ଇଞ୍ଜିନିୟରିଂ, ମେଡିକାଲ କୋଚିଂ ପାଇଁ ସତ୍ୟନଗର ପରିଚିତ ହୋଇଥିବା ବେଳେ ପ୍ରତିଯୋଗିତାମୂଳକ ପରୀକ୍ଷା କୋଚିଂ ପାଇଁ ଆଚାର୍ଯ୍ୟ ବିହାର ଆଶାୟୀଙ୍କ ଠିକଣା ପାଲଟିଛି। ରାଜ୍ୟର ଓପିଏସ୍ସି ଓ ଓଏସ୍ଏସ୍ସି ସହିତ ସର୍ବଭାରତୀୟ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଆଚାର୍ଯ୍ୟ ବିହାରରେ ୨୦ରୁ ଅଧିକ କୋଚିଂ ସେଣ୍ଟର ଖୋଲିଛି। ଆଚାର୍ଯ୍ୟ ହରିହରଙ୍କ ନାଁରେ ପ୍ରତିଷ୍ଠା ହୋଇଥିବା ଆଚାର୍ଯ୍ୟ ବିହାର କିଛିବର୍ଷ ଭିତରେ ନୂଆ ଠିକଣା ଖୋଜି ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଆଚାର୍ଯ୍ୟ ବିହାର ଅଞ୍ଚଳରେ ପ୍ଲାନେଟ୍ ବିଦ୍ୟା, ଦିଶା ଇନଷ୍ଟିଚ୍ୟୁଟ୍, ଆରିଫିନ୍, ଶିକ୍ଷା, ଏଆଇଇଟି, ଏପି କ୍ଲାସେସ୍ ଫର ମ୍ୟାଥ୍ ଏଣ୍ଡ ସାଇନ୍ସ, ସାଇ ଷ୍ଟଡି ସର୍କଲ, ସକସେସ୍ ଷ୍ଟଡି ସର୍କଲ, ବାଣିକ୍, କମ୍ପିଟେଟିଭ୍ ପଏଣ୍ଟ ଓ ଅନେକ ଇନଷ୍ଟିଚ୍ୟୁଟ୍ ଖୋଲିଛି। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ଏହି ଅଞ୍ଚଳ ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କୋଚିଂ ସେଣ୍ଟର ମାଲିକମାନଙ୍କ ପାଇଁ ଏହା ପସନ୍ଦର ସ୍ଥାନ ପାଲଟିଛି। କେଉଁ ଇନଷ୍ଟିଚ୍ୟୁଟ୍ ପ୍ରଥମେ ଏଠାରେ ଖୋଲିଥିଲା ତାହାର ନିର୍ଦ୍ଦିଷ୍ଟ ତଥ୍ୟ ନାହିଁ। ରାଜଧାନୀର ଅନ୍ୟ ଅଞ୍ଚଳରେ କୋଚିଂ ସେଣ୍ଟର ରହିଥିଲେ ହେଁ ଆଚାର୍ଯ୍ୟ ବିହାର ଏ ଦିଗରେ ଏକ ଉଦାହରଣ ସୃଷ୍ଟି କରିପାରିଛି। ଉତ୍କଳ ବିଶ୍ବବିଦ୍ୟାଳୟ ନିକଟରେ ରହିବା, ଜାତୀୟ ରାଜପଥକୁ ଲାଗିକି ଥିବାରୁ ଏହି ଅଞ୍ଚଳକୁ ଗମନାଗମନର ସମସ୍ୟା ନାହିଁ। ଯାହା ଅଧିକରୁ ଅଧିକ କୋଚିଂ ସେଣ୍ଟର ମାଲିକଙ୍କୁ ଏଠାରେ ନିଜର ସେଣ୍ଟର ଖୋଲିବାକୁ ଟାଣୁଛି। ସତ୍ୟନଗର ଭଳି ସମାନ ଢଙ୍ଗରେ ଆଚାର୍ଯ୍ୟ ବିହାର ଅଞ୍ଚଳରେ ମଧ୍ୟ ବହୁ ସଂଖ୍ୟାରେ ହଷ୍ଟେଲ ଖୋଲିଛି। ବିଶେଷକରି ଲେଡିଜ୍ ହଷ୍ଟେଲ୍। କୋଚିଂ ନେଉଥିବା ଛାତ୍ରଛାତ୍ରୀମାନେ ଏସବୁ ହଷ୍ଟେଲରେ ରହୁଛନ୍ତି।