ଅମର ଅଟଳ

0 148

ଅଟଳ ବିହାରୀ ବାଜପେୟୀଙ୍କ ମୃତ୍ୟୁରେ ରାଜନୀତିର ଏକ ସ୍ୱର୍ଣ୍ଣିମ ଯୁଗର ଅବସାନ ଘଟିଛି। ବାଜପେୟୀ ଏକ ଲମ୍ବା ଅବଧି ପାଇଁ ବିରୋଧୀ ଦଳ ନେତା ରହିଲେ, ୩ ଥର ପ୍ରଧାନମନ୍ତ୍ରୀ ବି ହେଲେ। କିନ୍ତୁ ତାଙ୍କ ଲୋକପ୍ରିୟତା ଏହି ଦୁଇଟି ପଦ ମଧ୍ୟରେ ସୀମିତ ନଥିଲା। ରାଜନୀତିରେ ବେଶ୍‌ ପାରଙ୍ଗମ ଏହି ମହାନ୍‌ ନେତା ଦେଶର ସାମଗ୍ରିକ ବିକାଶ ଉପରେ ସବୁବେଳେ ଧ୍ୟାନ ଦେଉଥିଲେ। ବିରୋଧୀ ଦଳ ମତକୁ ମଧ୍ୟ ସେ ଯଥେଷ୍ଟ ସମ୍ମାନ ଦେଉଥିଲେ। ତାଙ୍କର ପ୍ରତିଟି କାର୍ଯ୍ୟଧାରା ସବୁଦିନ ତାଙ୍କୁ ‘ଅମର’ କରି ରଖିବ।

ସାମ୍ବାଦିକରୁ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ତାଙ୍କ କ୍ୟାରିଅରର ଆଦ୍ୟ ଜୀବନରେ ଜଣେ ଧୂରୀଣ ସାମ୍ବାଦିକ ଥିଲେ। ଆରଏସଏସର ବିସ୍ତାରକ ଭାବେ ଉତ୍ତର ପ୍ରଦେଶରେ ଦାୟିତ୍ୱ ନେବା ପରେ ସେ ତୁରନ୍ତ ଦୀନଦୟାଲ ଉପାଧ୍ୟାୟଙ୍କ ମାସିକ ହିନ୍ଦୀ ପତ୍ରିକା ରାଷ୍ଟ୍ରଧର୍ମରେ ସାମ୍ବାଦିକ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଦେଇଥିଲେ। ରାଷ୍ଟ୍ରଧର୍ମ ପରେ ସେ ପଞ୍ଚଜନ୍ୟ( ହିନ୍ଦୀ ସାପ୍ତାହିକ) ଏବଂ ଦୈନିକ ସ୍ୱଦେଶ ଓ ବୀର ଅର୍ଜୁନ ଖବରକାଗଜରେ କାର୍ଯ୍ୟ କରିଥିଲେ। ସାମ୍ବାଦିକ ଭାବେ ସେ ବିଭିନ୍ନ ପ୍ରସଙ୍ଗରେ ତାଙ୍କ କଲମ ଚାଳନା କରିଥିଲେ। ସାମ୍ବାଦିକରୁ ଦେଶର ପ୍ରଧାନମନ୍ତ୍ରୀ ହୋଇ ପାରିଥିଲେ।

୨୦୦୫ରେ ସକ୍ରିୟ ରାଜନୀତିରୁ ନେଇଥିଲେ ସନ୍ନ୍ୟାସ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୨୦୦୫ରେ ସକ୍ରିୟ ରାଜନୀତିରୁ ଅବସର ନେଇଥିଲେ। ମୁମ୍ବାଇରେ ଆୟୋଜିତ ଏକ ରାଲିରେ ଯୋଗଦେବା ଅବସରରେ ସେ ଏହି ଘୋଷଣା କରିଥିଲେ। ଏଥିସହିତ ଅନ୍ୟତମ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ଏବଂ ପ୍ରମୋଦ ମହାଜନଙ୍କ ହାତରେ ଦଳର ଦାୟିତ୍ୱ ନ୍ୟସ୍ତ କରିଥିଲେ।

୩ ଥର ହୋଇଥିଲେ ପ୍ରଧାନମନ୍ତ୍ରୀ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ୩ ଥର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେବାର ସୌଭାଗ୍ୟ ଲାଭ କରିଥିଲେ। ପ୍ରଥମ ଥର ୧୯୯୬ ମସିହାରେ ୧୩ ଦିନ ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ସଂସଦରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରି ନପାରି ସେ ଇସ୍ତଫା ଦେଇଥିଲେ। ଏହାପରେ ୧୯୯୮ରେ ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇଥିଲେ। କିନ୍ତୁ ଏଆଇଡିଏମ୍‌କେ ସମର୍ଥନ ପ୍ରତ୍ୟାହାର କରିନେବା ପରେ ତାଙ୍କ ଦଳ କ୍ଷମତାଚ୍ୟୁତ ହୋଇଥିଲା। ୯୯୯ ମସିହାରେ ସେ ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ। ୨୦୦୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦରେ ରହି ତାଙ୍କ କାର୍ଯ୍ୟକାଳ ଶେଷ କରିଥିଲେ।

୨୦୧୫ରେ ଉଠିଥିଲା ଶେଷ ଫଟୋ

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ଲୋକମାନେ ଶେଷ ଥର ପାଇଁ ୨୦୧୫ ମସିହାରେ ଟିଭି ଏବଂ ଗଣମାଧ୍ୟମରେ ଦେଖିବାକୁ ପାଇଥିଲେ। ତତ୍କାଳୀନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ ବାଜପେୟୀଙ୍କ ଘରକୁ ଯାଇ ତାଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଥିଲେ। ତାହା ହିଁ ଥିଲା ବାଜପେୟୀଙ୍କ ଶେଷ ଫଟୋ।

ବାଜପେୟୀଙ୍କ ମ୍ୟୁଜିକ୍‌ ଭିଡିଓ

ବାଜପେୟୀଙ୍କ ଦ୍ୱାରା ଲିଖିତ କିଛି କବିତାକୁ ନେଇ ସାରେଗାମା ପକ୍ଷରୁ ‘ସମ୍ବେଦନା’ ନାମକ ଏକ ମ୍ୟୁଜିକ୍‌ ଆଲ୍‌ବମ୍‌ ଉନ୍ମୋଚିତ ହୋଇଥିଲା। ଏହାବ୍ୟତୀତ ତାଙ୍କର ଏକ ମ୍ୟୁଜିକ୍‌ ଭିଡିଓ ‘କ୍ୟା ଖୋୟା କ୍ୟା ପାୟା’ ନାମରେ ଏକ ମ୍ୟୁଜିକ୍‌ ଭିଡିଓ ମଧ୍ୟ ହୋଇଥିଲା। ଏଥିରେ ବିଶିଷ୍ଟ ଚଳଚ୍ଚିତ୍ର ନିର୍ଦ୍ଦେଶକ ୟଶ୍‌ ଚୋପ୍ରା ନିର୍ଦ୍ଦେଶନା ଦେଇଥିଲେ। ଗଜଲ ଗାୟକ ଜଗ୍‌ଜିତ୍‌ ସିଂହ ଏହାକୁ ଗାଇଥିଲେ। ବାଜପେୟୀ ଏଥିରେ ଅଭିନୟ କରିଥିଲେ।

୨୦୧୫ରେ ମିଳିଥିଲା ଭାରତ ରତ୍ନ

ଦେଶର ସର୍ବୋଚ୍ଚ ସମ୍ମାନ ଭାରତ ରତ୍ନ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କୁ ୨୦୧୫ ମାର୍ଚ୍ଚ ୨୭ ତାରିଖରେ ପ୍ରଦାନ କରାଯାଇଥିଲା। ଏଥିପାଇଁ ବାଜପେୟୀଙ୍କ ବାସଭବନରେ ଏକ କାର୍ଯ୍ୟକ୍ରମର ଆୟୋଜନ ହୋଇଥିଲା। ତତ୍କାଳୀନ ରାଷ୍ଟ୍ରପତି ବାଜପେୟୀଙ୍କୁ ଏହି ସମ୍ମାନ ଦେଇଥିଲେ। ଏହାବ୍ୟତୀତ ବାଜପେୟୀଙ୍କୁ ପଦ୍ମ ବିଭୂଷଣ (୧୯୯୨), ଲୋକମାନ୍ୟ ତିଳକ ପୁରସ୍କାର (୧୯୯୪), ଉତ୍କଷ୍ଟ ସାଂସଦ ପୁରସ୍କାର (୧୯୯୪), ଭାରତ ରତ୍ନ ପଣ୍ଡିତ ଗୋଗିନ୍ଦ ବଲ୍ଲଭ ପନ୍ତ ପୁରସ୍କାର (୧୯୯୪) ଏବଂ ଲିବରେସନ୍‌ ଓ୍ଵାର୍‌ ଆଓ୍ଵାର୍ଡ (୨୦୧୫) ପ୍ରଦାନ କରାଯାଇଥିଲା।

ରାଜନୈତିକ ଯାତ୍ରାର ମାଇଲଖୁଣ୍ଟ

୧୯୪୨: ଭାରତ ଛାଡ଼ ଆନ୍ଦୋଳନରେ ଯୋଗ ଦେଲେ, ସ୍ୱାଧୀନତା ସଂଗ୍ରାମ ସମୟରେ ଜେଲ୍‌ ଯାଇଥିଲେ
୧୯୫୧: ଜନସଂଘର ପ୍ରତିଷ୍ଠାତା ସଦସ୍ୟ
୧୯୫୭: ଜନସଂଘର ପ୍ରାର୍ଥୀଭାବେ ଲୋକସଭାକୁ ନିର୍ବାଚିତ ହେଲେ
୧୯୬୨: ରାଜ୍ୟସଭାକୁ ନିର୍ବାଚିତ ହେଲେ
୧୯୬୮: ୧୯୬୮ରୁ ୧୯୭୩ ପର୍ଯ୍ୟନ୍ତ ଭାରତୀୟ ଜନସଂଘର ଅଧ୍ୟକ୍ଷ ରହିଲେ
୧୯୭୫: ଜରୁରୀ ସ୍ଥିତି ସମୟରେ ଗୃହବନ୍ଦୀ ଥିଲେ
୧୯୭୭: ୧୯୭୭ରୁ ୧୯୮୦ ମସିହା ପର୍ଯ୍ୟନ୍ତ ଜନତା ପାର୍ଟିର ପ୍ରତିଷ୍ଠାତା ସଦସ୍ୟ ରହିଲେ
୧୯୭୭: ପ୍ରଥମ ଅଣକଂଗ୍ରେସ ବିଦେଶ ବ୍ୟପାର ମନ୍ତ୍ରୀ ହୋଇଥିଲେ
୧୯୭୯: ଜାତିସଂଘରେ ହିନ୍ଦୀରେ ସ୍ମରଣୀୟ ବକ୍ତବ୍ୟ ଦେଇଥିଲେ
୧୯୮୦: ବିଜେପି ଅଧ୍ୟକ୍ଷ ହେଲେ (୧୯୮୦-୮୬)
୧୯୯୨: ପଦ୍ମ ବିଭୂଷଣରେ ସମ୍ମାନିତ ହେଲେ
୧୯୯୪: ଲୋକମାନ୍ୟ ତିଲକ ପୁରସ୍କାରରେ ପୁରସ୍କୃତ ହେଲେ ଏବଂ ଶ୍ରେଷ୍ଠ ସାଂସଦ ଭାବେ ଗୋବିନ୍ଦ ବଲ୍ଲଭ ପନ୍ଥ ପୁରସ୍କାର ପାଇଥିଲେ
୧୯୯୬: ପ୍ରଥମ ଥର ପ୍ରଧାନମନ୍ତ୍ରୀ ହେଲେ କିନ୍ତୁ ତାଙ୍କ ସରକାର ମାତ୍ର ୧୩ ଦିନ ପାଇଁ ରହିଲା
୧୯୯୮: ଏନ୍‌ଡିଏ କ୍ଷମତାକୁ ଆସିଲା, ବାଜପେୟୀ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କଲେ
୧୯୯୮: ପୋଖରାନ୍‌ରେ ବାଜପେୟୀ ସରକାର ମେ’ ୧୯୯୮ରେ ପରମାଣୁ ପରୀକ୍ଷା କଲେ
୨୦୦୫: ରାଜନୀତିରୁ ଅବସର ଘୋଷଣା
୨୦୧୪: ଡିସେମ୍ବର ୨୫, ବାଜପେୟୀଙ୍କ ୯୦ତମ ଜନ୍ମଦିବସକୁ ଦେଶବ୍ୟାପୀ ‘ଗୁଡ୍‌ ଗଭର୍ଣ୍ଣାନ୍ସ ଡେ’ ଭାବେ ପାଳନ କରାଗଲା
୨୦୧୫: ମାର୍ଚ୍ଚ ୨୭ରେ ଭାରତ ରତ୍ନ ସମ୍ମାନରେ ସମ୍ମାନିତ

ସ୍ମୃତିରେ ବହୁତ କିଛି ସଜାଇ ରଖିଛି

ନୂଆଦିଲ୍ଲୀ : ପୂର୍ବ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ସମଗ୍ର ଦେଶରେ ଶୋକାକୁଳ ସ୍ଥିତି ରହିଥିବା ବେଳେ ବାଜପେୟୀଙ୍କ ସହିତ ଅତ୍ୟନ୍ତ ଘନିଷ୍ଠ ଭାବେ କାନ୍ଧକୁ କାନ୍ଧ ମିଳାଇ ବହୁ ଦଶନ୍ଧି ଦରି କାମ କରି ଆସିଥିବା ପୂର୍ବ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏକ ବୟାନରେ ଆଡଭାନୀ କହିଛନ୍ତି ମୋର ମିତ୍ରଙ୍କ ପରଲୋକ ମତେ ଗଭୀର ଦୁଃଖ ଦେଇଛି। ଆଜି ମୋ ପାଖରେ ମୋର ଶୋକ ବ୍ୟକ୍ତ କରିବା ପାଇଁ ଶବ୍ଦ ନାହିଁ। ଭାରତର ସବୁଠାରୁ ବଡ଼ ରାଜନେତାଙ୍କ ମଧ୍ୟରୁ ଅନ୍ୟତମ ଅଟଳ ବିହାରୀ ବାଜପେୟୀଙ୍କୁ ଆମେ ଆଜି ହରାଇ ଦେଇଛୁ। ମୋ ପାଇଁ ସେ ଜଣେ ବରିଷ୍ଠ ସାଥୀଠାରୁ ଯଥେଷ୍ଟ ଅଧିକ ଥିଲେ। ବାସ୍ତବରେ ୬୫ ବର୍ଷରୁ ଅଧିକ ସମୟ ଆମେ ଘନିଷ୍ଠ ମିତ୍ର ଭାବେ କାର୍ଯ୍ୟ କରିଥିଲୁ। ମୁଁ ବାଜପେୟୀଙ୍କ ସହିତ ଆରଏସ୍‌ଏସ୍‌ର ପ୍ରଚାରକ ଭାବେ କାର୍ଯ୍ୟ କରିବା ଦିନଠାରୁ ଆରମ୍ଭ କରି ଭାରତୀୟ ଜନସଂଘର ସ୍ଥାପନ, ଜରୁରୀ ପରିସ୍ଥିତି ସମୟରେ ଆମର ସଂଘର୍ଷ ଏବଂ ପରେ ୧୯୮୦ରେ ଭାରତୀୟ ଜନତା ପାର୍ଟିର ସ୍ଥାପନା ପର୍ଯ୍ୟନ୍ତ ସବୁକିଛି ମୋ ସ୍ମୃତିରେ ମୁଁ ସଜାଇ ରଖିଛି।

ରାଜୀବଙ୍କ ଯୋଗୁ ନୂଆ ଜୀବନ

୧୯୮୭ରେ ଅଟଳ ବିହାରୀ ବାଜପେୟୀ କିଡ୍‌ନି ରୋଗରେ ଆକ୍ରାନ୍ତ ହୋଇଥିଲେ। ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରେ ଲାଗିଥିଲା। ସେତେବେଳେ ତାଙ୍କ ଚିକିତ୍ସା ଆମେରିକାରେ ହିଁ ସମ୍ଭବ ଥିଲା। କିନ୍ତୁ ଅର୍ଥାଭାବ କାରଣରୁ ସେ ଯାଇପାରି ନଥିଲେ। ଏହି ସମୟରେ ତତ୍‌କାଳୀନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ କୌଣସି ସୂତ୍ରରୁ ଖବର ପାଇ ତାଙ୍କୁ ସହାୟତାର ହାତ ବଢ଼ାଇଥିଲେ। ଦିନେ ବାଜପେୟୀଙ୍କୁ ରାଜୀବ ନିଜ କାର୍ଯ୍ୟାଳୟକୁ ଡକାଇ ଆମେରିକାକୁ ଯିବା ପାଇଁ ଥିବା ଭାରତୀୟ ପ୍ରତିନିଧିଙ୍କ ମଧ୍ୟରେ ସେ ଅଛନ୍ତି ବୋଲି ଜଣାଇଥିଲେ। ତେଣୁ ଆମେରିକା ଯିବା ଲାଗି ପ୍ରସ୍ତୁତ ହେବାକୁ ପରାମର୍ଶ ଦେଇଥିଲେ। ଆଉ ଏହା ମଧ୍ୟ କହିଥିଲେ ଯେ ଆମେରିକା ଗସ୍ତ ବେଳେ ସେଠାରେ ନିଜର ଚିକିତ୍ସା କରାଇବାକୁ। ଏହା ଶୁଣି ବାଜପେୟୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏମିତି କି ବାଜପେୟୀଙ୍କ ଯତ୍ନ ନେବା ଲାଗି ମଧ୍ୟ ରାଜୀବ ଗାନ୍ଧୀ ନିଜ ଦଳୀୟ ପ୍ରତିନିଧିଙ୍କୁ କହିଥିଲେ। ୧୯୯୧ ମେ ୨୧ରେ ରାଜୀବଙ୍କ ହତ୍ୟା ଘଟଣାରେ ମର୍ମାହତ ହୋଇଥିଲେ ବାଜପେୟୀ। ରାଜୀବଙ୍କୁ ମନେପକାଇ ବାଜପେୟୀ ତାଙ୍କ ସହାୟତା କଥାକୁ ସାର୍ବଜନୀନ କରିଥିଲେ। ‘ରାଜୀବଙ୍କ ପାଇଁ ମୁଁ ଆଜି ବଞ୍ଚିଛି’ ବୋଲି ତାଙ୍କ ମୁହଁରୁ ସ୍ୱତଃ ବାହାରି ପଡ଼ିଥିଲା।

ଶଗଡ଼ରେ ଆସିଥିଲେ ସଂସଦ

ବିରୋଧୀ ଦଳଗୁଡ଼ିକରେ ସାମିଲ ଥିଲା ବେଳେ ଅଟଳ ବିହାରୀ ବାଜପେୟୀ ଭିନ୍ନ ଢଙ୍ଗରେ ସରକାରଙ୍କୁ ଘେରୁଥିଲେ। କୌଣସି ପ୍ରକାର ନକାରାତ୍ମକ ଟିପ୍ପଣୀ ନ ଦେଇ ସାଦାସିଧା ଭାବେ ବିରୋଧ ପ୍ରଦର୍ଶନ କରୁଥିଲେ। ଥରେ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ସମୟରେ ତେଲ ଦରବୃଦ୍ଧି ଉତ୍କଟ ହୋଇଥିଲା। ଏହାଦ୍ୱାରା ଲୋକଙ୍କ ଉପରେ ଅନେକ ପ୍ରଭାବ ପଡ଼ିଥିଲା। ତେଣୁ ଏହାକୁ ବିରୋଧ କରିଥିଲେ ବାଜପେୟୀ। ଲୋକଙ୍କ ମୁଣ୍ଡରୁ ମହଙ୍ଗା ତେଲ ବୋଝ କମାଇବା ପରିପ୍ରେକ୍ଷୀରେ ବାଜପେୟୀ ଦିନେ ଶଗଡ଼ରେ ସଂସଦ ଆସିଥିଲେ। ଏହାକୁ ନେଇ ଅନ୍ୟ ବିରୋଧୀ ଦଳଗୁଡ଼ିକ ଅଧିକ ଆକ୍ରମଣାତ୍ମକ ହୋଇଯାଇଥିଲେ। ଫଳରେ ସଂସଦରେ ସେମାନେ ମିଳିତ ଭାବେ ସରକାରଙ୍କୁ ଘେରିଥିଲେ। ଏହା ସେତେବେଳେ ବେଶ୍‌ ଚର୍ଚ୍ଚାର ଖୋରାକ ଯୋଗାଇଥିଲା।

ହ୍ଵିଲ୍‌ ଚେୟାରରେ ୯ ବର୍ଷ

ବାଜପେୟୀ ଅନେକ ଦିନ ଧରି କିଡ୍‌ନି ରୋଗରେ ସଂକ୍ରମିତ ହୋଇଥିଲେ। ଏହାବ୍ୟତୀତ ଛାତିରେ ଅଧିକାଂଶ ସମୟରେ କଫ ଜମିବା, ମୂତ୍ରନଳୀ ସଂକ୍ରମଣ ହେବା ଭଳି ରୋଗରେ ମଧ୍ୟ ପୀଡ଼ିତ ଥିଲେ। ଏକାଧିକ ରୋଗର ଶିକାର ହେବା ପରେ ତାଙ୍କ ଶରୀରର ଅନ୍ୟ ଅଙ୍ଗପ୍ରତ୍ୟଙ୍ଗ ମଧ୍ୟ ପ୍ରଭାବିତ ହୋଇଥିଲା। ଫଳରେ ୨୦୦୯ରୁ ସେ ହ୍ଵିଲ୍‌ଚେୟାରରେ ବସିବା ଆରମ୍ଭ କରିଥିଲେ। ଦୀର୍ଘ ୯ ବର୍ଷ ଧରି ହ୍ଵିଲ୍‌ ଚେୟାରରେ ବସି ରହିଥିଲେ ବାଜପେୟୀ। ଗତ ଜୁନ୍‌ ୧୧ ତାରିଖରୁ ଦିଲ୍ଲୀ ଏମ୍‌ସରେ ଭର୍ତ୍ତି ହୋଇ ଚିକିତ୍ସିତ ହେଉଥିଲେ।

ଶ୍ରଦ୍ଧାଞ୍ଜଳି

ପୂର୍ବ ପ୍ରଧାନମନ୍ତ୍ରୀ ତଥା ମହାନ ରାଷ୍ଟ୍ରନୀତିଜ୍ଞ ଅଟଳ ବିହାରୀ ବାଜପେୟୀଙ୍କ ବିୟୋଗରେ ମୁଁ ମର୍ମାହତ। ତାଙ୍କର ନେତୃତ୍ୱ, ଦୂରଦୃଷ୍ଟି ଏବଂ ବିଜ୍ଞତା ଅସାଧାରଣ ଥିଲା।
ରାମନାଥ କୋବିନ୍ଦ, ରାଷ୍ଟ୍ରପତି

ମୋ ନିକଟରେ କୌଣସି ଭାଷା ନାହିଁ। ମୁଁ ଏବେ ଆବେଗ ମଧ୍ୟରେ ବୁଡ଼ିଛି। ବାଜପେୟୀଜୀଙ୍କ ମୃତ୍ୟୁରେ ଆଜି ଏକ ଯୁଗର ଅବସାନ ଘଟିଛି। ସେ ଦେଶ ପାଇଁ ଜୀବନର ପ୍ରତି ମୁହୂର୍ତ୍ତକୁ ଉତ୍ସର୍ଗ କରିଥିଲେ। ଶାସନ ଏବଂ ସଂଗଠନର ପ୍ରମୁଖ ଦିଗଗୁଡ଼ିକ ସଂପର୍କରେ ମୁଁ ତାଙ୍କଠାରୁ ଶିକ୍ଷାଲାଭ କରିଥିଲି। ଭବିଷ୍ୟତର ଭାରତ ପାଇଁ ତାଙ୍କର ନେତୃତ୍ୱ ଅତ୍ୟନ୍ତ ପାରଦର୍ଶୀ ଥିଲା।
ନରେନ୍ଦ୍ର ମୋଦୀ, ପ୍ରଧାନମନ୍ତ୍ରୀ

ଅଟଳ ବିହାରୀ ବାଜପେୟୀ ଥିଲେ ଜଣେ ପ୍ରଖର ବକ୍ତା, ପ୍ରଭାବଶାଳୀ କବି ଏବଂ ମହାନ୍‌ ପ୍ରଧାନମନ୍ତ୍ରୀ।
ମନମୋହନ ସିଂହ, ପୂର୍ବ ପ୍ରଧାନମନ୍ତ୍ରୀ

ଦୁଃଖର ବିଷୟ ବାଜପେୟୀଜୀ ଆମ ଗହଣରେ ନାହାନ୍ତି। ଏକ ଶକ୍ତିଶାଳୀ ଭାରତ ଗଠନର ଚିନ୍ତାଧାରାକୁ ସାକାର କରିଥିବା ଏହି ମହାନ ନେତା ଦେଶର ଏକତା, ଶାନ୍ତି ଏବଂ ପ୍ରଗତି ପାଇଁ କରିଥିବା କାର୍ଯ୍ୟ ଅବିସ୍ମରଣୀୟ।
ରାଜନାଥ ସିଂହ, ଗୃହମନ୍ତ୍ରୀ

ଭାରତ ଆଜି ଜଣେ ମହାନ ସନ୍ତାନଙ୍କୁ ହରାଇଲା
ରାହୁଲ ଗାନ୍ଧୀ, କଂଗ୍ରେସ ଅଧ୍ୟକ୍ଷ

ସେ ଜଣେ ମହାନ୍‌ ରାଜନୀତିଜ୍ଞ ଥିଲେ, ଯାହାଙ୍କୁ କୋଟି କୋଟି ଲୋକ ଭଲ ପାଉଥିଲେ। ସେ ଆଜି ଆମ ଗହଣରେ ନାହାନ୍ତି ବୋଲି ବିଶ୍ୱାସ କରିହେଉ ନାହିଁ।
ଶିବରାଜ ସିଂହ ଚୌହାନ, ମଧ୍ୟ ପ୍ରଦେଶ ମୁଖ୍ୟମନ୍ତ୍ରୀ

ସେ ବ୍ୟକ୍ତିଗତ ସ୍ୱାର୍ଥଠୁ ଊର୍ଧ୍ୱକୁ ଯାଇ ରାଷ୍ଟ୍ରୀୟ ସ୍ୱାର୍ଥ ପାଇଁ କାର୍ଯ୍ୟ କରୁଥିଲେ। ତାଙ୍କ ଯୋଗୁ ଦେଶରେ ଏକ ରାଜନୈତିକ ସ୍ଥିରତା ଆସିପାରିଥିଲା।
ଯୋଗୀ ଆଦିତ୍ୟନାଥ, ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ

ଏତେଶୀଘ୍ର ବାଜପେୟୀଙ୍କ ପରଲୋକ ଘଟିବ ବୋଲି ଚିନ୍ତା କରିନଥିଲି। ସେ ଜଣେ ସଚ୍ଚା ଭାରତୀୟ। ସେ ସବୁବେଳେ ନିଜ ହୃଦୟରୁ କହିଥାନ୍ତି। ସ୍ୱାଧୀନତା ପରବର୍ତ୍ତୀ ଭାରତରେ ସେ ଜଣେ ମହାନ୍‌ ନେତା ଥିଲେ।
ଭେଙ୍କୟା ନାଇଡୁ, ଉପରାଷ୍ଟ୍ରପତି

ଜଣେ ବରିଷ୍ଠ ରାଜନେତା ହେବା ସତ୍ତ୍ୱେ ସେ ଜଣେ ସରଳ ବ୍ୟକ୍ତି ଥିଲେ।
ମୁଲାୟମ୍‌ ସିଂହ ଯାଦବ, ସମାଜବାଦୀ ପାର୍ଟି ନେତା

ମୁଁ ମର୍ମାହତ। ଦେଶ ପାଇଁ ଏହା ଏକ ବିରାଟ କ୍ଷତି।
ମମତା ବାନାର୍ଜୀ, ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ସମ୍ବନ୍ଧିତ ଖବର

Leave A Reply

Your email address will not be published.