ଆଶ୍ଚର୍ଯ୍ୟଜନକ ଘଟଣା: ଚୁମ୍ବକ ଗିଳିଥିବା ପିଲାର ଜୀବନ ବଞ୍ଚାଇବା ପାଇଁ ଶ୍ୱାସନଳୀରେ ଆଉ ଗୋଟିଏ ଚୁମ୍ବକ ପୁରାଇ ବାହାର କଲେ ଡାକ୍ତର

ମୁମ୍ବାଇ: କର୍ଣ୍ଣାଟକର ମାଙ୍ଗାଲୁରୁରେ ଡାକ୍ତର ଜଣେ ପିଲାର ଜୀବନ ବଞ୍ଚାଇବା ପାଇଁ ଏକ ଆଶ୍ଚର୍ଯ୍ୟଜନକ ପଦକ୍ଷେପ ନେଇଥିବା ଘଟଣା ସାମ୍ନାକୁ ଆସିଛି। ନିକଟରେ ଜଣେ ୯ବର୍ଷର ପିଲା ଖେଳୁଖେଳୁ ଏକ ଚୁମ୍ବକକୁ ଗିଳି ଦେଇଥିଲା। ଫଳରେ ଚୁମ୍ବକଟି ପିଲାଟିର ଶ୍ୱାସନଳୀରେ ଯାଇ ଫଶି ଯାଇଥିଲା। ପରିବାର ଲୋକ ଶିଶୁଟିକୁ ତୁରନ୍ତ କେଏମ୍‌ସି ହସ୍‌ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଇଥିଲେ। ଡାକ୍ତର ପିଲାଟିର ଜୀବନ ବଞ୍ଚାଇବା ପାଇଁ ସର୍ଜରି ଆବଶ୍ୟକ ବୋଲି କହିଥିଲେ। ପରିବାର ଲୋକ ବି ଡାକ୍ତରଙ୍କ କଥାରେ ରାଜି ହୋଇ ସର୍ଜରି ଆରମ୍ଭ କରିବା ପାଇଁ ଡାକ୍ତରଙ୍କୁ କହିଥିଲେ।

ପିଲାଟି ଶ୍ୱାସନଳୀରୁ ଚୁମ୍ବକ ବାହାର କରିବା ପାଇଁ ଡାକ୍ତର ଏକ ଅଦ୍ଭୁତ ପଦ୍ଧତି ଆପଣାଇ ଥିଲେ। ଯାହାକି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଡାକ୍ତର ପିଲାଟି ଯେଉଁ ଚୁମ୍ବକ ଗିଳି ଦେଇଥିଲା, ତାହାଠାରୁ ଅଧିକ ଶକ୍ତିଶାଳୀ ଏକ ଚୁମ୍ବକ ସାହାଯ୍ୟରେ ଶ୍ୱାସନଳୀରୁ ଚୁମ୍ବକକୁ ସଫଳତାର ସହ ବାହାର କରିବାରେ ସକ୍ଷମ ହୋଇଥିଲେ।

ସୂଚନାଯୋଗ୍ୟ, ପିଲାଟି ଘରେ ଖେଳୁଥିବା ସମୟରେ ଖେଳଣାରେ ବ୍ୟବହୃତ ଚୁମ୍ବକକୁ ପାଇଥିଲା। ଚୁମ୍ବକ ସହିତ ଖେଳୁଖେଳୁ ତାହାକୁ ପାଟି ଭିତରେ ପୂରାଇ ଗିଳି ଦେଇଥିଲା। ଫଳରେ ଚୁମ୍ବକଟି ପିଲାଟିର ଶ୍ୱାସନଳୀରେ ଯାଇ ଅଟକି ଯାଇଥିଲା। ଏହାପରେ ଶିଶୁକୁ ନିଶ୍ୱାସ ନେବାରେ ବହୁ ଅସୁବିଧା ହେବାରୁ ସେ କାନ୍ଦି ଉଠିଥିଲା। ଶିଶୁଟିର ଏଭଳି ଅବସ୍ଥା ଦେଖି ପରିବାର ଲୋକ ତାକୁ ତୁରନ୍ତ ଡାକ୍ତରଖାନା ନେଇ ଯାଇଥିଲେ। ଏଭଳି ଅବସ୍ଥାରେ ଶିଶୁଟିର ଜୀବନ ବଞ୍ଚାଇବା ଡାକ୍ତରଙ୍କ ପକ୍ଷେ ବି ଜଟିଳ ଥିଲା। କାରଣ ଏହି ଚୁମ୍ବକଟି ମୁଖ୍ୟ ଶ୍ୱାସନଳୀରେ ଅଟକି ଯିବା ହେତୁ କ୍ଷତି ପହଞ୍ଚିବାର ଆଶଙ୍କା ଥିଲା। ଏମିତିରେ ଶିଶୁକୁ ଅଚେତ ଅବସ୍ଥାରେ ଯଦି ସର୍ଜରି କରାଯାଏ ତେବେ ତାକୁ ନିଶ୍ୱାସ ନେବାର ଅସୁବିଧା ହୋଇପାରେ ବୋଲି ଡାକ୍ତର କହିଥିଲେ। ଏହାପରେ ଡାକ୍ତର ସର୍ଜରି ପାଇଁ ପିଲାଟି ଗିଳିଥିବା ଚୁମ୍ବକ ଅପେକ୍ଷା ଶକ୍ତିଶାଳୀ ଚୁମ୍ବକ ବ୍ୟବହାର କରିବା ପାଇଁ ସ୍ଥିର କରିଥିଲେ। ଶ୍ୱାସନଳୀରେ ଚୁମ୍ବକର ସ୍ଥିତି ଉପରେ ନଜର ରଖିବା ପାଇଁ ବ୍ରୋଙ୍କୋସ୍କୋପ୍‌ ବି ଜାରି ରଖାଯାଇଥିଲା। ଏହାପରେ ଡାକ୍ତର ବହୁ ଚେଷ୍ଟା କରିବା ପରେ ପିଲାଟି ଶ୍ୱାସନଳୀରୁ ଚୁମ୍ବକ ବାହାର କରିବାରେ ସଫଳ ହୋଇଥିଲେ। ପିଲାଟି ଅବସ୍ଥା ଏବେ ସୁସ୍ଥ ରହିଛି।

ସମ୍ବନ୍ଧିତ ଖବର