୨୫ ହଜାର କର୍ମନିଯୁକ୍ତି ସୃଷ୍ଟି କରିବ ଆଦିତ୍ୟ ବିର୍ଲା

ଗୋପାଳପୁରରେ ଶୀଘ୍ର ଖୋଲିବ ହସ୍ପିଟାଲ୍‌, ‌ରାଜ୍ୟକୁ ବିମାନ ବନ୍ଦର ହସ୍ତାନ୍ତର କରିବ ବେଦାନ୍ତ

ଦେଶରେ ପୁଞ୍ଜିନିବେଶ ନିମନ୍ତେ ଆମ ପାଇଁ ଯେଉଁ କେତୋଟି ରାଜ୍ୟ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ସେମାନଙ୍କ ମଧ୍ୟରେ ଶୀର୍ଷ ସ୍ଥାନରେ ରହିଛି ଓଡ଼ିଶା। ଆମେ ଏଠାରେ ଆଗାମୀ ଦୁଇ ବର୍ଷରେ ୨ ବିଲିଅନ୍ ଡଲାର ନିବେଶ କରିବାକୁ ଯୋଜନା ରଖିଛୁ ବୋଲି ଆଦିତ୍ୟ ବିର୍ଲା ଗ୍ରୁପ୍‌ର ମୁଖ୍ୟ କୁମାର ମଙ୍ଗଳମ୍ ବିର୍ଲା କହିଛନ୍ତି। ରାଜ୍ୟରେ ପୋଷାକଠାରୁ ଟେଲିକମ୍‌ ଏବଂ ଆଲୁମିନିୟମ ଠାରୁ ସିମେଣ୍ଟ୍‌ ପର୍ଯ୍ୟନ୍ତ କାରବାର କରୁଥିବା ଏହି ଗ୍ରୁପ୍‌ ୪୦ ହଜାର କୋଟି ଟଙ୍କା ନିବେଶ କରିସାରିଛି। ‌ଏହି ନିବେଶ ଯୋଗୁ ରାଜ୍ୟରେ ୧୨ ହଜାର ଲୋକଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ଆଗାମୀ ଦିନରେ ୨୫ ହଜାର ଲୋକଙ୍କୁ କର୍ମନିଯୁକ୍ତି ପ୍ରଦାନ କରିବାକୁ କଂପାନି ଲକ୍ଷ୍ୟ ରଖିଛି ବୋଲି ସେ କହିଛନ୍ତି। ଓଡ଼ିଶା ଡିସ୍‌କମ୍ ସହଯୋଗରେ କଂପାନି ୧୦୦ ମେଗାୱାଟ୍‌ର ସୌର ଶକ୍ତି ଯୋଜନାକୁ ରାଜ୍ୟରେ କାର୍ଯ୍ୟକାରୀ କରିବାକୁ ଚାହୁଛି। ସେ ବାଲିଯାତ୍ରା, କୋଣାର୍କ ଓ ପୁରୀ ଜଗନ୍ନାଥ ମନ୍ଦିର ବିଷୟରେ ଆଲୋଚନା କରି କହିଥିଲେ ଯେ ଏଗୁଡ଼ିକ ହେଉଛି ସମ୍ବଳ ଯୋଗାଡ଼ ଓ ପ୍ରକଳ୍ପ କ୍ରିୟାନ୍ବୟନର ଶ୍ରେଷ୍ଠ ଉଦାହରଣ। ନିଯୁକ୍ତି ସୁଯୋଗ ସୃଷ୍ଟି, ଦକ୍ଷତା ବିକାଶ, ଶିକ୍ଷା, ସ୍ମାର୍ଟ ସିଟି ସ୍ଥାପନ କରିବା କ୍ଷେତ୍ରରେ ଓଡ଼ିଶା ବହୁତ ଭଲ ଅଗ୍ରଗତି କରିଛି ବୋଲି ସେ କହିଛନ୍ତି।

ଗୋପାଳପୁରରେ ଶୀଘ୍ର ଖୋଲିବ ହସ୍ପିଟାଲ୍‌

ଟାଟା ଗ୍ରୁପ୍‌ ପକ୍ଷରୁ ଓଡ଼ିଶାରେ ୭୫ ହଜାର କୋଟିରୁ ଅଧିକ ନିବେଶ ନିବେଶ କରାଯାଇସାରିଲାଣି। ଯାଜପୁରର କଳିଙ୍ଗ ନଗରଠାରେ ଥିବା ଟାଟା ଷ୍ଟିଲ୍ କାରଖାନାର ସମ୍ପ୍ରସାରଣରେ ଆଉ ୨୫ ହଜାର କୋଟି ଟଙ୍କା ନି‌‌ବେଶ କରାଯିବ ବୋଲି ଟାଟା ଗ୍ରୁପ୍‌ର ମୁଖ୍ୟ ଏନ୍ ଚନ୍ଦ୍ରଶେଖରନ୍ କହିଛନ୍ତି। ସେ କହିଲେ, ଆମେ ଶିକ୍ଷା, ସ୍ବାସ୍ଥ୍ୟ ସେବା କ୍ଷେତ୍ରର ବିକାଶ ପାଇଁ ଆମ କଂପାନି ରାଜ୍ୟରେ ଅନେକ ପ୍ରକାର କାମ ହାତକୁ ନେଇଛୁ। କଳିଙ୍ଗ ନଗରରେ ଏକ ହସ୍ପିଟାଲ୍ କାର୍ଯ୍ୟକ୍ଷମ କରାଯାଇଛି। ଗୋପାଳପୁର‌ରେ ଖୁବ୍‌ଶୀଘ୍ର ଏକ ୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ୍‌ କାର୍ଯ୍ୟକ୍ଷମ ହେବ ବୋଲି ସେ କହିଛନ୍ତି। ଟାଟା ଷ୍ଟିଲ୍‌ ପକ୍ଷରୁ ରାଜ୍ୟରେ ୩୦ଟି ମଡେଲ୍‌ ସ୍କୁଲ ସ୍ଥାପନ କରିବାକୁ ଘୋଷଣା କରାଯାଇଛି। ହକି ସହିତ ମଧ୍ୟ ଟାଟା ଷ୍ଟିଲ୍‌ ଜଡ଼ିତ ରହିଛି ବୋଲି ସେ କହିଛନ୍ତି। ଏହି ଅବସରରେ ସେ ରାଜ୍ୟ ହାସଲ କରିଥିବା ଦ୍ରୁତ ଆର୍ଥିକ ଅଭିବୃଦ୍ଧିକୁ ପ୍ରଶଂସା କରିଥିଲେ। ଓଡ଼ିଶା ସହିତ ଟାଟାର ସମ୍ପର୍କ ବହୁତ ପୁରୁଣା। ମୟୁରଭଞ୍ଜ ମହାରାଜଙ୍କ ସମୟରେ ଏହି ସମ୍ପର୍କ ଆରମ୍ଭ ହୋଇଥିଲା ଯାହା ଆଜି ପର୍ଯ୍ୟନ୍ତ ଜାରି ରହିଛି। ଟାଟା ଗ୍ରୁପ୍ ଓଡ଼ିଶାରେ ଇସ୍ପାତ ଠାରୁ ଆରମ୍ଭ କରି ସୂଚନା ପ୍ରଯୁକ୍ତି ପର୍ଯ୍ୟନ୍ତ ଅନେକ କ୍ଷେତ୍ରରେ ସଫଳତାର ସହ ବ୍ୟବସାୟ କରୁଛି ବୋଲି ସେ କହିଛନ୍ତି।

ରାଜ୍ୟକୁ ବିମାନ ବନ୍ଦର ହସ୍ତାନ୍ତର କରିବ ବେଦାନ୍ତ

କଳାହାଣ୍ଡି ମୋ ହୃଦୟର ଅତି ନିକଟତର। ଏଠାରେ ପହଞ୍ଚିବା ପରେ ମୁଁ ଭାବୁଛି ମୋ ଜୀବନ ସାର୍ଥକ ହୋଇଛି। ଏହା କହିଛନ୍ତି ବେଦାନ୍ତ ଗ୍ରୁପ୍‌ ମୁଖ୍ୟ ଅନିଲ ଅଗ୍ରୱାଲ୍। ସେ କହିଛନ୍ତି ଯେ, ବେଦାନ୍ତ ପକ୍ଷରୁ କଳାହାଣ୍ଡିରେ ୨୦ ହଜାର କୋଟିରୁ ଅଧିକ ଟଙ୍କା ନିବେଶ କରାଯାଇଛି। ଏହା ପରଠାରୁ ଏହି ଜିଲ୍ଲାର ଚିତ୍ର ବଦଳିଯାଇଛି। ଭିତ୍ତିଭୂମିରେ ଉନ୍ନତି ହୋଇଥିବା ବେଳେ ବିଦ୍ୟୁତ ଶକ୍ତି ପହଞ୍ଚିଛି। ଏଠାରେ ସୁଲଭ ମୂଲ୍ୟରେ ଜମି ଓ ଶ୍ରମ ଶକ୍ତି ମିଳୁଛି। ପ୍ରତିଟି ନିବେଶକ କଳାହାଣ୍ଡି‌ରେ ନିବେଶ କରିବାକୁ ଅଗ୍ରହ ପ୍ରକାଶ କରିବା ଉଚିତ ବୋଲି ସେ କହିଛନ୍ତି। ସେଠାରେ ଥିବା କଂପାନିର ବିମାନ ବନ୍ଦର ବ୍ୟବସ୍ଥାକୁ ରାଜ୍ୟ ସରକାରଙ୍କୁ ହସ୍ତାନ୍ତର କରାଯିବ ବୋଲି ଶ୍ରୀ ଅଗ୍ରୱାଲ୍ କହିଛନ୍ତି। ଏହା ଜରିଆରେ କଳାହାଣ୍ଡିକୁ ବିମାନ ସଂଯୋଗ ସ୍ଥାପନ କରାଯାଇପାରିବ। ଏଥି ସହିତ ପୁରୀ ଠାରେ ଏକ ବିଶ୍ବ ସ୍ତରୀୟ ବିଶ୍ବବିଦ୍ୟାଳୟ ସ୍ଥାପନ କରିବାର ଆବଶ୍ୟକତା ବିଷୟରେ ସେ ଆଲୋଚନା କରିଛନ୍ତି। ଏ କ୍ଷେତ୍ରରେ ବେଦାନ୍ତ ଅଗ୍ରଗତି କରିଛି। ସେଠାରେ ଏକ ଲକ୍ଷ ଛାତ୍ରଛାତ୍ରୀ ପାଠ ପଢ଼ିପାରିବେ ବୋଲି ସେ କହିଛନ୍ତି। ରାଜ୍ୟରେ ଏକ ବିଶ୍ବ ସ୍ତରୀୟ କନ୍‌ଭେନ୍‌ସନ୍ ସେଣ୍ଟର୍‌ ସ୍ଥାପନ କରାଯିବା ଦରକାର ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର