ଆଶାରାମ ବାପୁ ଏବେ କଏଦୀ ନମ୍ବର ୧୩୦

କଏଦୀ ନମ୍ବର ୧୩୦

ଯୋଧପୁର : ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବାପରେ ଆତ୍ମଘୋଷିତ ଭଗବାନ ଆଶାରାମଙ୍କ ପରିଚୟ ବଦଳି ଯାଇଛି। ଏବେ ତାଙ୍କୁ ନୂଆ ସେଲ୍‌ରେ କଏଦୀ ନମ୍ବର ୧୩୦ହୋଇ ଜୀବନ କାଟିବାକୁ ପଡ଼ିବ। ବର୍ତ୍ତମାନ ତାଙ୍କୁ ପୁରୁଣା ବ୍ୟାରେକ ନଂ୨ ରେ ରଖାଯାଇଥିବା ବେଳେ ପରେ ସୁରକ୍ଷାକୁ ଦୃଷ୍ଟିରେ ରଖି ପରିବର୍ତ୍ତନ କରାଯିବ ବୋଲି ଜେଲ ଡିଆଇଜି ବିକ୍ରମ ସିଂହ କହିଛନ୍ତି। ଆଜିଠାରୁ ଆଶାରାମଙ୍କୁ ଆଉ ଆଶ୍ରମ ଖାଇବା ମିଳିବ ନାହିଁ। ଏହାପୂର୍ବରୁ ଜେଲ ପରିସରରେ ଆଶାରାମଙ୍କ ନିକଟକୁ ଆସୁଥିବା ଭକ୍ତ ଆଣୁଥିବା ଫଳମୂଳ ଓ ଖାଦ୍ୟକୁ ପ୍ରସାଦଭାବେ ବଣ୍ଟା ଯାଉଥିଲା। ଏବେ ଆଶାରାମ ଜେଲ ପୋଷାକ ପିନ୍ଧିବା ସହ ଜେଲ୍‌ରେ କାମ ମଧ୍ୟ କରିବାକୁ ପଡ଼ିବ। ଆଶାରାମଙ୍କ ସମର୍ଥକ ସବୁବେଳେ କୌଣସି ନା କୌଣସି ମାମଲାରେ ଗିରଫ ହୋଇ ଜେଲକୁ ଆସିବା ପରେ ଏଠାରେ ନିଜର ଦାଦାଗିରି ଦେଖାଉଥିଲେ ବୋଲି ଜଣେ ଜେଲ କର୍ମଚାରୀ କହିଛନ୍ତି। ଆଶାରାମଙ୍କ ଏହି ଭକ୍ତ କଏଦୀମାନେ ଅନ୍ୟ କଏଦୀଙ୍କୁ ମାରପିଟ୍‌ କରୁଥିବା ନେଇ ଅନେକ ନଜିର ରହିଛି।

ସକାଳ ୫ଟାରୁ ଉଠିପଡ଼ିଥିଲେ

ଯୋଧପୁର : ଆଜି ନାବାଳିକା ଦୁଷ୍କର୍ମ ମାମଲାର ରାୟ ପ୍ରକାଶ ପାଇବାକୁ ଥିବା ବେଳେ ଆଶାରାମ ମଧ୍ୟ ଏଥିରୁ ମୁକୁଳିବା ନେଇ ଅନେକ ଆଶା କରିଥିଲେ। ଜେଲ ପରିସରରୁ ମିଳିଥିବା ଖବର ମୁତାବକ, ସକାଳ ୫ଟା ବେଳକୁ ସେ ଉଠିଯାଇଥିଲେ। ଗାଧୋଇ-ପାଧୋଇ ସବୁଦିନ ପରି ପୂଜା ପଦ୍ଧତିରେ ଲାଗି ଯାଇଥିଲେ। ସକାଳ ୭ଟା ବେଳକୁ ତାଙ୍କ ଘରୁ ଆସିଥିବା ଖାଦ୍ୟ ଖାଇ ରାୟ ଶୁଣିବା ପାଇଁ ପ୍ରସ୍ତୁତ ହୋଇଯାଇଥିଲେ। ଜେଲ ପରିସରରେ ସ୍ୱତନ୍ତ୍ର କୋର୍ଟର ବିଚାରପତି ଆସି ପହଞ୍ଚିବା ପରେ ମଧ୍ୟ ଆଶାରାମ ତାଙ୍କ କୋଠରୀରୁ ବାହାରିନଥିଲେ। ସେ କହିଥିଲେ ଯେ, ତାଙ୍କୁ ଧ୍ୟାନ କରିବାକୁ ୧୫ ମିନିଟ ସମୟ ଦିଆଯାଉ। ଏହାପରେ ସେ କୋର୍ଟକୁ ଯାଇ ଶାନ୍ତ ହୋଇ ଛିଡ଼ା ହୋଇଥିଲେ।

ବିବାଦୀୟ ମନ୍ତବ୍ୟ

୨୦୧୨ ନିର୍ଭୟା ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଉପଦେଶ: ଏହିି ସ୍ପର୍ଶକାତର ଘଟଣାରେ ଆଶାରାମ ୨୦୧୩ ମସିହାରେ ଏଭଳି ମନ୍ତବ୍ୟ ଦେଲେ ଯେ, ତାହା ସବୁଆଡେ ଆଲୋଚନାର ବିଷୟ ପାଲଟିଗଲା। ସେ କହିଥିଲେ ଯେ, ପୀଡ଼ିତା ଯଦି ଦୁଷ୍କର୍ମକାରୀଙ୍କୁ ଭାଇ ବୋଲି କହିଥାନ୍ତେ, ତେବେ ତାଙ୍କ ଜୀବନ ଯାଇ ନଥାନ୍ତା। ଏହା ସହିତ ଗୋଟିଏ ହାତରେ କେବେ ତାଳି ବାଜେ ନାହିଁ।

ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା: ୨୦୧୧ ମସିହାରେ ଦିଲ୍ଲୀ ଯମୁନା ନଦୀ କୂଳରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ତତ୍କାଳୀନ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ଅଳ୍ପ ବୁଦ୍ଧିଆ ବବ୍‌ଲୁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ। ଆଶାରାମଙ୍କ ଏହି ମନ୍ତବ୍ୟକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେ ରାଜନୀତି ଆନକୁ ମନ ବଳାଉଥିବା ନେଇ ଚର୍ଚ୍ଚା ହୋଇଥିଲା।

ଗଣମାଧ୍ୟମକୁ ନେଇ ବିବାଦୀୟ ବିବୃତି: ଆଶାରାମଙ୍କ କାରନାମାର ପର୍ଦ୍ଦାଫାସ ହେବା ପରେ ସେ ଏନେଇ ଗଣମାଧ୍ୟମକୁ ଦୋଷ ଦେଇଥିଲେ। ସେ କହିଥିଲେ, ହାତୀ ଚାଲିବା ସମୟରେ କୁକୁରମାନେ ପଛରେ ଭୁକିବା ଭଳି ଗଣମାଧ୍ୟମ ମଧ୍ୟ ଅନୁରୂପ କାର୍ଯ୍ୟ କରୁଛି। ଏହା ଉପରେ ଧ୍ୟାନ ଦେବା ଆବଶ୍ୟକ ନାହିଁ।

ମୋଦି-ଆଶାରାମଙ୍କ ଭିଡିଓ ଟ୍ଵିଟ୍‌ କରି ବିବାଦରେ ଆଇସିସି

ଦୁବାଇ : ଯୋଧପୁର କୋର୍ଟରେ ଆଶାରାମ ଦୋଷୀ ସାବ୍ୟସ୍ତ ହେବା ପରେ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅଶାରାମଙ୍କ ଭିଡିଓକୁ ଟ୍ଵିଟ୍‌ କରି ଆଇସିସି(ଅନ୍ତର୍ଜାତୀୟ କ୍ରିକେଟ ପରିଷଦ) ବିବାଦ ଘେରକୁ ଆସିଛି। ଏହି ଭିଡିଓକୁ ଆଇସିସି ‘ନାରାୟଣ, ନାରାୟଣ’ କ୍ୟାପ୍‌ସନ ସହ ଟ୍ଵିଟ୍‌ କରିଥିଲା। ମୋଦି ଓ ଆଶାରାମଙ୍କ କିଛି ପୁରୁଣା ସ୍ମୃତି ଦେଖନ୍ତୁ ବୋଲି ମଧ୍ୟ ଏଥିରେ ଉଲ୍ଲେଖ କରାଯାଇଥିଲା। ଆଇସିସିର ଏଭଳି କାର୍ଯ୍ୟକୁ ବିଭିନ୍ନ ମହଲରୁ କଡ଼ା ସମାଲୋଚନା ହେବାପରେ ଏହାକୁ ହଟାଇ ଦିଆଯାଇଛି ଏବଂ ଆଇସିସି କ୍ଷମାପ୍ରାର୍ଥନା କରିଛି। ଆଜି ସ୍ୱତନ୍ତ୍ର କୋର୍ଟ ଆଶାରାମଙ୍କୁ ଦୋଷୀ ସାବ୍ୟସ୍ତ କରିବା ପରେ କଂଗ୍ରେସ ଏହି ଭିଡିଓକୁ ଟ୍ଵିଟ୍‌ କରିଥିଲା। ଏହି ୪୭ ସେକେଣ୍ଡର ଭିଡିଓରେ ଗୁଜରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ନରେନ୍ଦ୍ର ମୋଦି ଏକ କାର୍ଯ୍ୟକ୍ରମରେ ଆଶାରାମଙ୍କୁ ଆଲିଙ୍ଗନ କରୁଥିବା ଦେଖିବାକୁ ମିଳିଛି।

ରାୟ ଶୁଣି ପ୍ରଥମେ ହସିଥିଲେ, ତା’ପରେ କାନ୍ଦିଲେ

ଆଜି ଦୁଷ୍କର୍ମ ମାମଲାରେ ରାୟ ଘୋଷଣା ପରେ ଆଶାରାମ ପ୍ରଥମେ ହସିଥିଲେ ଏବଂ ପରେ ଭୋ ଭୋ ହୋଇ କାନ୍ଦିଥିଲେ। ବିଚାରପତି ଦଣ୍ଡାଦେଶ ଶୁଣାଇବା ବେଳେ ଆଶାରାମ୍‌ କିଛି ବୁଝିପାରି ନଥିବାରୁ ପ୍ରଥମେ ହସିଥିଲେ। ଏହାପରେ ସେ କିଛି ମନ୍ତ୍ର ଉଚ୍ଚାରଣ କରିଥିଲେ। ପରେ ସେ ନିଜ ଆଇନଜୀବୀଙ୍କ ନିକଟକୁ ଯାଇ ସେ ଏ କ୍ଷେତ୍ରରେ କିଛି କରିପାରିବେ କି ବୋଲି ପଚାରିଥିଲେ। ତେବେ ଦଣ୍ଡାଦେଶର ଗମ୍ଭୀରତାକୁ ଜାଣିବାପରେ ସେ ନିଜ ହାତକୁ ମୁଣ୍ଡରେ ବାଡ଼େଇ ଖୁବ୍‌ ଜୋର୍‌ରେ କାନ୍ଦିଥିଲେ। ଦଣ୍ଡ କୋହହ କରିବାକୁ ସେ ଅନୁରୋଧ କରିଥିଲେ, କିନ୍ତୁ ତାଙ୍କ ଅପରାଧ ପାଇଁ ତାଙ୍କୁ ଦଣ୍ଡ ସାମ୍ନା କରିବାକୁ ପଡ଼ିବ ବୋଲି କୁହାଯାଇଥିଲା।

୧୦,୦୦୦ କୋଟିର ସାମ୍ରାଜ୍ୟ

ଆଜୀବନ ଜେଲ୍‌ ଦଣ୍ଡରେ ଦଣ୍ଡିତ ହୋଇଥିବା ଆତ୍ମଘୋଷିତ ଧର୍ମଗୁରୁ ବାବା ଆଶାରାମ୍‌ ବାପୁ ୧୦,୦୦୦ କୋଟି ଟଙ୍କାର ସାମ୍ରାଜ୍ୟର ଅଧିକାରୀ। ଆଶାରାମଙ୍କ ଝିଅ ଭାରତୀ ଶ୍ରୀ ଏବେ ଆଶାରାମଙ୍କ ମୁଖ୍ୟ ଆଶ୍ରମରେ ରହୁଛନ୍ତି ଏବଂ ସମସ୍ତ ସମ୍ପତ୍ତି ଦେଖାଶୁଣା କରୁଛନ୍ତି। ଏବେ ବି ଆଶାରାମଙ୍କ ପ୍ରାୟ ୪ କୋଟି ଅନୁଗାମୀ ରହିଥିବା କୁହାଯାଉଛି। ଆଶାରାମଙ୍କ ବେଆଇନ ସମ୍ପତ୍ତି ନେଇ ଏବେ ବିଭିନ୍ନ ସରକାରୀ ସଂସ୍ଥା ଯାଞ୍ଚ କରୁଛନ୍ତି।

ସମ୍ବନ୍ଧିତ ଖବର