ବାଘୁଣୀକୁ ଟ୍ରାକ୍ଟର ଚପାଇ ମାରିଦେଲେ

ଲକ୍ଷ୍ନୌ : ଉତ୍ତର ପ୍ରଦେଶର ଲକ୍ଷ୍ମୀପୁର ଜିଲ୍ଲାରେ ଦୁଧୱା ବ୍ୟାଘ୍ର ସଂରକ୍ଷିତ ବନାଞ୍ଚଳରେ ସ୍ଥାନୀୟ ଗ୍ରାମବାସୀମାନେ ଆଜି ଏକ ଅଭାବନୀୟ କାଣ୍ଡ ଘଟାଇଛନ୍ତି। ଏକ ବାଘୁଣୀକୁ ସେମାନେ ପିଟି ପିଟି ନିସ୍ତେଜ କରିବା ପରେ ଟ୍ରାକ୍ଟର ଚପାଇ ମାରିଦେଇଛନ୍ତି। ଦୁଧୱା ବ୍ୟାଘ୍ର ପ୍ରକଳ୍ପର ଆଞ୍ଚଳିକ ନିର୍ଦ୍ଦେଶକ ମହାବୀର କୌଜଲାଙ୍ଗି କହିଛନ୍ତି, ବାଘୁଣୀ କିଶନପୁର ବନାଞ୍ଚଳର ଚଲତୁଆ ଗ୍ରାମରେ କିଛିଦିନ ତଳେ ଦେବାନନ୍ଦ (୫୦) ନାମକ ଜଣେ ବ୍ୟକ୍ତିକୁ ଆକ୍ରମଣ କରିଥିଲା। ଗୁରୁତର ଆହତ ହୋଇଥିବା ଦେବାନନ୍ଦଙ୍କ ପରବର୍ତ୍ତୀ ସମୟରେ ହସ୍ପିଟାଲରେ ମୃତ୍ୟୁ ଘଟିଥିଲା। ଏହି ଘଟଣାପରେ ଗ୍ରାମବାସୀମାନେ ବାଘୁଣୀକୁ ଟାର୍ଗେଟ କରିଥିଲେ ଏବଂ ତାକୁ ଘେରିଯାଇ ଠେଙ୍ଗାରେ ପ୍ରବଳ ଆକ୍ରମଣ କରିଥିଲେ। ଏହାପରେ ବାଘୁଣୀ ଉପରେ ଟ୍ରାକ୍ଟର ଚଢ଼ାଇ ମାରିଦେଇଥିଲେ। ଆଜି ବାଘୁଣୀର ଶବକୁ ବନ ବିଭାଗ ଜବତ କରିଛି ଏବଂ ଏହି ମାମଲାରେ ଗ୍ରାମବାସୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବଂ ବଲିଉଡ ଅଭିନେତା ରଣଦୀପ ହୁଦା ବାଘୁଣୀ ହତ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଆଜି ସନ୍ଧ୍ୟାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହେବାପରେ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି ଏବଂ ସେମାନେ ଏହାକୁ ଜ‌ୋର୍‌ଦାର ବିରୋଧ କରିବେ ବୋଲି ଧମକ ଦେଇଛନ୍ତି। ଅନ୍ୟପକ୍ଷରେ ରାଜ୍ୟର ବିଭିନ୍ନ ପରିବେଶପ୍ରେମୀ ସଂଗଠନ ଏହି ଘଟଣାରେ ଉଦ୍‌ବେଗ ପ୍ରକାଶ କରି ବନ୍ୟଯନ୍ତୁଙ୍କ ସୁରକ୍ଷା ପାଇଁ କଠୋର ଆଇନ ଆଣିବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର