ଆଇଜଲ୍: ଏକ କୁକୁଡ଼ା ଛୁଆ ଉପରେ ସାଇକେଲ୍ ଚଢ଼ାଇ ଦେବା ପରେ ପାଖରେ ଥିବା ୧୦ ଟଙ୍କା ନେଇ ହସ୍ପିଟାଲ୍ରେ ପହଞ୍ଚିଥିବା ମିଜୋରାମର କୁନି ବାକଳ ଦେରେକ ଗତ ୩ ଦିନ ଇଣ୍ଟର୍ନେଟ୍ରେ ଚର୍ଚ୍ଚା ପାଲଟିଥିବା ବେଳେ ଏବେ ସେ ଜଣେ ଚିତ୍ର ଶିଳ୍ପୀଙ୍କ ତୂଳୀରେ ସ୍ଥାନ ପାଇଛି। ଦେରେକର ନିରୀହ ଚହାଣୀର ସେହି ଫଟୋଟି ସୋସିଆଲ୍ ମିଡିଆରେ ଲୋକଙ୍କୁ ମତୁଆଲା କରିଥିବା ବେଳେ ଚିତ୍ରକରଙ୍କ ମନକୁ ବି ଛୁଇଁ ଯାଇଛି।
୬ ବର୍ଷର ଏହି ବାଳକଟି ନିଜର ସରଳତା ଜରିଆରେ ସାରା ଦୁନିଆକୁ ଦାୟିତ୍ୱବୋଧର ବାର୍ତ୍ତା ଦେବା ପରେ ସେ ରାତାରାତି ସେଲିବ୍ରେଟି ପାଲଟି ଯାଇଥିଲା। ଆକାଉଣ୍ଟ୍ରୁ ଆକାଉଣ୍ଟକୁ ବୁଲି ଚାଲିଥିଲା ଦେରେକର ଫଟୋ। ଏବେ ଦେରେକର ସେହି ଫଟୋଟିକୁ ଜଣେ ଚିତ୍ରକର ତାଙ୍କ ତୂଳୀରେ ଆଙ୍କି ପୂଣି ଥରେ ସୋସିଆଲ୍ ମିଡିଆରେ ଭାଇରାଲ୍ କରାଇବାରେ ଲାଗିଛନ୍ତି। ଚିତ୍ରକର ଜଣକ ତାଙ୍କର ଚିତ୍ର କରି ଫେସ୍ବୁକ୍ରେ ପୋଷ୍ଟ୍ କରିବା ପରେ ‘ତୁମେ ମହାନ ଦେରେକ’ ବୋଲି ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ମିଜୋରାମରେ ବସବାସ କରୁଥିବା ୬ ବର୍ଷିଅ ବାଳକ ଦେରେକ୍ ସି ଲଲାଚାହିମା ନାମକ ଏହି କୁନି ବାଳକ ନିଜ ନୂଆ କିଣା ଯାଇଥିବା ସାଇକେଲ୍ ଧରି ରାସ୍ତାରେ ଚଲାଉଥାଏ। ସେହି ସମୟରେ ଦୁର୍ଭାଗ୍ୟକୁ ତା’ ସାଇକେଲ୍ ସାମ୍ନାକୁ ଚାଲି ଆସିଲା ପଡ଼ୋଶୀ ଘରର କୁକୁଡ଼ା। ପିଲାଟି ସାଇକେଲ୍ ଉପରେ ନିୟନ୍ତ୍ରଣ ରଖି ନପାରିବାରୁ କୁକୁଡ଼ା ଦେହରେ ଆଘାତ ଲାଗିଲା। କୁୁକୁଡ଼ାଟି ଖଣ୍ଡିଆ ଖାପରା ହୋଇ ଯାଇଛି ଦେଖିବା ପରେ କମ୍ପି ଉଠିଲା କୁନି ପିଲାର ହୃଦୟ। ତା’ପରେ ସେ ନିଜ ପାଖରେ ରଖିଥିବା ୧୦ ଟଙ୍କା ଧରି କୁକୁଡ଼ାଟିକୁ ଭଲ କରିବା ପାଇଁ ହସ୍ପିଟାଲ୍ ଯାଇ ପହଞ୍ଚିଗଲା। ହସ୍ପିଟାଲ୍ରେ ଥିବା ନର୍ସ ତା’ର ଫଟୋ ଉଠାଇ ଫେସ୍ବୁକ୍ରେ ପୋଷ୍ଟ୍ କରିବା ପରେ ଏହା ଦେଶବ୍ୟାପୀ ଚର୍ଚ୍ଚା ପାଲଟିଗଲା।