୁଗ୍‌ଧ: ଚର୍ବିରହିତ ଦୁଗ୍‌ଧ ଦେହକୁ ପଟାସିୟମ୍‌ ଏବଂ କାଲ୍‌ସିୟମ୍‌ ଯୋଗାଏ। ଏ ଦୁଇ ଉପାଦାନ ଉଚିତ ମାତ୍ରାରେ ରକ୍ତଚାପ ବଜାୟ ରଖିଥାଏ। ଚର୍ବି ନିଷ୍କାସିତ ନ ହୋଇ ଥିବା ଦୁଗ୍‌ଧରେ ପାଲ୍‌ମାଟିକ୍‌ ଏସିଡ୍‌ର ମାତ୍ରା ଥିବାରୁ ଉଚ୍ଚ ରକ୍ତଚାପରେ ଆକ୍ରାନ୍ତ ବ୍ୟକ୍ତି ପାନ କରିବା ଉଚିତ ନୁହେଁ। ପାଲ୍‌ମାଟିକ୍‌ ଏସିଡ୍‌ ରକ୍ତବାହୀ ନଳୀଗୁଡ଼ିକୁ ଉଶ୍ୱାସ ରଖୁଥିବା ସଙ୍କେତକୁ ଅବରୋଧ କରୁଥିବାରୁ ରକ୍ତଚାପ ବଢ଼ିଯାଏ।

ପୋଦିନା-ଧନିଆ-ଅଁଳା ପାଣି: ଗିନାଏ ପୋଦିନା ପତ୍ର ଓ ଗିନାଏ ଧନିଆ ପତ୍ର ସହ ୪/୫ଟି ମଞ୍ଜିଛଡ଼ା ଅଁଳା କୋଳିକୁ ଗୋଟିଏ କପ୍‌ ପାଣି ଦେଇ ଗ୍ରାଇଣ୍ଡ୍‌ କରି ପିଅନ୍ତୁ। ଏହି ପାନୀୟ ବି ରକ୍ତଚାପ କମାଇ ଦେବ।

ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏସବୁ ପାନୀୟ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।

ସମ୍ବନ୍ଧିତ ଖବର