‘ଆହାର’ ଉପରେ ଖରା ପାହାର

ବ୍ରହ୍ମପୁର : ଗରିବ ଲୋକଙ୍କୁ ୫ଟଙ୍କାରେ ଭାତ, ଡାଲମା ପ୍ରଦାନ କରିବା ଉଦ୍ଦେଶ୍ୟ ନେଇ ରାଜ୍ୟ ସରକାର ଆରମ୍ଭ କରିଥିଲେ ‘ଆହାର’ ଯୋଜନା। ପ୍ରଥମ ପର୍ଯ୍ୟାୟରେ ବଡ଼ ବଡ଼ ସହରରେ ଆରମ୍ଭ ହୋଇଥିବା ଏହି ଯୋଜନା ବର୍ତ୍ତମାନ ଛୋଟ ସହରରେ ମଧ୍ୟ କାର୍ଯ୍ୟକାରୀ ହୋଇଛି। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ସହରରେ ପ୍ରଥମ ପର୍ଯ୍ୟାୟରେ ୩ଟି କେନ୍ଦ୍ର ଖୋଲିଥିଲା। ବର୍ତ୍ତମାନ ଆହାର କେନ୍ଦ୍ର ସଂଖ୍ୟା ୧୨ରେ ପହଞ୍ଚିଛି। ତନ୍ମଧ୍ୟରୁ ବ୍ରହ୍ମପୁର ମହାନଗରରେ ସର୍ବାଧିକ ୬ଟି କେନ୍ଦ୍ର ରହିଛି। ଆହାରରେ ଗରିବ ଲୋକଙ୍କ ପେଟ ପୂରୁଛି। କିନ୍ତୁ ଏବେ ଆହାର ଉପରେ ଖରା ପାହାର ପଡ଼ିଛି। ଖରା ଯୋଗୁଁ ଚାହିଦା ହ୍ରାସ ପାଇଛି ବୋଲି ଆହାର ଯୋଗାଣ ଦାୟିତ୍ୱରେ ଥିବା ମାନା ଟ୍ରଷ୍ଟର ଆସିଷ୍ଟାଣ୍ଡ ମ୍ୟାନେଜର ମନିଷ ସିହ୍ନା କହିଛନ୍ତି। ବର୍ଷା ଓ ଶୀତ ଦିନ ଅପେକ୍ଷା ଖରା ଦିନରେ ଲୋକଙ୍କ ଗହଳି କିଛିଟା କମିଥାଏ। ଖରା ଯୋଗୁଁ ଲୋକଙ୍କ ଆତଯାତ କମିବା ସହିତ ବିଭିନ୍ନ ଶିକ୍ଷାନୁଷ୍ଠାନ ମଧ୍ୟ ଛୁଟି ରହିଥାଏ। ତେଣୁ କରି ଚାହିଦା ହ୍ରାସ ପାଇଥାଏ ବୋଲି ସେ କହିଛନ୍ତି।

ଆହାର କେନ୍ଦ୍ରରେ ଗରିବ ଲୋକ ତଥା ବିଭିନ୍ନ କାମରେ ସହରକୁ ଆସୁଥିବା ଲୋକେ ଓ କଲେଜ ଛାତ୍ରମାନେ ବିଶେଷ କରି ଖାଦ୍ୟ ଖାଇଥାନ୍ତି। ଖରା ଯୋଗୁଁ ଗ୍ରାମାଞ୍ଚଳରୁ ସହରକୁ କାମ କରିବା ପାଇଁ ଆସୁଥିବା ଲୋକଙ୍କ ସଂଖ୍ୟା କମିଥିବା ବେଳେ କଲେଜଗୁଡ଼ିକ ଛୁଟି ରହିଛି। ତେଣୁ କରି ଗ୍ରାହକ ସଂଖ୍ୟା କମିଛି ବୋଲି କେନ୍ଦ୍ରର କର୍ମଚାରୀମାନେ କହିଛନ୍ତି। କିନ୍ତୁ ରେଳ ଷ୍ଟେସନ୍‌, ବସଷ୍ଟାଣ୍ଡ ଓ ମେଡିକାଲରେ ରହିଥିବା କେନ୍ଦ୍ରଗୁଡ଼ିକରେ ବିକ୍ରି ସ୍ୱାଭାବିକ ରହିଛି। ବ୍ରହ୍ମପୁର ସହରରେ ରେଳ ଷ୍ଟେସନ୍‌, ପୁରୁଣା ବସଷ୍ଟାଣ୍ଡା, ନୂଆ ବସଷ୍ଟାଣ୍ଡ, ବଡ଼ ମେଡିକାଲ, ସିଟି ହସ୍‌ପିଟାଲ ଓ ଆସିକା ରୋଡ଼ରେ ଆହାର କେନ୍ଦ୍ର ରହିଛି। ସେହିପରି ଗୋପାଳପୁର, ଛତ୍ରପୁର, ଆସିକା, ଦିଗପହଣ୍ଡି ଓ ହିଂଜିଳିକାଟୁରେ ମଧ୍ୟ ଗୋଟିଏ ଲେଖାଏଁ କେନ୍ଦ୍ର ରହିଛି। ଏହି କେନ୍ଦ୍ରଗୁଡ଼ିକୁ ବ୍ରହ୍ମପୁର ରେଳ ଷ୍ଟେସନ୍‌ ରୋଡ଼ରେ ଥିବା ମାନା ଟ୍ରଷ୍ଟ ତରଫରୁ ଆହାର ଯୋଗାଣ ହେଉଛି। ଭଞ୍ଜନଗରରେ ଥିବା ଆହାର କେନ୍ଦ୍ର ପାଇଁ ସେଠାରେ ସ୍ୱତନ୍ତ୍ର ରୋଷେଇ ଘର ବ୍ୟବସ୍ଥା କରାଯାଇଛି ବୋଲି ଆସିଷ୍ଟାଣ୍ଡ ମ୍ୟାନେଜର ସିହ୍ନା କହିଛନ୍ତି।

କେନ୍ଦ୍ର ବାହାରେ ପାମ୍ପଡ଼, ସାଲାଡ୍‌
ଆହାରରେ ଭାତ, ଡାଲମା ଓ ଆଚାର ଦିଆଯାଉଛି। କିଛି ଲୋକ ଏହା ସହିତ ଆଉ କିଛି ଅଧିକ ଖାଦ୍ୟ ଖୋଜିଥାନ୍ତି। ସେଭଳି ଲୋକଙ୍କ ପାଇଁ ବର୍ତ୍ତମାନ ବ୍ରହ୍ମପୁର ସହରର ପ୍ରତ୍ୟେକ ଆହାର କେନ୍ଦ୍ର ବାହାରେ ପାମ୍ପଡ଼, ଚଣାଭଜା ଓ ସାଲାଡ଼୍‌ ଯୋଗାଇ ଦେବା ପାଇଁ ବେପାରୀମାନେ ପସରା ମେଲିଛନ୍ତି। ଲୋକେ ୫ଟାଙ୍କ ଆହାର କିଣିଥିବା ବେଳେ ୧୦ ଟଙ୍କାରେ ଏହି ସାମଗ୍ରୀ କିଣି ପେଟ ଭର୍ତ୍ତି ଖାଉଛନ୍ତି। ରେଳ ଷ୍ଟେସନ୍‌ କେନ୍ଦ୍ରରେ ଦୋକାନ କରିଥିବା ଜଣେ ବେପାରୀ ଦିନକୁ ଦେଢ଼ଶହରୁ ୨ଶହ ବେପାର ହେଉଥିବା କହିଛନ୍ତି। ସୋମବାର ଓ ଶନିବାର ଦିନ ଭଲ ବିକ୍ରି ହୁଏ ବୋଲି କହିଛନ୍ତି।

ନଜର ରଖିଛି ସିସି କ୍ୟାମେରା
ଆହାର କେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟର ମାନ ଓ ସଫେଇ ବ୍ୟବସ୍ଥା ଉପରେ ନଜର ରଖିବା ପାଇଁ ସିସି କ୍ୟାମେରା ଲଗାଯାଇଛି। ବ୍ରହ୍ମପୁର ସହରର ୬ଟି କେନ୍ଦ୍ରରେ ବିଏମ୍‌ସି ତରଫରୁ ସିସି କ୍ୟାମରେ ଖଞ୍ଜାଯାଇଛି। ବିଭିନ୍ନ ସମୟରେ ଖାଦ୍ୟ ସୁରକ୍ଷା ଅଧିକାରୀ କେନ୍ଦ୍ର ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କରିବା ସହିତ ନମୁନା ସଂଗ୍ରହ କରୁଛନ୍ତି। ସେହିପରି ଟିକଟ କାଉଣ୍ଟର୍‌ ଓ ବାହାରେ ମଧ୍ୟ ସିସି କ୍ୟାମେରା ଖଞ୍ଜାଯାଇଛି।

ଶିଳ୍ପାଞ୍ଚଳ କେନ୍ଦ୍ରରେ ଅବ୍ୟବସ୍ଥା : ୫ଟଙ୍କିଆ ଆହାରରେ ପେଟ ପୂରୁନି

ଯାଜପୁର, : ଭୋକିଲା ପେଟକୁ ସ୍ୱଳ୍ପମୂଲ୍ୟରେ ଖାଦ୍ୟ ଯୋଗାଇବା ପାଇଁ ସରକାର କରିଛନ୍ତି ଆହାର ଯୋଜନା। ତେବେ ଶିଳ୍ପାଞ୍ଚଳର ଶ୍ରମିକ ଶ୍ରେଣୀର ଲୋକଙ୍କ ପେଟ ଏହି ୫ ଟଙ୍କିଆ ଆହାରରେ ପୂରୁନି। କେହି କେହି ବାଧ୍ୟ ହୋଇ ପ୍ରଥମ ଟୋକନ୍‌ରେ କିଣିଥିବା ଭାତ ଡାଲମାକୁ ସାଂଗରେ ନେଇଥିବା ଟିଫିନ୍‌ ବକ୍ସରେ ପୂରାଇ ଆଉ ଏକ ଟୋକନ୍‌ ନେଉଥିବା ଦେଖାଯାଉଛି। ଏଥିସହ ମାତ୍ର ୨ ଘଣ୍ଟା ମଧ୍ୟରେ ଆହାର କେନ୍ଦ୍ରରୁ ଖାଦ୍ୟ ଗାଏବ ହୋଇ ଯାଉଥିବାରୁ ଗରିବ ଲୋକେ ହଇରାଣ ହେଉଛନ୍ତି। ଏହାକୁ ନେଇ ଖାଦ୍ୟ ଯୋଗାଣକାରୀ ସଂସ୍ଥା ଉପରେ ମଧ୍ୟ ଅଙ୍ଗୁଳି ଉଠାଉଛନ୍ତି।

ଯାଜପୁର ଜିଲ୍ଲାର ୪ଟି ସ୍ଥାନରେ ସରକାରଙ୍କ ଆହାର କେନ୍ଦ୍ର ଚାଲିଛି। ବିଶେଷ ଭାବେ ଶିଳ୍ପାଞ୍ଚଳ କଳିଙ୍ଗନଗର ଓ ବ୍ୟାସନଗରରେ ଆହାର କେନ୍ଦ୍ରର ଅବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ ଜିଲ୍ଲା ସଦର ମହକୁମା ଓ ଚଣ୍ଡିଖୋଲ କେନ୍ଦ୍ରରେ ସେପରି ବିବାଦ ନାହିଁ। ପ୍ରତ୍ୟେକ ଆହାର କେନ୍ଦ୍ରକୁ ପ୍ରତିଦିନ ୫ଶହ ଲୋକଙ୍କର ରନ୍ଧା ଖାଦ୍ୟ ବଣ୍ଟନ ହେଉଥିବାର ବ୍ୟବସ୍ଥା ରହିଛି। ଅଥଚ ନିର୍ଦ୍ଧାରିତ ସମୟ ପୂର୍ବରୁ ଖାଦ୍ୟ ଶେଷ ହୋଇଯିବା ଘଟଣାକୁ ନେଇ ସଂଦେହ ପ୍ରକାଶ ପାଇଛି। ଏପରିକି ପ୍ରଦାନ କରାଯାଉଥିବା ଭାତ ଡାଲମାରେ ଗାଁର ପରିଶ୍ରମୀ ଲୋକ ଓ ଶ୍ରମିକମାନଙ୍କର ପେଟ ପୂରୁନଥିବା ବେଳେ ବ୍ୟାସନଗର ଆହାର କେନ୍ଦ୍ରରୁ ଠିକାଦାରମାନେ ନିଜ ଶ୍ରମିକମାନଙ୍କ ପାଇଁ ଖାଦ୍ୟ ପାର୍ସଲ୍‌ ନେଉଥିବାର ସଙ୍ଗୀନ ଅଭିଯୋଗ କରାଯାଉଛି। ଆହାର କେନ୍ଦ୍ରଗୁଡ଼ିକ ସ୍ଥାନୀୟ ପ୍ରଶାସନ ବ୍ଲକ୍‌ ଓ ପୌରସଂସ୍ଥା ତଦାରଖ କରୁଛନ୍ତି। ମାତ୍ର ତାହା କେତେ ତଳିଆ କର୍ମଚାରୀଙ୍କ ମର୍ଜିରେ ଚାଲିଛି ବୋଲି ଅଭିଯୋଗ ହେଉଛି।

ସୂଚନା ଯୋଗ୍ୟ ୨ବର୍ଷ ପୂର୍ବେ ୨୦୧୬ ମସିହା ଏପ୍ରିଲରେ ବ୍ୟାସନଗର,ଡୁବୁରୀ ଓ ଯାଜପୁର ଜିଲ୍ଲା ସଦର ମହକୁମାରେ ଆହାର କେନ୍ଦ୍ର ଖୋଲିଥିବା ବେଳେ ଚଣ୍ଡିଖୋଲରେ ୨ମାସ ପରେ ୨୦୧୬ ଜୁନ୍‌ ରେ ଖୋଲିଥିଲା। ପ୍ରତି ଆହାର କେନ୍ଦ୍ରକୁ ରବିବାର ବ୍ୟତୀତ ଅନ୍ୟ ସବୁଦିନ ରନ୍ଧା ଖାଦ୍ୟ ଦିଆଯାଉଛି। ସକାଳ ୮ଟାରୁ ସଂପୃକ୍ତ ସଂସ୍ଥା ନଖରା ନିକଟରେ ରୋଷେଇ କରି ୧୩ଟି ଡ୍ରମ ଯୋଗେ ଭାତ ଓ ୯ଟି ଡ୍ରମ୍‌ ଯୋଗେ ଡାଲମା ଆଣି ଏହି ଆହାର କେନ୍ଦ୍ରଗୁଡ଼ିକରେ ବଣ୍ଟନ କରୁଛନ୍ତି। ଭାତ ଡ଼ାଲମା ସହିତ ସୋମବାର,ବୁଧବାର ଓ ଶୁକ୍ରବାରରେ କେବଳ ଆଚାର ପ୍ରଦାନ କରାଯାଉଛି। ପୂର୍ବାହ୍ନ ୧୧ଟାରୁ ଅପରାହ୍‌ଣ ୩ଟା ପର୍ଯ୍ୟନ୍ତ କେନ୍ଦ୍ରରେ ଖାଦ୍ୟ ପ୍ରଦାନର ବ୍ୟବସ୍ଥା ଥିବା ବେଳେ ପ୍ରାୟ ୨ଘଣ୍ଟା ମଧ୍ୟରେ ଖାଦ୍ୟ ଶେଷ ହୋଇଯାଉଥିବା ଗ୍ରାହକମାନେ କହୁଛନ୍ତି। ଯାହାକୁ ନେଇ ଖାଦ୍ୟ ନିଅଣ୍ଟ ଅଭିଯୋଗ କରାଯାଉଛି। ଶିଳ୍ପାଞ୍ଚଳ କଳିଙ୍ଗନଗର ଆହାର କେନ୍ଦ୍ରରେ ଖାଦ୍ୟ ଅଭାବ ସାଙ୍ଗକୁ ପିଇବା ପାଣିର ଅଭାବ ଭୋକିଲା ଲୋକଙ୍କ ପାଇଁ ଘୋର ଅସୁବିଧା ସୁଷ୍ଟି କରିଛି। ଏପରିକି ହାତ ଧୋଇବା ପାଣିକୁ ଲୋକମାନେ ପିଉଛନ୍ତି ବୋଲି ଅଭିଯୋଗ ହୋଇଛି।

ଭଂଜନଗର ଆହାର କେନ୍ଦ୍ର: ସାଢେ ୧୨ରେ ସବୁ ଶେଷ, ପ୍ଲେଟ୍‌ ଓ୍ଵାସ୍‌ ମେସିନ୍‌ ବର୍ଷେ ହେଲା ଅଚଳ

ଭଂଜନଗର : ୫ ଟଙ୍କାରେ ଗରିବଙ୍କୁ ଭାତ ଓ ଡାଲମା ଯୋଗାଇଦେବାକୁ ସରକାର ଆହାର ଯୋଜନା ଆରମ୍ଭ କରିିଥିଲେ। ଏହି ଅନୁସାରେ ଭଂଜନଗର ସହରରେ ୨୦୧୬ ମସିହା ଏପ୍ରିଲ୍‌ ମାସରେ ଆହାର କେନ୍ଦ୍ର ଖୋଲାଯାଇଥିଲା। ମାନ୍ନା ଟ୍ରଷ୍ଟ ଏହାର ପରିଚାଳନା ଦାୟିତ୍ୱରେ ଥିବା ବେଳେ ବର୍ତମାନ ଏହି କେନ୍ଦ୍ର ଅବ୍ୟବସ୍ଥା ଘେରରେ ଚାଲିଛି। ପ୍ରତ୍ୟେକ ଦିନ ଏଠାରେ ୫ଶହରୁ ଅଧିକ ଲୋକେ ଖାଉଥିବା ବେଳେ ସାଢେ ୧୨ଟାରେ ସବୁ ଟିକେଟ୍‌ ଶେଷ ହେବା ସହ ଅପରାହ୍ନ ସାଢେ ଗୋଟାଏରେ କେନ୍ଦ୍ରରେ ତାଲା ଝୁଲୁଛି।

କେନ୍ଦ୍ରରୁ ହସ୍ତଗତ ହୋଇଥିବା ସୂଚନାନୁସାରେ, ଆଜି ଦିନ ସାଢ଼େ ୧୧ଟା ସୁଦ୍ଧା ୩୬୦ ଟିକେଟ ବିକ୍ରି ହୋଇଥିବା ବେଳେ ଅପରାହ୍ନ ୧୨ଟା ୪୦ ବେଳକୁ ସମସ୍ତ ଟିକେଟ ବିକ୍ରି ହୋଇସାରିଥିଲା। ପ୍ରତିଦିନ ଏହି କେନ୍ଦ୍ର ଉପରେ କେଏସ୍‌ୟୁବି ମହାବିଦ୍ୟାଳୟର ୧୫୦ ଜଣ ଛାତ୍ରଛାତ୍ରୀ, ମହିଳା ମହାବିଦ୍ୟାଳୟର ୩୦ ଜଣ ଛାତ୍ରୀ ଓ ସିଟି ତାଲିମ ପ୍ରଶିକ୍ଷଣ କେନ୍ଦ୍ରର ଛାତ୍ରାବାସର ୭୦ଜଣ ଅନ୍ତେବାସୀ ଏହା ଉପରେ ନିର୍ଭରଶୀଳ। କିନ୍ତୁ ବର୍ତମାନ ଖରା ଛୁଟି ଚାଲିଥିବାରୁ ଗ୍ରାମାଞ୍ଚଳରୁ ଆସି ଏଠାରେ ପାଠ ପଢୁଥିବା ପିଲା କେନ୍ଦ୍ରକୁ ଆସୁନାହାନ୍ତି। ସେଭଳି ଗ୍ରାମାଂଚଳରୁ ବିଭିନ୍ନ କାମରେ ଆସୁଥିବା ଲୋକେ ଓ ଦିନ ମଜୁରିଆ, ସହରର ଉଠାଦୋକାନୀ, ବିଭିନ୍ନ ଦୋକାନରେ କାମ କରୁଥିବା ପିଲା ମାନେ ଏଠାକୁ ଖାଇବାକୁ ପ୍ରତିଦିନ ଆସିଥାନ୍ତି । ଦିନକୁ ଦିନ ଲୋକଙ୍କ ସଂଖ୍ୟା ବଢୁଛି। କିନ୍ତୁ ପର୍ଯ୍ୟାପ୍ତ ଖାଦ୍ୟ ନଥିବା ସହ ଟିକେଟ୍‌ ବି ସରିବାରୁ ଅନେକ ଲୋକ ନିରାଶ ହୋଇ ଫେରୁଛନ୍ତି। ହେଲେ ସଂଖ୍ୟା ବୃଦ୍ଧି ଦିଗରେ କୌଣସି ପଦକ୍ଷେପ ନିଆଯାଉନି।

ଅନ୍ୟପକ୍ଷରେ ପ୍ରଶାସନର ନିର୍ଦ୍ଦେଶ ଅନୁସାରେ, ଆହାର କେନ୍ଦ୍ର ପରିସରରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଆକ୍ୱାଗାର୍ଡ ଓ ଥଣ୍ଡାପାଣି ପାଇଁ ଫ୍ରିଜର ଲାଗିଛି। ତେବେ ଏହା ଗତ ଏକ ବର୍ଷ ହେଲା କାମ କରୁନି। ପ୍ଲେଟ୍‌ ଓ୍ଵାସ୍‌ ମେସିନ୍‌ ଓ ଡାଲିକୁ ଗରମ ରଖିବା ମେସିନ୍‌ ମଧ୍ୟ ଗତ ୮ମାସ ହେଲା ଅଚଳ ହୋଇ ପଡ଼ି ରହିଛି। ଫଳରେ ମହିଳା କର୍ମଚାରୀ ମାନେ ପ୍ଲେଟ୍‌ ସଫା କରି ଯୋଗାଇବାକୁ ବାଧ୍ୟ ହେଉଛନ୍ତି । କେନ୍ଦ୍ରର ସମ୍ମୁଖ ବୋର୍ଡ ଭାଙ୍ଗି ଯାଇଥିବା ବେଳେ ନୂଆବୋର୍ଡ ବର୍ତମାନ ସୁଦ୍ଧା ଲାଗି ନାହିଁ। ଅନ୍ୟପକ୍ଷରେ କେନ୍ଦ୍ର ବହୁତ ଛୋଟ ଥିବାରୁ ସମସ୍ୟା ଉପୁଜୁଛି। ଖୋଲିବା ମାତ୍ରେ ଲୋକଙ୍କ ଲମ୍ବା ଲାଇନ୍‌ ଲାଗିଯାଉଛି। କିଛି ଲୋକେ ପିଣ୍ଡାରେ ବସି ଖାଇବାକୁ ଦେଖିବାକୁ ମିଳୁଛି। ତେବେ ଆହାର ଯୋଜନା ଭାତ ଓ ଡାଲମା ସହ ଲୋକେ ଅଣ୍ଡା ଏବଂ ମାଛ ତରକାରୀର ମଜା ନେଉଛନ୍ତି। ଗତ ବର୍ଷକ ମଧ୍ୟରେ ଦାୟିତ୍ୱରେ ଥିବା କୌଣସି ଅଧିକାରୀ ଏହି କେନ୍ଦ୍ରର ତଦାରଖ ପାଇଁ ଆସିନାହାନ୍ତି। ଆହାର କେନ୍ଦ୍ର ଏକ ପ୍ରକାର ମୂଲ୍‌ଜାଲ୍‌ଗ ନୀତିରେ ଚାଲିଥିବା ସ୍ଥାନୀୟ ଲୋକେ କହିଛନ୍ତି।

ସମ୍ବନ୍ଧିତ ଖବର