ସହସ୍ରବାହୁ ଅର୍ଜୁନ କିପରି ରାବଣକୁ ବାନ୍ଧି ପକାଇଥିଲେ ?

ସହସ୍ରବାହୁ ଅର୍ଜୁନ ନର୍ମଦାର ଜଳ ପ୍ରବାହକୁ ରୋକି ଦେଇଥିବା ଜାଣିବାପରେ ରାବଣ ମନ୍ତ୍ରୀ ତଥା ଅନ୍ୟାନ୍ୟ ଅଙ୍ଗରକ୍ଷୀ ସୈନିକମାନଙ୍କ ସହିତ ଯୁଦ୍ଧ କରିବାକୁ ଗଲେ । ରାଜା ଅର୍ଜୁନଙ୍କର ଅମାତ୍ୟମାନଙ୍କୁ, ରାବଣର ମନ୍ତ୍ରୀମାନେ ଖାଇ ପକାଇଲେ । ଅର୍ଜୁନ ଏ ସମ୍ବାଦ ପାଇ ନିଜ ପତ୍ନୀମାନଙ୍କୁ ରାଜପ୍ରାସାଦକୁ ପ୍ରେରଣ କରି, ଯୁଦ୍ଧକ୍ଷେତ୍ରରେ ଉପନୀତ ହେଲେ । ସହସ୍ରବାହୁ ଅର୍ଜୁନ ଓ ବିଂଶବାହୁ ରାବଣ ମଧ୍ୟରେ ଘମାଘୋଟ ଗଦା ଯୁଦ୍ଧ ହେଲା- ଯେପରି କି ଦୁଇଗୋଟି ପ୍ରମତ୍ତ ସିଂହ ଲଢେଇ କରୁଛନ୍ତି । ଅତି ଶକ୍ତିଶାଳୀ ଗଦାଦ୍ୱାରା, ଅର୍ଜୁନ ଦଶାନନର ବକ୍ଷକୁ ଖୁବ୍‌ ଜୋରରେ ପ୍ରହାର କଲେ । ମାତ୍ର ଗଦା ରାବଣର କିଛି ଅନିଷ୍ଟ କରି ନ ପାରି ଦୁଇଖଣ୍ଡ ହୋଇ ଭାଙ୍ଗିଗଲା ।

ଅସ୍ତ୍ର-ଶସ୍ତ୍ରାଦି ଦ୍ୱାରା ରାବଣର କୌଣସି କ୍ଷତି ନ ହେଉଥିବାର ଦେଖି ଅର୍ଜୁନ କ୍ଷଣକାଳ ଚିନ୍ତିତ ରହିଲେ । ତତ୍ପରେ, ସର୍ପକୁ ଗରୁଡ ମାଡି ବସିଲା ଭଳି ଅର୍ଜୁନ, ରାବଣ ଉପରକୁ ଲମ୍ଫ ପ୍ରଦାନ କରି ବଳପୂର୍ବକ ମାଡିବସିଲେ । ନିଜର ସହସ୍ରବାହୁ ଦ୍ୱାରା ରାବଣକୁ ବାନ୍ଧି ପକାଇଥିେଲେ, ଯେମିତି ପୂର୍ବକାଳରେ ଦାନବେନ୍ଦ୍ର ବଳୀଙ୍କୁ ଭଗବାନ ବିଷ୍ଣୁ , ବାମନ ଅବତାରରେ ବାନ୍ଧି ପକାଇଥିଲେ । ତା’ପରେ ସେ ରାକ୍ଷସ ସେନାଙ୍କୁ ବିତାଡିତ କରି ବନ୍ଦୀ ରାବଣକୁୁ ଧରି ନିଜ ରାଜ ପ୍ରସାଦକୁ ଫେରିଲେ ।

ସମ୍ବନ୍ଧିତ ଖବର