ଏମିତି ୮ଟି ଗାଁ ଅଛି, ଯାହାର କାହାଣୀ ରୋମାଞ୍ଚକର !

କୁହାଯାଏ, ଭାରତ ଗ୍ରାମରେ ବଞ୍ଚିଛି। ଭାରତରେ ଏଭଳି ଶହ ଶହ ଗ୍ରାମ ଅଛି, ଯାହାକି ବହୁଦିଗରୁ ଉଦାହରଣ ସୃଷ୍ଟି କରିଛି। ସାଧାରଣ ଗ୍ରାମଗୁଡ଼ିକଠାରୁ ଏହା ଭିନ୍ନ ବୋଲି ପ୍ରତିପାଦିତ ହୋଇଛି। ଏଭଳି କିଛି ଗ୍ରାମ ସଂପର୍କରେ ସଂକ୍ଷିପ୍ତ ସୂଚନା ନିମ୍ନରେ ପ୍ରଦାନ କରାଗଲା।

ରଘୁରାଜପୁର – ୨୦୦୦ ମସିହାରେ ଓଡ଼ିଶାର ପୁରୀ ଜିଲ୍ଲାର ରଘୁରାଜପୁର ଗ୍ରାମ ରାଜ୍ୟର ପ୍ରଥମ ହେରିଟେଜ୍‌ ଗ୍ରାମର ମାନ୍ୟତା ପ୍ରାପ୍ତ କରିଥିଲା ଏହି ଗ୍ରାମ ପଟ୍ଟଚିତ୍ର କଳା ପାଇଁ ବିଖ୍ୟାତ । ଏଠାକାର ଲୋକେପଟ୍ଟଚିତ୍ର ଅଙ୍କନ ଓ ଅନ୍ୟାନ୍ୟ ହସ୍ତକଳା ତିଆରି କରି ପେଟ ପୋଷନ୍ତି । ଏହି ଗ୍ରାମର ପ୍ରତ୍ୟେକ ଅଧିବାସୀ ଜଣେ ଜଣେ କଳାକାର ।

ତିଲୌନିଆ- ରାଜସ୍ଥାନର ତିଲୌନିଆ ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ଜଣେ ଜଣେ ସୌର ଯନ୍ତ୍ରୀ । ଏହି ଗ୍ରାମର ପ୍ରତ୍ୟେକ ଘରର ଛାତରେ ସୋଲାର୍‌ ପ୍ୟାନେଲ୍‌ ଦେଖିବାକୁ ମିଳେ । ଏହା ଆଜମେର୍‌ ନିକଟରେ ଅବସ୍ଥିତ । ଏହାକୁ ସୌରଶକ୍ତିର ଗ୍ରାମ ବୋଲି କୁହାଯାଏ।

ମଟ୍ଟୁର- କର୍ଣ୍ଣାଟକର ଏହି ଗ୍ରାମ ହଜାର ହଜାର ବର୍ଷର ପୁରୁଣା ଆମର ସଂସ୍କୃତି ଓ ସଭ୍ୟତାକୁ ମନେ ପକାଇ ଥାଏ । ଏହି ଗ୍ରାମର ପ୍ରତ୍ୟେକ ବ୍ୟକ୍ତି ସଂସ୍କୃତ ଭାଷାରେ କଥାବାର୍ତ୍ତା ହୁଅନ୍ତି । ଏଠାରେ ଲୋକେ ବୈଦିକ କାଳର ଜୀବନଶୈଳୀକୁ ଆପଣାଇଛନ୍ତି। ଏହି ଗ୍ରାମ ବେଙ୍ଗଲୁରୁଠାରୁ ୩୦୦ କିଲୋମିଟର ଦୂରରେ ଅବସ୍ଥିତ ।

କଥେବାଡି- ମହାରାଷ୍ଟ୍ରର ନାନ୍ଦଡେ ରେଳଷ୍ଟେସନ୍‌ଠାରୁ ମାତ୍ର ୯୦ କିଲୋମିଟର ଦୂରରେ ଅବସ୍ଥିତ କଥେବାଡି ଗ୍ରାମକୁ ଆର୍ଟ ଅଫ୍‌ ଲିଭିଂର ପ୍ରତିଷ୍ଠାତା ଶ୍ରୀଶ୍ରୀରବି ଶଙ୍କର ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିଛନ୍ତି । ଆଗରୁ ଏହି ଗାଆଁର ସବୁ ଲୋକ ମଦ୍ୟପାନ କରୁଥିଲେ, ମାତ୍ର ଏବେ ସେଠାରେ କେହି ବି ମଦ ଛୁଉଁନାହାନ୍ତି । ଏକ ବଡ଼ଧରଣର ଚାରିତ୍ରିକ ପରିବର୍ତ୍ତନ ଘଟିଛି ଏହି ଗାଁରେ।

ରାଲେଗାଁ ସିଦ୍ଧ- ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇଠାରୁ ପ୍ରାୟ ୧୦୦ କିଲୋମିଟର ଦୂରସ୍ଥ ଏହି ଗ୍ରାମରେ ସମାଜସେବୀ ଆନ୍ନା ହଜାରେଙ୍କ ଉଦ୍ୟମରେ ପୂର୍ବରୁ ଥିବା ଜଳ ସମସ୍ୟା ଦୂରୀଭୂତ ହୋଇଛି । ଗ୍ରାମରୁ ଆନ୍ନା ଦୁର୍ନୀତି ବିରୁଦ୍ଧରେ ଆନ୍ଦୋଳନ ଆରମ୍ଭ କରିଥିଲେ । ଏହା ଆନ୍ନାଙ୍କ କର୍ମଭୂମି ଭାବେ ବେଶ୍‌ ପ୍ରସିଦ୍ଧ।

ପନାମିକ୍‌ –ଜମ୍ମୁକଶ୍ମୀରର ଲେହ ଜିଲ୍ଲାରେ ଅବସ୍ଥିତ ପନାମିକ ଗ୍ରାମ। ରାଜଧାନୀ ଶ୍ରୀନଗରରୁ ଏହି ଗ୍ରାମର ଦୂରତା ହେଉଛି ୧୫୦ କିଲୋମିଟର। ଏହି ଗାଆଁରେ ଉଷ୍ମ ଜଳର ଧାରା ପ୍ରବାହିତ । ସେଥିରେ ସ୍ନାନ କରିବା ପାଇଁ ଦୂରଦୂରାନ୍ତରୁ ବହୁଲୋକ ଆସିଥାଆନ୍ତି ।

ବେଲାସ – ମୁମ୍ବାଇରୁ ୨୩୦ କିଲୋମିଟର ଦୂରସ୍ଥ ରତ୍ନଗିରି ଜିଲ୍ଲାର ଥିବା ବେଲାସ ଏକ ନିଆରା ଗ୍ରାମ । ଏହି ଗାଆଁକୁ ଏକ ସ୍ୱେଚ୍ଛାସେବୀ ସଂଗଠନ ପୋଷ୍ୟ ଗ୍ରାମ ରୂପେ ଗ୍ରହଣ କରିଛି । ଏଠାରେ କଇଁଛମାନଙ୍କର ବିଶେଷ ଧ୍ୟାନ ଦିଆଯାଏ ।

ଲାମ୍ବାସିଂଗୀ- ଆନ୍ଧ୍ରପ୍ରଦେଶର ଏହି ଗ୍ରାମକୁ ଦକ୍ଷିଣ ଭାରତର କାଶ୍ମୀର ବୋଲି କୁହାଯାଏ। ଏହା ବିଶାଖାପଟ୍ଟନମ୍‌ ବିମାନ ବନ୍ଦର ନିକଟରେ ଅବସ୍ଥିତ । ଏହାର ପରିବେଶ ପୂରାପୂରି ପ୍ରଦୂଷଣ ମୁକ୍ତ।

ସମ୍ବନ୍ଧିତ ଖବର