୬ମାସ ଶିଶୁ ପେଟରୁ ବାହାରିଲା ୮ମାସର ଭ୍ରୁଣ! ପେଟ, ହାତ, ମୁଣ୍ଡ ବିକଶିତ ହୋଇସାରିଥିବା ଭ୍ରୁଣକୁ ବାହାର କଲେ ୧୫ଜଣିଆ ଡାକ୍ତରୀ ଟିମ୍

ପାଟନା: ବୁଧବାର ପାଟନା ମେଡ଼ିକାଲ କଲେଜ ଆଣ୍ଡ ହସ୍ପିଟାଲ(ପିଏମସିଏଚ୍)ର ଡାକ୍ତରମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ଏକ ୬ମାସର ଶିଶୁର ପେଟରୁ ୮.୫ମାସର ଭ୍ରୁଣ ବାହାର କରିବାରେ ସଫଳ ହୋଇଛନ୍ତି ପିଏମସିଏଚର ୧୫ଜଣିଆ ଡାକ୍ତରୀ ଟିମ୍। ବକ୍ସର ଜିଲ୍ଲାରେ ରହୁଥିବା  ମୋଇନୁଦ୍ଦିନଙ୍କ ୬ମାସର ପୁଅ ପେଟରେ ୮.୫ମାସର ଭ୍ରୁଣ ଥିବା ଜାଣି ଡାକ୍ତର ତୁରନ୍ତ ଅସ୍ତ୍ରୋପଚାର କରିବା ପାଇଁ କହିଥିଲେ। ଯାହା ପରେ ୨ଘଣ୍ଟା ପର୍ଯ୍ୟନ୍ତ ପିଏମସିଏଚର ୧୫ଜଣିଆ ଡାକ୍ତରୀ ଟିମ୍ ଅସ୍ତ୍ରୋପଚାର କରି ଶିଶୁ ପେଟରୁ ଭ୍ରୁଣକୁ ବାହାର କରିଥିବା ଜଣା ପଡ଼ିଛି। ବାହାର କରାଯିବା ପରେ ଭ୍ରୁଣର ପେଟ, ହାତ ଓ ମୁଣ୍ଡ ବିକଶିତ ହୋଇଯାଇଥିଲା ବୋଲି କହିଛନ୍ତି ଡାକ୍ତର।

ଶିଶୁର ବାପା ମୋଇନୁଦ୍ଦିନଙ୍କ କହିବା ମୁତାବକ, ପୁଅର ପେଟରେ ଲଗାତାର ଯନ୍ତ୍ରଣା ହେଉଥିବା ସହ ପେଟ ଫୁଲିବାକୁ ଲାଗିଥିଲା। କାରଣ ଜାଣିବା ପାଇଁ ଜାନୁଆରି ୨୦ତାରିଖରେ ଆମେ ପୁଅକୁ ପିଏମସିଏଚ୍ ଡାକ୍ତରଖାନାରେ ଭର୍ତ୍ତି କରାଇଥିଲୁ। ସିଟି ସ୍କାନ ଏବଂ ଅଲଟ୍ରାସାଉଣ୍ଡ ହେବା ପରେ ପେଟରେ ଟ୍ୟୁମର ହୋଇଥିବା ନେଇ ସନ୍ଦେହ କରିଥିଲେ ଡାକ୍ତର। କିନ୍ତୁ ଅସ୍ତ୍ରୋପଚାର ପରେ ପେଟରେ ଟ୍ୟୁମର ପରିବର୍ତ୍ତେ ଭ୍ରୁଣ ଥିବା ସାମ୍ନାକୁ ଆସିଥିଲା। ଏବେ ଅସ୍ତ୍ରୋପଚାର ପରେ ଆମ ପୁଅ ସୁସ୍ଥ ଅଛି।

bhaskar.com

ଶିଶୁ ସର୍ଜନ ବିଭାଗର ଏଚଓଡି ଡାକ୍ତର ଅ‌ମରେନ୍ଦ୍ର କୁମାର ଏବଂ ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ନିଗମ ପ୍ରକାଶ ନାରାୟଣଙ୍କ କହିବା ମୁତାବକ, ଏଭଳି ଘଟଣା ଅତି ବିରଳ। ୫ଲକ୍ଷ ଶିଶୁଙ୍କ ମଧ୍ୟରୁ ଏଭଳି ଗୋଟେ ଘଟଣା ସାମ୍ନାକୁ ଆସିଥାଏ। ବେ‌ଳେ ବେଳେ ଗର୍ଭବତୀ ମହିଳାଙ୍କର ଯମଜ ଶିଶୁ ହେବାର ସମ୍ଭାବନା ରହିଥାଏ। ଏଭଳି ପରିସ୍ଥିତିରେ ଯେଉଁ ଭ୍ରୁଣଟି ଭଲ ଭାବରେ ବିକଶିତ ନହୋଇ ପା‌ରେ, ତାହା ଅନ୍ୟ ଭ୍ରୁଣର ପେଟକୁ ଚାଲିଯାଇଥାଏ।

ସମ୍ବନ୍ଧିତ ଖବର