ଅଗି ଜଳିଲା…ଶୀତ ଟଳିଲା : ଅଗିଜଳା ପୁନେଇଁ ସହିତ ଶେଷ ହେଲା ଶୀତଋତୁ
ମାଘ ପୂର୍ଣ୍ଣିମା ଓଡ଼ିଶାରେ ଅଗ୍ନିପୂର୍ଣ୍ଣିମା ଭାବରେ ଖ୍ୟାତ। ଏହି ଦିନ ଅଗ୍ନ୍ୟୁତ୍ସବ ପାଳିତ ହୁଏ। ସ˚ଧ୍ୟା ପରେ ଗାଆଁମୁଣ୍ତରେ କୁଟା ଆଦି ଗଦା କରି ସେଥିରେ ଅଗ୍ନିସ˚ଯୋଗ କରାଯାଏ। ‘ଅଗ୍ନି’ର ଲୋକକଥିତ ପ୍ରତିଶବ୍ଦ ‘ଅଗି’। ତେଣୁ ଲୋକମୁଖରେ ଏହା ‘ଅଗିଜଳା ପୁନେଇଁ’।
Sambad is now on WhatsApp
Join and get latest news updates delivered to you via WhatsApp
ଆମ ଋତୁଚକ୍ର ଅନୁସାରେ ପୌଷ ଓ ମାଘ ମାସ ହେଉଛି ଶୀତଋତୁ। ଏଣୁ ଏହି ଅଗିଜଳା ପୁନେଇଁ ସହିତ ଶୀତଋତୁ ଶେଷ ହୁଏ। ମକର ସ˚କ୍ରାନ୍ତିଠାରୁ ସୂର୍ଯ୍ୟଙ୍କର ଉତ୍ତରାୟଣର ଅୟମାରମ୍ଭ ହୋଇଥିବାରୁ, ଏହି ସମୟକୁ ଶୀତ ବି ଟିକିଏ କମି ଆସିଥାଏ। ତେଣୁ ଲୋକମୁଖରେ କୁହାଯାଏ- ‘‘ଅଗି ଜଳିଲା… ଶୀତ ଟଳିଲା’।
ଅଗ୍ନିପୂର୍ଣ୍ଣିମାର ଆଉ ଗୋଟିଏ ନାମ ‘ଅଇଘରା ପୁନେଇଁ’। ‘ଅଇ’ ‘ଅଗ୍ନି’ର ଅପଭ୍ର˚ଶ। ଏହା ସହିତ ‘ହରିକା’ ମିଶି କ୍ରମେ ‘ଅଇହରା’ ବା ‘ଅଇଘରା’ ହୋଇଛି ବୋଲି ଜଣାଯାଏ। ଏ ସ˚ପର୍କରେ ଥିବା କି˚ବଦନ୍ତି ଅନୁସାରେ, ‘ହରିକା’ ନାମରେ ଗୋଟିଏ ରାକ୍ଷସୀ ଥିଲା। ସେ ଛୋଟ ଛୋଟ ପିଲାଙ୍କୁ ଖାଇଯାଉଥିଲା। ଅନ୍ୟ ଦେବତାମାନେ ତାହାକୁ ବଧ କରିବାକୁ ଚେଷ୍ଟା କରି, ନପାରିବାରୁ, ଶିବ ତାହାକୁ ବଧ କଲେ। ତାହା ପରେ ଦେବତାମାନେ ସେହି ରାକ୍ଷସୀର ବିରାଟ ଦେହକୁ ନିଆଁ ଲଗାଇ ପୋଡ଼ିଦେଲେ। ‘ଅଇଘରା’ ତାହାରି ଏକ ସ୍ମାରକ ଉତ୍ସବ।
ଏ ସ˚ପର୍କରେ ଆଉ ଗୋଟିଏ ମତ ମଧ୍ୟ ଅଛି। ସେହି ମତ ଅନୁସାରେ, ‘ହରିକା’ ବସନ୍ତ, ମିଳିମିଳା ଓ ହାଡ଼ଫୁଟି ଆଦି ରୋଗର ଅଧିଷ୍ଠାତ୍ରୀ ଯୋଗିନୀ। ମହାଦେବ ତାହାକୁ ବିନାଶ କଲେ ଏବ˚ ଲୋକେ ତାହାର ଶବ ଉପରେ ଘରର ଅଳିଆ, ଚିରାକନା ଆଦି ଗଦା କରି ନିଆଁ ଜାଳିଲେ। ତାହାର ସ୍ମାରକ ହେଉଛି, ଅଇଘରା ବା ଅଗ୍ନି ଉତ୍ସବ।
ଏହା ସୂଚାଏ ଯେ ଏହା ଶୀତଋତୁର ଶେଷ ଓ ବସନ୍ତ ଋତୁର ଆରମ୍ଭ କାଳ ହୋଇଥିବାରୁ, ଏହି ସମୟରେ ବସନ୍ତ, ମିଳିମିଳା ଓ ହାଡ଼ଫୁଟି ଆଦି ବ୍ୟାପିବାର ଆଶଙ୍କା ଥାଏ। ଏବେ ବସନ୍ତ ରୋଗ ନିର୍ମୂଳ ହୋଇଛି, କିନ୍ତୁ ମିଳିମିଳା ଓ ହାଡ଼ଫୁଟିର ପ୍ରାଦୁର୍ଭାବ ରହିଛି। ଏଣୁ ଏହି ସମୟରେ ପରିବେଶକୁ ପରିଷ୍କାର ରଖିବା ସହିତ ସେଥିପାଇଁ ସତର୍କ ରହିବାର ଆବଶ୍ୟକତା ଅଛି।
ଅଗି ଜଳିବା ସହିତ ଶୀତ ଯେ ଟଳେ- ତାହାର ଆଉ ଏକ ନିଦର୍ଶନ ଆମ ଶ୍ରୀଜଗନ୍ନାଥ ମନ୍ଦିରର ପରମ୍ପରାରେ ଅଛି।
ମାଘପୂର୍ଣ୍ଣିମାର ଦଶଦିନ ପୂର୍ବରୁ, ବସନ୍ତ ପଞ୍ଚମୀଠାରୁ ଶ୍ରୀଜଗନ୍ନାଥଙ୍କ ଶୀତଦିନିଆ ବେଶପୋଷାକରେ ପରିବର୍ତ୍ତନ ହୋଇଥାଏ। ମାର୍ଗଶିର ଶୁକ୍ଳ ଷଷ୍ଠୀ ବା ଓଢ଼ଣ ଷଷ୍ଠୀଠାରୁ ଶ୍ରୀଜଗନ୍ନାଥାଦି ଦେବତା ଯେଉଁ ଶୀତଦିନିଆ ପୋଷାକ ବା ‘ଘୋଡ଼’ ଲାଗି ହୋଇଥାଆନ୍ତି, ବସନ୍ତ ପଞ୍ଚମୀଠାରୁ ସେଥିରେ ପରିବର୍ତ୍ତନ ଘଟେ। ସେହି ଦିନଠାରୁ ସେମାନେ ଆଉ ସମସ୍ତ ଅଙ୍ଗକୁ ଆବୃତ କରୁଥିବା ‘ଘୋଡ଼’ ନପିନ୍ଧି, ‘ଜାମା’ ବା ଅପେକ୍ଷାକୃତ ସ˚କ୍ଷିପ୍ତ ପୋଷାକ ପିନ୍ଧିଥାଆନ୍ତି। ଏହି ‘ଜାମାଲାଗି’ ଫାଲ୍ଗୁନ ଶୁକ୍ଳ ଦଶମୀ ପର୍ଯ୍ୟନ୍ତ ଚାଲେ। ଏହା ଆମକୁ ସୂଚାଏ ଯେ, ଋତୁଚକ୍ର ଅନୁସାରେ ଶୀତ ଟଳିଥିଲେ ମଧୢ, ଶୀତ ସ˚ପୂର୍ଣ୍ଣ ସରି ନଥିବାରୁ ଆମେ ଆମର ପ୍ରୟୋଜନ ଅନୁସାରେ, ଏହି ସମୟରେ ସ˚କ୍ଷିପ୍ତ ଶୀତପୋଷାକ ପିନ୍ଧିବା ଆବଶ୍ୟକ।